
କଟକ,(ବି.ବି.ନୁ୍ୟଜ): ସରକାରୀ ଜମି ଦଖଲକୁ ନେଇ ଦୁଇ ଗାଁ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଶେଷରେ ଭୟଙ୍କର ରୂପ ନେଇଛି । ରକ୍ତାକ୍ତ ସଂଘର୍ଷ, ବୋମା ମାଡ଼, ଗୁଳିମାଡ଼ରେ ଦୁଇଜଣଙ୍କ ଜୀବନ ମଧ୍ୟ ଯାଇଛି । ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ପାଖାପାଖି ଘଣ୍ଟାଏ କାଳ ଅଞ୍ଚଳ କୁରୁକ୍ଷେତ୍ର ପାଲଟିଯାଇଥିଲା । ରକ୍ତମୁଖା ଲୋକେ ପରସ୍ପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଭଳି ଏକ ଭୟାନକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ।
କୁଆଁରପାଳ ପଞ୍ଚାୟତ ଅନ୍ତର୍ଗତ ଭାଗବତପୁର ଓ ବୁଢ଼ାପଙ୍କ ଗାଁ ମଧ୍ୟରେ ଏହି ସଂଘର୍ଷ ହୋଇଛି । ସଂଘର୍ଷରେ ପ୍ରାଣ ହରାଇଥିବା ଦୁଇ ମୃତକ ହେଲେ ଭାଗବତପୁର ଗ୍ରାମର ଅଶ୍ୱିନୀ ପାଳ(୩୪) ଓ ପବିତ୍ର ଅଖିତ ଓରଫ ପଞ୍ଚୁ(୨୨) ।
ଘଟଣାରୁ ପ୍ରକାଶ ଯେ, ଭାଗବତପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ପ୍ରାୟ ୩ ଏକରରୁ ଅଧିକ ସରକାରୀ ଜମିକୁ ନେଇ ଦୀର୍ଘ ଦିନ ଧରି ଦୁଇଗ୍ରାମ ଭିତରେ ବିବାଦ ଲାଗି ରହିଥିଲା । ଉଭୟ ପକ୍ଷରୁ ନିଜର ହକ୍ ସାବ୍ୟସ୍ତ କରିବାକୁ ଯାଇ ବାରମ୍ବାର ସେଠାରେ ଅପ୍ରୀତିକର ପରିସ୍ଥିତି ଉପଜୁଥିଲା । ଦୁଇ ଗାଁ ଅନେକ ବାର ମୁହାଁମୁହିଁ ହୋଇଛନ୍ତି । ଏଭଳି ଗଣ୍ଡଗୋଳିଆସ୍ଥିତି ବାରମ୍ବାର ଲାଗି ରହିବାରୁ ପୁଲିସ୍, ପ୍ରଶାସନ ଓ ଗ୍ରାମର ମୁରବିଙ୍କୁ ନେଇ ଶାନ୍ତି କମିଟି ଗଠନ ମଧ୍ୟ ହୋଇଥିଲା । କିଛି ଦିନ ଧରି ପରିସ୍ଥିତି ଶାନ୍ତ ପଡ଼ିଥିବା ବେଳେ ଆଜି ହଠାତ୍ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ବୁଢ଼ାପଙ୍କ ଗ୍ରାମର କିଛି ଲୋକେ ଏଠାକୁ ଆସି ଉକ୍ତ ସରକାରୀ ଜମିକୁ ସଫାସୁତରା କରୁଥିବା ବେଳେ ଭାଗବତପୁର ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଫଳରେ ବୁଢ଼ାପଙ୍କରୁ ଆସିଥିବା ଲୋକଙ୍କ ତରଫରୁ ଅତର୍କିତ ବୋମାମାଡ଼ କରାଯାଇଥିଲା । କେବଳ ସେତିକି ନୁହେଁ କିଛି ଦୁର୍ବୃତ୍ତ ଅଚାନକ ଗୁଳିମାଡ଼ କରିବା ସହ ସହ ମାରଣାସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିଲେ । ଭାଗବତପୁର ଗାଁର ଅଶ୍ୱିନୀ ପାଳଙ୍କ ବେକ ଓ ଛାତିରେ ଗୁଳି ବାଜିବାରୁ ସେ ଟଳି ପଡ଼ିଥିଲେ । ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ପବିତ୍ର ଅଖିତଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ସଂଘର୍ଷରେ ଲିଙ୍ଗରାଜ ଚାନ୍ଦ (୫୬), ଦୀପକ ପାଳ (୩୨), ଶିବ ଦାସ (୨୩), ଅନ୍ତରି ଦାସ (୨୦), ପୂର୍ଣ୍ଣଚନ୍ଦ୍ର କୁଣ୍ଡୁ (୫୫), ସୁଦର୍ଶନ ଅଖିତ (୫୫), ହଟ ସିଂହ (୬୦), ପୂର୍ଣ୍ଣଚନ୍ଦ୍ର ଚାନ୍ଦ (୪୨), ନିବାସ ଅଖିତ(୩୫) ଏବଂ ସମୀର କୁଣ୍ଡୁ (୩୫) ଆହତ ହୋଇଥିଲେ । ଏମାନେ ସମସ୍ତେ ଭାଗବତପୁର ଗ୍ରାମର । ଆହତମାନଙ୍କୁ ପ୍ରଥମେ ମାଣିଆବନ୍ଧ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତର କିଛି ଆହତଙ୍କୁ ଏସ୍ସିବି ମେଡିକାଲ୍ କଲେଜ ସ୍ଥାନାନ୍ତର କରାଯାଇଛି ।
ଏହାପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ଅଭିମାନପୁର ଛକରେ ରଖି କଟକ-ନରସିଂହପୁର ରାସ୍ତାକୁ ଅବରୋଧ କରିଥିଲେ । କ୍ଷତିପୂରଣ ଦାବି କରି ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ ।
ମାଣିଆବନ୍ଧ ଫାଣ୍ଡି ଅଧିକାରୀ ପ୍ରଭାକର ରାଉତ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ପରିସ୍ଥିତି ଅଣାୟତ୍ତ ହେବାରୁ ବଡ଼ମ୍ବାରୁ ଅଧିକ ଫୋର୍ସ ମଗାଇଥିଲେ । ବଡ଼ମ୍ବା ଥାନାଧିକାରୀ ପ୍ରଭାତ କୁମାର ମଲ୍ଲିକଙ୍କ ସମେତ ଏସ୍ଡିପିଓ ଆଲୋକ ରଞ୍ଜନ ରାୟ, ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ପହଞ୍ଚିଥିଲେ । ପୁଲିସ୍-ସାଧାରଣ ଲୋକଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ମଧ୍ୟ ଉପୁଜିଥିଲା । ପରେ ଆଲୋଚନା ଭିତ୍ତିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ହଟିଥିଲେ । ସ୍ଥିତି ଉତ୍ତେଜନାମୂଳକ ରହିଥିବାରୁ ଗାଁରେ ୩ପ୍ଲାଟୁନ୍ ଫୋର୍ସ, ୬ଜଣ ଅଫିସର୍ ମୁତୟନ ହୋଇଛନ୍ତି ।
Comments are closed, but trackbacks and pingbacks are open.