ବଣଭୂଇଁ ଟିଏମସିରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ୍): ଅସୁରକ୍ଷିତ ହୋଇପଡିଛି ଟିଏମସି । କେତେବେଳେ ଆକ୍ରମଣ ତ ପୁଣି କେତେବେଳେ ଯୁବତୀଙ୍କୁ ବଳାକ୍ରାର ଅଭିଯୋଗ । ପୁଣି ବିବାଦରେ ନୀଳଗିରିର ବଣଭୂଇଁ ଟିଏମସି । ଏଠାରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଏବଂ ଜଣେ ଯୁବତୀଙ୍କୁ ଅସଦାଚରଣ ଅଭଯୋଗ ଉଠିବା ପରେ ଘଟଣାକୁ ଚାପି ଦିଆଯାଇଛି । କିଛିଦିନ ଆଗରୁ ନୀଳଗିରି ବ୍ଲକ ଅଧୀନ ତେଲିପାଳ ସେବାଶ୍ରମ ସ୍ଥିତ ଟିଏମସିରେ ଜଣେ ଯୁବତୀଙ୍କୁ ବଳାକ୍ରାର ଉଦ୍ୟମ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଗିରଫ ମଧ୍ୟ ହୋଇଥିଲା । ଚଳିତ ମାସ ୧ ତାରିଖରେ ଔପଦା ବ୍ଲକ ଅଧୀନ ତରତୁଆ ଅଞ୍ଚଳର ଜଣେ ଅନ୍ତେବାସୀଙ୍କୁ ଖାଦ୍ୟ ଦାୟିତ୍ୱରେ ଥିବା ବ୍ୟକ୍ତି ଜଣକ ମାଡ଼ ମାରିବା ଅଭିଯୋଗ ଉଠି ନୀଳଗିରି ଥାନାରେ ୨୨୦ ନଂର ମାମଲା ରୁଜୁ ହୋଇଥିଲା । ପୁଣି ୩ ତାରିଖରେ କାଣ୍ଡଗରଡ଼ିହି ପଞ୍ଚାୟତ ଅଧୀନ କାନପୁର ଗ୍ରାମର ଜଣେ ଅନ୍ତେବାସୀଙ୍କୁ ଆକ୍ରମଣ ହୋଇ ୨୨୨ ନଂର ମାମଲା ରୁଜୁ ହୋଇଛି । ସେହିପରି ନୀଳଗିରି ବ୍ଲକ ଅଧୀନ ବଣଭୂଇଁ ସେବାଶ୍ରମରୁ ଆଉ ଏକ ଅଭିଯୋଗ ଆସିବା ପରେ ଟିଏମସିରେ ଅବ୍ୟବସ୍ଥା ଓ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଚଳିତ ମାସ ୩ ତାରିଖ ବାହାର ରାଜ୍ୟରୁ ଶାଳବଣି ଅଞ୍ଚଳର ଜଣେ ଯୁବତୀ ଆସିବା ପରେ ତାଙ୍କୁ ବଣଭୂଇଁ ଟିଏମସିରେ ରଖାଯାଇଥିଲା । ସେହିଦିନ ରାତ୍ରିରେ ସେ ବାଥରୁମ ଯାଇ ଫେରିବା ବେଳକୁ ଲାଇନ ନଥିବାରୁ ଅନ୍ଧାର ସୁଯୋଗରେ କେହି ଜଣେ ଯୁବକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଉଠିଛି । ସେଠାରୁ କାନ୍ଦି କାନ୍ଦି ଯାଇ ସମସ୍ତ ଘଟଣା ତାଙ୍କ ଗାଁରେ ରହୁଥିବା ସମ୍ପର୍କୀୟଙ୍କୁ କହିଥିଲେ । ଗତକାଲି ଏହି ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଉଠିବା ପରେ ଏହି ଘଟଣା ପଦାକୁ ଆସିଥିଲା । ଭୟରେ କେହି କହିନପାରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଦ୍ୱାରା ଜଣାଇବା ପରେ ଘଟଣା ବିଷୟରେ ଖୋଳତାଡ଼ ଆରମ୍ଭ ହୋଇଥିଲା । ଏପରିକି କୋଭିଡ-୧୯ ମାଜିଷ୍ଟେ୍ରଟ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ସତ୍ୟତା ଜାଣିବାକୁ ପାଇଥିଲେ । ଖାଦ୍ୟକୁ ନେଇ ତାଗିଦ କରିବା ସହ ଛୋଟ ଶିଶୁଙ୍କୁ ହର୍ଲିକ୍ସ କିଣା କରାଇ ଦେଇଥିଲେ । ଏହି ସମୟରେ ଅସଦାଚରଣର ଶିକାର ହୋଇଥିବା ଯୁବତୀଙ୍କୁ ଡକାଇ ଘଟଣା ବିଷୟରେ ପଚାରିଥିଲେ । ହେଲେ ଘଟଣାକୁ ନେଇ ସେଣ୍ଟର ନୋଡାଲ ଅଫିସର ଥାନାରେ ଅଭିଯୋଗ କିମ୍ବା ପରିବାର ତରଫରୁ ଲିଖିତ ଅଭିଯୋଗ କରାଯାଇନାହିଁ । ହୁଏତ ଚାପ କିମ୍ବା ଭୟ ଦେଖାଇ ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି । ତେବେ ବଣଭୂଇଁ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କ ଦୁର୍ଦ୍ଧଶାର ସୁଧାର ଆଣିବା ସହ ଯୁବତୀ, ମହିଳା ରହିବା ଅସୁରକ୍ଷିତ ହୋଇଥିବାରୁ ତାଙ୍କୁ ଅନ୍ୟତ୍ର ରଖିବାକୁ ଦାବି ହୋଇଛି । ଟିଏମସି ଅସୁରକ୍ଷିତ ହୋଇପଡିବା ନେଇ ଜିଲ୍ଲାପାଳ ଘଟଣାକୁ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons