
ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବସନ୍ତର ସ୍ପର୍ଶରେ ଏବେ ମହକୁଛି ଚାରିଦିଗ । ବିଶେଷକରି ମହୁଲଫୁଲର ବାସ୍ନା ପ୍ରକୃତିର ମଣିଷମାନଙ୍କୁ ଟାଣି ନେଇଛି ଜଙ୍ଗଲ ଭିତରକୁ । ରାତି ପାହିଲେ ସେମାନେ ମହୁଲ ଫୁଲ ସାଉଁଟିବାରେ ସମୟ ବିତାଉଛନ୍ତି । ଏହି ଫୁଲ ବନବାସୀଙ୍କୁ ବେଶ କିଛି ଦିନ ପାଇଁ ରୋଜଗାର ଯୋଗାଇଥାଏ । ସେଥିପାଇଁ ସେମାନେ କେବେହେଲେ ମହୁଲ ଗଛ କାଟିବାକୁ ସାହସ କରନ୍ତି ନାହିଁ । ମୋଟାମୋଟି କହିବାକୁ ଗଲେ, ମହୁଲ ଗଛ ପ୍ରତି ସେମାନଙ୍କର ରହିଛି ବିଶେଷ ଆବିଳତା ।
ବସନ୍ତର ଆଗମନରେ ବନବାସୀମାନେ ଚିହ୍ନଟ କରିଥାନ୍ତି ମହୁଲ ଗଛ । ଅନେକ ମହୁଲ ଗଛ ତଳକୁ ଗୋବରରେ ଲିପି ସମତୁଲ କରିଥାନ୍ତି । ଫୁଲ ଫୁଟିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ଏବେ ଉପନୀତ ହୋଇଛି ସେ ବେଳ । ରାତି ପାହିଲେ ଆଦିବାସୀ ମହିଳା ଓ ପିଲାମାନେ ଟୋକେଇ ଧରି ପହଞ୍ଚୁଛନ୍ତି ଗଛ ମୂଳରେ । ସଞ୍ଜ ନଇଁବା ପର୍ଯ୍ୟନ୍ତ ଗଛ ମୂଳରୁ ସଂଗ୍ରହ କରୁଛନ୍ତି ମହୁଲ ଫୁଲ । ଘରେ ଘରେ ଏବେ ମହୁଲ ଫୁଲ ଶୁଖୁଥିବାର ଦେଖିବାକୁ ମିଳୁଛି । ମହୁଲ ଫୁଲ ଫୁଟିବା ସମୟରେ ବନବାସୀମାନେ ଅନ୍ୟ କାମଧନ୍ଦା ଛାଡି ଦିଅନ୍ତି । ସେମାନଙ୍କ କହିବା କଥା, ଗୋଟିଏ ବଡ ମହୁଲ ଗଛରୁ ଦିନକୁ ପ୍ରାୟ ୪ କେଜି ମହୁଲ ଫୁଲ ଝଡିଥାଏ । ଆଉ ଗୋଟିଏ ଗଛରେ ୩୦ରୁ ୪୦ ଦିନ ପର୍ଯ୍ୟନ୍ତ ଫୁଲ ଫୁଟିଥାଏ । ଦୁଃଖର ବିଷୟ, ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ସେମାନଙ୍କ ଜୀବିକା ନିର୍ଭର କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହାର ବିକ୍ରିବଟା ଲାଗି କୌଣସି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରାଯାଇନାହିଁ ।
ଏବେ ବାହାର ରାଜ୍ୟର ବେପାରୀମାନେ ଏଠାରେ ଡେରା ପକାଇଛନ୍ତି । କେଜି ୩୫ରୁ ୪୦ ଟଙ୍କା ମଧ୍ୟରେ କିଣି ନେଉଛନ୍ତି । ଏହାଦ୍ୱାରା ବନବାସୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଯଦିଓ ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ପଞ୍ଚାୟତକୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି, ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବା ଦରକାର ।
୭ରୁ ୧୦ ଦିନ ପର୍ଯ୍ୟନ୍ତ ଖରାରେ ଶୁଖିବା ପରେ ବିକ୍ରି ଯୋଗ୍ୟ ହୋଇଥାଏ ମହୁଲ ଫୁଲ । ଜଙ୍ଗଲରେ ମହୁଲ ଗଛର ଅଭାବ ନାହିଁ । ଏହା ଉପରେ ରହିଛି ସବୁ ବନବାସୀଙ୍କ ହକ୍ । କିନ୍ତୁ ସରକାର ସ୍ୱତନ୍ତ୍ର ଦର ନିର୍ଦ୍ଧାରଣ କରୁନଥିବାରୁ ବନବାସୀମାନେ ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ।


Comments are closed, but trackbacks and pingbacks are open.