
କଟକ,(ବି.ବି.ନୁ୍ୟଜ): ବଦଳି ହୋଇ ଆସିଲା ପରେ ମଧ୍ୟ ପୂର୍ବ ଥାନା ଅଞ୍ଚଳରୁ ଲାଞ୍ଚ ଖାଇବା ନିଶା ଛାଡ଼ିନଥିଲା ପୁଲିସ୍ ବାବୁଙ୍କୁ । ଚାକିରି ଗୋଟିଏ ଥାନାରେ କରି ଅନ୍ୟ ଏକ ଥାନାର ମୋକଦ୍ଧମା ସମାଧାନ କରିବା ପାଇଁ ଗୋଟିଏ ପକ୍ଷଠାରୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମଧୁପାଟଣା ଥାନା ଏଏସ୍ଆଇ ପ୍ରଣବ କିଶୋର ପ୍ରହରାଜ । ଅଭିଯୋଗକାରୀଙ୍କଠାରୁ ନଗଦ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଡିଭିଜନ୍ କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି ଏହି ଲାଞ୍ଚୁଆ ଏଏସ୍ଆଇଜଣକ । ଅଭିଯୁକ୍ତ ଏଏସ୍ଆଇଙ୍କଠାରୁ ଭିଜିଲାନ୍ସ ଟିମ୍ କେମିକାଲ୍ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି ।
ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ପ୍ରଣବଙ୍କ କ୍ୱାର୍ଟର୍ସ ସମେତ ମଧୁପାଟଣା ଥାନାରେ ଚଢ଼ଉ କରି ବହୁ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ସେହିପରି ତାଙ୍କ ପୈତୃକ ଘର କାକଟପୁର ଅଞ୍ଚଳରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢ଼ଉ କରି ଖୋଳତାଡ଼ କରୁଛି । ଲାଞ୍ଚୁଆ ପୁଲିସ ବାବୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଓ ବୀମା ଆଦିରେ ଜମା ହୋଇଥିବା ଅର୍ଥ କେଉଁ ସୂତ୍ରରୁ ଆସୁଥିଲା ସେସବୁର ଯାଞ୍ଚ୍ କରୁଛି ଭିଜିଲାନ୍ସ ।
ସୂଚନାଯୋଗ୍ୟ, ବିଡ଼ାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ଅଞ୍ଚଳରେ ରହୁଥିବା ସଞ୍ଜୀବ କୁମାର ବେହେରାଙ୍କ ବିରୋଧରେ ଦୀର୍ଘ ଦିନ ତଳୁ ଏକ ଲୋନ୍ ସଂକ୍ରାନ୍ତୀୟ ମାମଲା ଥିଲା । ସେତେବେଳେ ବିଡ଼ାନାସୀ ଥାନାରେ ଏଏସ୍ଆଇ ଥିବା ପ୍ରଣବ ପ୍ରହରାଜ ଏହି ମାମଲାର ସମାଧାନ କରିଦେବା ପାଇଁ ସଂଜୀବଙ୍କୁ ଶୋଷଣ କରୁଥିଲେ । ଅପରପକ୍ଷ ସହ ମାମଲାର ସମାଧାନ କରିଦେବା ପ୍ରତିଶ୍ରୁତିରେ ଟଙ୍କା ନେଉଥିଲେ ମଧ୍ୟ ଦିନ ଗଡ଼ାଇ ଆସୁଥିଲେ । କେବଳ ସେତିକି ନୁହେଁ, ୨ ବର୍ଷରୁ ଅଧିକ ସମୟ ହେବ ଶ୍ରୀ ପ୍ରହରାଜ ବିଡ଼ାନାସୀ ଥାନାରୁ ବଦଳି ହୋଇ ମଧୁପାଟଣା ଥାନାରେ ପୋଷ୍ଟିଂ ହୋଇଥିଲେ ମଧ୍ୟ ଏହି ମାମଲାରେ ମୁଣ୍ଡ ପୂରାଉଥିଲେ । ଏଏସ୍ଆଇ ଶ୍ରୀ ପ୍ରହରାଜ ଉକ୍ତ ଲୋନ୍ ସଂକ୍ରାନ୍ତୀୟ ବିବାଦକୁ ନିଜ ହାତରେ ରଖି ଶ୍ରୀ ବେହେରାଙ୍କୁ ଆର୍ଥିକ ଶୋଷଣ କରୁଥିଲେ ବୋଲି ଅଭିଯୋଗ ହୋଇଛି ।
ଶେଷରେ ୨୦ ହଜାର ଟଙ୍କା ହାତଗୁଞ୍ଜା ଦେଲେ ଅପରପକ୍ଷ ସହ ମିଶି ବିବାଦର ସମାଧାନ କରିଦେବେ ଶ୍ରୀ ପ୍ରହରାଜ ଚୂଡାନ୍ତ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଅତିÂ ହୋଇ ଅଭିଯୋଗକାରୀ ଶ୍ରୀ ବେହେରା କଟକ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ଘଟଣାର ଅନୁଧ୍ୟାନ କରିବା ପରେ କଟକ ଭିଜିଲାନ୍ସ ଡିଭିଜନ୍ ଟିମ୍ ଲାଞ୍ଚୁଆ ପୁଲିସ୍ ଅଫିସରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଦାବି ମୁତାବକ ଅଭିଯୋଗକାରୀ ଶ୍ରୀ ବେହେରା କେମିକାଲ୍ ବୋଳା ୨୦ ହଜାର ଟଙ୍କା ନେଇ ଆଜି ବିଜୁ ପ;ନାୟକ ଛକ ନିକଟସ୍ଥ ସାରଳା ଭବନ ନିକଟରେ ପହଞ୍ଚିଥିଲେ । ଏଏସ୍ଆଇ ଶ୍ରୀ ପ୍ରହରାଜ ମଧ୍ୟ ଟଙ୍କା ନେବା ପାଇଁ ସେଠାରେ ହାଜର ହୋଇଯାଇଥିଲେ । ଟଙ୍କା ଦିଆନିଆ ମଧ୍ୟରେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ଏଏସ୍ଆଇଙ୍କୁ ଘଟଣାସ୍ଥଳରେ ମାଡ଼ି ବସିବା ସହ ଟଙ୍କା ଜବତ କରିଥିଲା । ଜଣେ ଏଏସ୍ଆଇ ଏଭଳି ଭାବେ ଗିରଫ ହେବା କଟକ କମିସନରେଟ୍ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।


Comments are closed, but trackbacks and pingbacks are open.