ଭୁବନେଶ୍ୱର,(ବି.ବି.ବ୍ୟୁରୋ): ୧୬ ନମ୍ବର ଜାତୀୟ ରାଜପଥ କଡ଼ ପାତ୍ରପଡ଼ା ଭେନସ୍ ରେଷ୍ଟୁରାଣ୍ଟ୍ ନିକଟରେ ଥିବା ଏକ ବହି ଦୋକାନରେ ଗତକାଲି ରାତିରେ ୩ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି । ଲୁଟେରାଙ୍କ କାର୍ନାମା ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଉତ୍ତୋଳିତ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବାପରେ ପୁଲିସ ସିସିଟିଭି ଫୁଟେଜରୁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ତନାଘନା ଚଳାଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ, ପାତ୍ରପଡ଼ାରେ ରହୁଥିବା ହରମୋହନ ବେହେରା ଓ ତାଙ୍କ ଭିଣୋଇ କମଳ ଲୋଚନ ମଲ୍ଲ ଭେନସ୍ ରେଷ୍ଟୁରାଣ୍ଟ୍ ନିକଟରେ ‘ହରେକୃଷ୍ଣ ଏୟାର ବୁକ୍ ଷ୍ଟୋର’ କରିଛନ୍ତି । ଗତକାଲି ରାତି ୧୦ଟାରେ ହରମୋହନ ଦୋକାନର କାରବାର ଟଙ୍କା ନେଇ ଘରକୁ ଯାଇଥିଲେ । ଦୋକାନରେ ଭିଣୋଇ କମଳ ଲୋଚନ ଶୋଇବାକୁ ଯାଉଥିଲେ । ରାତି ପ୍ରାୟ ସାଢ଼େ ୧୦ଟାରେ ସେ ଦେକାନ ସଟର ଅଧା ପକାଇ ଓଳାଉଥିଲେ । ଏହି ସମୟରେ ଏକ ବାଇକ୍ରେ ୩ ଯୁବକ ସେଠାରେ ପହଞ୍ଚିଥିଲେ । ଦୁଇ ଯୁବକ ଦୋକାନ ଭିତରେ ପଶି କମଳଲୋଚନଙ୍କୁ ବନ୍ଧୁକ ଦେଖାଇ ତାଙ୍କ ମୋବାଇଲ ଫୋନ୍ ଓ କ୍ୟାସ୍ ବାକ୍ସରୁ ୨୧ ଶହ ଟଙ୍କା ନେଇ ପଳାଇଥିଲେ । ଭୟଭୀତ କମଳଲୋଚନ ଏନେଇ ହରମୋହନଙ୍କୁ ଫୋନ୍ କରି ଜଣାଇଥିଲେ । ହରମୋହନ ଦୋକାନରେ ପହଞ୍ଚି ଘଟଣା ବିଷୟରେ ଜାଣି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଆଜି ପୁଲିସ ତାଙ୍କ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ସିସିଟିଭି ଫୁଟେଜ୍ରୁ ଏକ ବାଇକ୍ରେ ୩ ଲୁଟେରା ଖଣ୍ଡଗିରି ପଟୁ ସର୍ଭିସ ରୋଡରେ ଆସି ତାଙ୍କ ଦୋକାନ ସମ୍ମୁଖରେ ରଖିଥିଲେ । ବାଇକ୍ରୁ ପ୍ରଥମେ ଜଣେ ବନ୍ଧୁକଧାରୀ ଯୁବକ ଓହ୍ଲାଇ ଦୋକାନ ଭିତରେ ପଶିଥିଲା । ଅନ୍ୟ ଜଣେ ତାଙ୍କ ପଛେ ପଛେ ପଶିଥିଲା । ଜଣେ ଯୁବକ ବାଇକ୍ ଷ୍ଟାର୍ଟ କରି ବାହାରେ ଅପେକ୍ଷା କରିଥିଲା । ଲୁଟ୍ପାଟ ପରେ ୩ ଲୁଟେରା ବାଇକ୍ରେ ତମାଣ୍ଡୋ ଆଡ଼େ ପଳାଇଥିବା ଜଣା ପଡ଼ିଥିଲା । ସିସିଟିଭି ଫୁଟେଜରୁ ପୁଲିସ ଲୁଟେରାଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
Comments are closed, but trackbacks and pingbacks are open.