ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା । ମଙ୍ଗଳବାର ଭୋରୁ ଜଣେ ରେଳ କର୍ମଚାରୀଙ୍କୁ ଆଦିମାତା କଲୋନୀ ନିକଟରେ ୩ ଲୁଟେରା ବନ୍ଧୁକ ଓ ଖଣ୍ଡା ଦେଖାଇ ଲୁଟି ନେଇଛନ୍ତି ୮୦ ଗ୍ରାମ୍ ସୁନା । ଲୁଟ୍ର ଶିକାର ହୋଇଛନ୍ତି ରେଳବାଇ ଚିଫ୍ ଲାବରେଟୋରୀ ଅଧୀକ୍ଷକ ଉମାକାନ୍ତ ମିଶ୍ର । ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ଉମାକାନ୍ତ ତାଙ୍କ ପତ୍ନୀ ସୁପ୍ରଭା ରଥ, ୧୪ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ସହ ରେଳ କଲେନୀରେ ରହୁଛନ୍ତି । ମଙ୍ଗଳବାର ଭୋର ୫ଟା ବେଳେ ଉମାକାନ୍ତ ସପରିବାର ବାହାରିଥିଲେ ନିଜ ଗାଁ ବ୍ରହ୍ମପୁରକୁ । ଏହି ସମୟରେ ୩ ଜଣ ଯୁବକ ତାଙ୍କ ଘର ଠାରୁ କିଛି ଦୂରରେ ଠିଆ ହୋଇଥିଲେ । ଅଟୋକୁ ପିଛା କରି ସେମାନେ ଆଦିମାତା କଲୋନୀ ନିକଟରେ ଗାଡ଼ି ଅଟକାଇ ଥିଲେ । ୩ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ମୁହଁରେ କପଡା ବନ୍ଧିଥିଲେ ଓ ଅନ୍ୟ ଜଣ ହେଲ୍ମେଟ୍ ପିନ୍ଧିଥିଲା । ଦୁଇ ଜଣଙ୍କ ହାତରେ ବନ୍ଧୁକ ଓ ଖଣ୍ଡା ଥିଲା । ଏମାନେ ପ୍ରଥମେ ଉମାକାନ୍ତଙ୍କ ଓ ତାଙ୍କ ପତ୍ନୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ପୁଅ ଝିଅ ଓ ଚାଳକ ଅଟୋରେ ବସିଥିଲେ । ଜଣେ ଲୁଟେରା ଝିଅ ମୁଣ୍ଡରେ ବନ୍ଧୁକ ଲଗାଇଥିଲା । ଆଉ ଦୁଇ ଜଣ ଉମାକାନ୍ତଙ୍କୁ ବନ୍ଧୁକ ଓ ସୁପ୍ରଭାଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରି ପ୍ରଥମେ ସୁପ୍ରଭାଙ୍କ ସୁନା ଚେନ୍ ଛିଡ଼ାଇ ନେଇଥିଲେ । ପରେ କାନଫୁଲ ଓ ସୁନା କଙ୍କଣ ଖୋଲି ନେଇଥିଲେ । ଅନ୍ୟ ଜଣେ ଲୁଟେରା ଉମାକାନ୍ତଙ୍କ ହାତମୁଦି ମଧ୍ୟ ଛଡାଇ ନେଲା । ପରେ ମନିପର୍ସ ନେଇ ୩ ଲୁଟେରା ଫେରାର୍ ହୋଇଯାଇଥିଲେ ।
ଉମାକାନ୍ତ ସଙ୍ଗେସଙ୍ଗେ ପୁଲିସ୍ କଣ୍ଟ୍ରୋଲ୍ ରୁମ୍ ୧୦୦କୁ ଫୋନ୍ କରିଥିଲେ । ପୁଲିସ୍ ପହଞ୍ଚି ଉମାକାନ୍ତଙ୍କୁ ଥାନାକୁ ନେଇଥିଲା । ଥାନାରେ ଉମାକାନ୍ତ ଏତଲା ଦେବାପରେ ପୁଲିସ୍ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି । ହେଲେ ଲୁଟେରାଙ୍କ ଟେର ପାଇନାହିଁ ।
Comments are closed, but trackbacks and pingbacks are open.