ବାଲେଶ୍ୱର,(ବି.ବି.ନୁ୍ୟଜ୍): ସହିପାରିଲେନି ବନ୍ଧୁଙ୍କ ମୃତୁ୍ୟ । ବନ୍ଧୁଙ୍କ ଜୁଇ ଜାଳିବା ପରେ ଆତ୍ମହତ୍ୟା କଲେ ଆଉ ଜଣେ ବନ୍ଧୁ । ଏଭଳି ଦୁଃଖଦ ଘଟଣା ଘଟିଛି ଶୁକ୍ରବାର ବାଲେଶ୍ୱର ଜିଲ୍ଲା ହଳଦିପଦା ଫାଣ୍ଡି ଅନ୍ତର୍ଗତ ସାହୁପଡ଼ା ଅଞ୍ଚଳରେ । ଗୋଟିଏ ଦିନରେ ୨ ଯୁବକ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ବନ୍ଧୁ ତ୍ରିଲୋଚନଙ୍କ ମୃତୁ୍ୟରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ କୀର୍ତ୍ତିଦା ନନ୍ଦ ଜେନା(୩୦) ।
ଘରେ କେହି ନ ଥିବା ବେଳେ ତ୍ରିଲୋଚନ ସାହୁ(୪୦) ନିଜ ଘର ବାରଣ୍ଡାର ଏକ ରେଲିଂରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ । ସେ କାହିଁକି ଆତ୍ମହତ୍ୟା କରିଥିଲେ ତାହା ଏବେବି ଅସ୍ପଷ୍ଟ । ପାରିବାରିକ ସମସ୍ୟାକୁ ନେଇ ସେ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ତ୍ରିଲୋଚନଙ୍କ ମୃତୁ୍ୟ ଖବର ପ୍ରଚାର ହେବା ପରେ ଗ୍ରାମବାସୀ ପୁଲିସ୍କୁ ଖବର ନ ଦେଇ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ଏଥିରେ କୀର୍ତ୍ତି ମଧ୍ୟ ଯୋଗଦେଇଥିଲେ ।
ତ୍ରିଲୋଚନଙ୍କ ଅନ୍ତିମ ସଂସ୍କାର ପରେ କୀର୍ତ୍ତି ନିଜ ଘରକୁ ଫେରିଥିଲେ । ଶବକୁ ଛୁଇଁ ଆସିଥିବାରୁ ସ୍ତ୍ରୀ ତାଙ୍କୁ ଗାଧୋଇ ଆସିବାକୁ କହିଥିଲେ । ସ୍ତ୍ରୀ କାମରେ ବ୍ୟସ୍ତଥିବା ବେଳେ କୀର୍ତ୍ତି ଘର ଭିତରକୁ ଯାଇଥିଲେ । ଦୁଇ ମହଲା ଝରକା ର୍ୟାଲିଂରେ ଗାମୁଛା ବାନ୍ଧି ଥିଲେ । ବେକରେ ଗାମୁଛା ଲଗାଇ ବାହାରକୁ ଝୁଲିଥିଲେ । ତାଙ୍କ ସ୍ତ୍ରୀ ଏହା ଦେଖିବା ପରେ ପଡେ଼ାଶୀ ଲୋକଙ୍କୁ ଖବର ଦେଇଥିଲେ । ସେମାନେ କୀର୍ତ୍ତିଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସଦର ଥାନାରେ ୫୪/୧୯ ଅନୁଯାୟୀ ଏକ ଅପମୃତ ମାମଲା ରୁଜୁ ହେଉଛି । ତେବେ ଉଭୟଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନି ।
ସୂଚନାଯୋଗ୍ୟ, ତ୍ରିଲୋଚନ ଓଲ୍ଡିଂ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା ବେଳେ ଓ କୀର୍ତ୍ତି ଡ୍ରାଇଭର ଥିଲେ । ସେମାନଙ୍କ ମଧ୍ୟରୁ ଭଲ ବନ୍ଧୁତା ଥିଲା । କୀର୍ତ୍ତିଙ୍କ ୨ ଝିଅ ଓ ତ୍ରିଲୋଚନର ୨ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।


Comments are closed, but trackbacks and pingbacks are open.