
ମୟୂରଭଞ୍ଜ : ଠାକୁରମୁଣ୍ଡା ରେଞ୍ଜ ଅଧୀନ କେନ୍ଦୁମୁଣ୍ଡି ସଂରକ୍ଷିତ ଅନ୍ତର୍ଗତ ଡୁମୁରଡିହା ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ ଭାଗ କରୁଥିବା ସମୟରେ ୬ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ସେମାନେ ନିଆଁ ଲଗାଇ ଜନ୍ତୁ ଶିକାର କରୁଥିବା ମଧ୍ୟ ଅନୁମାନ କରୁଛି ବନବିଭାଗ । ଗତକାଲି ବିଳମ୍ବିତ ରାତିରେ ଏକଟିମ ନିଆଁ ଲିଭାଇ ଘରକୁ ଫେରୁଥିବା ସମୟରେ ସନ୍ଦେହଜନକ ଭାବରେ ଧନୁତୀର ଧରି ଗୋଟିଏ ଜାଗାରେ ୬ ଜଣଙ୍କୁ ଦେଖି ବନବିଭାଗ କର୍ମଚାରୀ ମାନେ ଗାଡି ଅଟକାଇଥିଲେ।ଗାଡ଼ିଦେଖି ଘଟଣାସ୍ଥଳରୁ ଖସି ଯିବାପାଇଁ ଉଦ୍ୟମ କରୁଥିବା ବେଳେ ବନବିଭାଗ କର୍ମଚାରୀମାନେ ଛଅଜଣଙ୍କୁ କାବୁକରିନେବା ସହିତ ଘଟଣାସ୍ଥଳରୁ ଧନୁତୀର ସହିତ ୧୨ କେଜି କୁଟୁରା ମାଂସ ଜବତ କରିଥିଲା ବନବିଭାଗ। ଏନେଇ ଠାକୁରମୁଣ୍ଡା ରେଞ୍ଜ ଅଫିସର କିଶୋର କୁମାର ପାଣିଗ୍ରାହୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗିରଫ ୬ଜଣ ଶିକାରୀ ହେଲେ ନରସିଂହ ପାତ୍ର, ମାଙ୍ଗସା ହୋ, ଅଙ୍ଗା ହୋ,ମାନିକରାମ ଜାମଡା, ଲକ୍ଷ୍ମଣ ହୋ ଏବଂ କାନହୁଁ ହୋ ବୋଲି ଜଣାପଡିଛି ।


Comments are closed, but trackbacks and pingbacks are open.