ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ରାସ୍ତାଘାଟ ଓ ରେଳଧାରଣା ପାଣିରେ ବୁଡ଼ି ରହିଛି । ରେଳ ଧାରଣାରେ ପାଣି ଯୋଗୁ ମୁମ୍ବାଇରୁ କୋହ୍ଲାପୁର ଯାଉଥିବା ଯାତ୍ରୀବାହୀ ଟ୍ରେନ ‘ମହାଲକ୍ଷ୍ମୀ ଏକ୍ସପ୍ରେସ୍’କୁ ଥାନେ ଜିଲ୍ଲାର ବଦ୍ଲାପୁରଠାରେ ଅଟକି ରହିଥିଲା । ସେଥିରେ ପ୍ରାୟ ୧୦୫୦ ଜଣ ଯାତ୍ରୀ ଥିଲେ । ପ୍ରାୟ ୧୮ ଘଣ୍ଟାର ଯନ୍ତ୍ରଣା ଭୋଗିଲେ ଯାତ୍ରୀ । ୬ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗନ୍ତବ୍ୟସ୍ଥଳକୁ ସ୍ୱତନ୍ତ୍ର ଟ୍ରେନରେ ପଠାଇ ଦିଆଯାଇଛି ।
ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ୧୦୫୦ ଯାତ୍ରୀଙ୍କୁ ଧରି ଟ୍ରେନଟି ମୁମ୍ବାଇରୁ କୋହ୍ଲାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ଉଲ୍ଲାସ ନଦୀର ବନ୍ୟାଜଳ ଯୋଗୁ ରେଳଧାରଣା ବର୍ଷାପାଣିରେ ବୁଡି ରହିଥିବା । ଫଳରେ ଟ୍ରେନଟି ବିଳମ୍ବିତ ରାତିରେ ବଙ୍ଗାନି ଷ୍ଟେସନ ଅତିକ୍ରମ କରିବା ପରେ ବଦଲାପୁର ଷ୍ଟେସନ ପୂର୍ବରୁ ଚାମତୋଲି ନିକଟରେ ଅଟକି ରହିଥିଲା । ସୂଚନା ମିଳିବା ପରେ ଆଜି ସକାଳ ୯ ଟାରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା । ଏଥିରେ ନୌସେନା, ବାୟୁସେନା, ଏନ୍ଡିଆରଏଫ ଓ ସ୍ଥାନୀୟ ପ୍ରଶାସନିକ ଟିମ୍ ସାମିଲ ହୋଇଥିଲେ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କ ସୂଚନା ଅନୁଯାୟୀ ଉଦ୍ଧାର କାର୍ଯ୍ୟରେ ନୌସେନାର ୭ଟି ଟିମ୍, ବାୟୁସେନାର ୨ଟି ହେଲିକପ୍ଟର, ସେନାର ୨ଟି ଟିମ୍, ୨ଟି ଡାଇଭିଂ ଟିମ୍ ସହ ଏନ୍ଡିଆରଏଫ, ରେଳବାଇ ଓ ସ୍ଥାନୀୟ ଉଦ୍ଧାରକାରୀ ଟିମ୍ ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ପ୍ରଥମେ ୯ ଜଣ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଅନ୍ୟ ମହିଳା ଯାତ୍ରୀ ଓ ବରିଷ୍ଠ ନାଗରିକ ଉଦ୍ଧାର ହୋଇଥିଲେ । ଶେଷରେ ଅପରାହ୍ନ ୩ଟାରେ ଟ୍ରେନର ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ଏବେ ବି ମହାଲକ୍ଷ୍ମୀ ଏକ୍ସପ୍ରେସ ପାଣି ଭିତରେ ଅଟକି ରହିଛି ।
ତେବେ ଯାତ୍ରୀଙ୍କୁ ନେଇ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । ପ୍ରଥମେ ଖବର ଆସିଥିଲା କି ଟ୍ରେନ୍ ଭିତରେ ପ୍ରାୟ ୨ ହଜାର ଯାତ୍ରୀ ରହିଛନ୍ତି । କେନ୍ଦ୍ରୀୟ ରେଳବାଇ କହିଥିଲା ଯେ ଟ୍ରେନରେ ଥିବା ସମସ୍ତ ୭୦୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ପରେ ରେଳବାଇ ପକ୍ଷରୁ କୁହାଯାଇଛି କି ଟ୍ରେନ୍ରେ ୧୦୫୦ ଯାତ୍ରୀ ଥିଲେ ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଯାତ୍ରୀମାନଙ୍କୁ ପ୍ରଥମେ ବଦଲାପୁରକୁ ଅଣାଯାଇଥିଲା । ସେଠାରୁ ବସ୍ ଯୋଗେ ସେମାନଙ୍କୁ କଲ୍ୟାଣ ଷ୍ଟେସନକୁ ନିଆଯାଇଥିଲା । ସେଠାରେ ଯାତ୍ରୀମାନଙ୍କୁ ଖାଦ୍ୟ ଓ ପାନୀୟ ଦିଆଯାଇଥିଲା । ପରେ ଏକ ୧୯ କୋଚ୍ ବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନରେ ସେମାନଙ୍କୁ ନିଜର ଗନ୍ତବ୍ୟସ୍ଥଳ କୋହ୍ଲାପୁର ଅଭିମୁଖେ ପଠାଯାଇଥିଲା ।
ପୂର୍ବରୁ ରେଳ କର୍ତ୍ତୃପକ୍ଷ ଉଦ୍ଧାର କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଯାତ୍ରୀ ଟ୍ରେନରୁ ନ ଓହ୍ଲାଇବାକୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ରେଳୱେ ଟ୍ରାକ୍ରେ ପାଣି ଜମି ରହିଥିବା କାରଣରୁ ମୁମ୍ବାଇକୁ ଆସୁଥିବା ୧୩ଟି ଟ୍ରେନର ଗତିବିଧି ବଦଳାଇ ଦିଆଯିବା ସହ ୨ଟି ଟ୍ରେନ ରଦ୍ଦ କରିଦିଆଯାଇଛି । ଖରାପ ପାଗ ଏବଂ ଲଗାତର ବର୍ଷା କାରଣରୁ ରାଜ୍ୟରେ ବିମାନ ଉଡ଼ାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଛତ୍ରପତି ଶିବାଜୀ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର ଲୋକସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୭ଟି ବିମାନର ଉଡ଼ାଣ ରଦ୍ଦ କରାଯିବା ସହ ୯ଟି ବିମାନର ଗତିବିଧି ବଦଳାଇ ଦିଆଯାଇଛି । ଏହା ବ୍ୟତୀତ ଅନ୍ୟ କେତେକ ବିମାନ ୩୦ ମିନିଟ୍ ବିଳମ୍ବରେ ଚାଲୁଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।
ଲୋକଙ୍କ ସୁରକ୍ଷାକୁô ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାୟଗଡ଼, ରତ୍ନଗିରି, ଠାଣେ, ପାଲଘର, ଆଦି କେତେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛି । ସମୁଦ୍ର କୂଳିଆ ଅଞ୍ଚଳରୁ ଯଥାସମ୍ଭବ ଦୂରତା ବଜାଏ ରଖିବାକୁ ମଧ୍ୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଜରୁରୀକାଳିନ ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ କେବଳ ମୁମ୍ବାଇରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଛି । ବାୟୁ ସେନାର ଏକ ଉଦ୍ଧାରକାରୀ ଦଳ ଥାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ୧୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ହେଲିକ୍ୟପ୍ଟର ଯୋଗେ ଉଦ୍ଧାର କରିଛନ୍ତି । ବାୟୁସେନାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଥାନେର ଏକ ପେଟ୍ରୋଲ ପମ୍ପରେ ୭୦ ଜଣ ଲୋକ ଜୀବନ ବଞ୍ଚାଇ ଠିଆ ହୋଇ ରହିଥିଲେ । ପରେ ସେମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.