ବନ୍ୟା ବିପନ୍ନଙ୍କ ପାଇଁ ଦୁଃସାହସିକ ଯାତ୍ରା

Get real time updates directly on you device, subscribe now.

ନବରଙ୍ଗପୁର, (ବି.ବି.ନ୍ୟୁଜ୍): ଲଗାଣ ବର୍ଷାରେ ଉଛୁଳୁଥିଲା ଭାସ୍କେଲ ଓ ଇନ୍ଦ୍ରାବତୀ ନଦୀର ସଙ୍ଗମସ୍ଥଳ । କୋଷାଗୁମୁଡ଼ା ବ୍ଲକର ଘାଟବାସୁଲିରେ ଥିଲା ଆକାତକାତ ପାଣି । ଏମିତି ସୁଅ ଛୁଟୁଥିଲା ଯେ, ଛାତି ଥରାଇ ଦେଉଥିଲା । ଜୀବନ ରକ୍ଷାକାରୀ ସବୁ ଉପକରଣ ଥାଇ ବିପଦପୂର୍ଣ୍ଣ ଜଳଯାତ୍ରା କରିବା ପୁରୁଷମାନଙ୍କ ପାଇଁ କାଠିକାର ପାଠ ଥିଲା । ହେଲେ ନିଜ ସାହସିକତାର ପରିଚୟ ଦେଇଥିଲେ ମହିଳା ବିଡିଓ ଶାନ୍ତିପ୍ରଭା ପ୍ରଧାନ । ଲହଡ଼ି ଭାଙ୍ଗୁଥିବା ଗଭୀର ଜଳରାଶି ଭିତରେ ବୋଟ୍ରେ ଯାତ୍ରା କରି ପହଞ୍ଚିଥିଲେ ଅନେକ ଜଳବନ୍ଦୀ ଗାଁରେ । ପାଣି ଘେରରେ ଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦେଇଥିଲେ ରିଲିଫ୍ । ପାଣି ପଶିବାର ମାତ୍ର ୩ ଘଣ୍ଟା ଭିତରେ ବିପନ୍ନଙ୍କ ପାଖରେ ପହଞ୍ଚି ଯାଇଥିଲେ । ସାଙ୍ଗରେ ଥିଲେ ଅନ୍ୟ ଅଧିକାରୀମାନେ । ବନ୍ୟା ପରିସ୍ଥିତିର ତ୍ୱରିତ ମୁକାବିଲା କରି ଫେରିବା ବେଳେ କିଟ୍ କିଟ୍ ଅନ୍ଧାର ରାତିରେ ନଦୀ ଭିତରେ ଫସି ଯାଇଥିଲା ବୋଟ୍ । ତଥାପି ବହୁ କଷ୍ଟରେ ପହଞ୍ଚିଥିଲେ କୂଳରେ । ତାଙ୍କର ଏଭଳି ସାହସିକତା ପାଇଁ ବିଭିନ୍ନ ମହଲରେ ଦିଆଯାଇଛି ସାବାସୀ ।
ତିନି ଦିନର ଲଗାଣ ବର୍ଷା ପରେ ଅଚାନକ ଉପମୁଣ୍ଡର ପାଣି ମାଡ଼ି ଆସିଥିଲା ତଳମୁଣ୍ଡକୁ । କୋଷାଗୁମୁଡା ବ୍ଲକର ୯ଟି ଗାଁକୁ ଜଳବନ୍ଦୀ କରିଦେଇଥିଲା । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୃଷ୍ଟି ହୋଇଥିଲା ଏଭଳି ପରିସ୍ଥିତି । ପରିସ୍ଥିତି ଭୟଙ୍କର ହେଉଥିବା ଦେଖି ସଂଗେ ସଂଗେ ପ୍ରସ୍ତୁତ ହୋଇଥିଲେ ବିଡିଓ ଶାନ୍ତିପ୍ରଭା । ଓଡ୍ରାଫ ଟିମ୍ ସହିତ ରବର ବୋଟରେ ଜଳବନ୍ଦୀ ଗାଁକୁ ବାହାରିଥିଲେ । କୋଡିଙ୍ଗା ତହସିଲଦାର ସବ୍ୟସାଚୀ ଜେନା, ଅନ୍ୟ କେତେଜଣ ସରକାରୀ କର୍ମଚାରୀ ଏବଂ ପୁଲିସ୍ କର୍ମଚାରୀଙ୍କୁ ଧରି ୨ଟି ମୋଟର ବୋଟ୍ରେ ରିଲିଫ୍ ସାମଗ୍ରୀ ଧରି ପହଞ୍ଚିଥିଲେ ବନ୍ୟା ବିପନ୍ନଙ୍କ ନିକଟରେ । ସେସବୁ ସାମଗ୍ରୀ ବାଣ୍ଟି ଫେରିବା ବେଳକୁ କିଟ୍ କିଟ୍ ଅନ୍ଧାର ହୋଇଯାଇଥିଲା । ଭାସ୍କେଲ ନଦୀର ସେପଟେ ଅର୍ଥାତ ଛତିଶଗଡ ଏନ୍ଏମ୍ଡିସି ନଗରନାର୍ ଅଞ୍ଚଳରେ ଜଳୁଥିଲା ଲାଇଟ୍ । କିନ୍ତୁ ଏପଟେ ଓଡିଶା କୂଳ ଥିଲା ଅନ୍ଧାର । ସମସ୍ତଙ୍କୁ ପହଞ୍ଚିବାର ଥିଲା ନବରଙ୍ଗପୁର ଜିଲ୍ଲା ବରଗାଁ ନିକଟ ଭାସ୍କେଲ ନଈ କୂଳରେ । ବିଡିଓ ଥିବା ପ୍ରଥମ ମୋଟର୍ ବୋଟ୍ ବାଟବଣା ହୋଇଯାଇଥିଲା । ପରେ ବହୁ କଷ୍ଟରେ ଜିପିଆର୍ଏସ୍ ସିଗ୍ନାଲକୁ ପାଥେୟ କରି ନଦୀର ଅଙ୍କାବଙ୍କା ଜଳପଥରେ ଆସି ପହଞ୍ଚିଥିଲା ବରଗାଁ କୂଳରେ । ସେତେବେଳକୁ ରାତି ପ୍ରାୟ ସାଢେ ୮ଟା ବାଜି ସାରିଥିଲା ।
ଦ୍ୱିତୀୟ ରବର ବୋଟ୍ଟି ବାଟବଣା ହୋଇ ଛତିଶଗଡ ଆଡକୁ ଚାଲିଯାଇଥିଲା । ଦୀର୍ଘ ୩ ଘଣ୍ଟା ଧରି ଘୋର ଅନ୍ଧାର ରାତିରେ ଅକାତକାତ ପାଣିରେ ଘୂରି ବୁଲିଥିଲା । ଜିପିଆରଏସ୍ ଦେଖିବା ଲାଗି ଉଦ୍ୟମ କରାଯାଇଥିଲେ ବି ଆରମ୍ଭ ହୋଇଯାଇଥିଲା ବର୍ଷା । ଲହଡ଼ିରେ ବୋଟ୍ଟି ପଡ଼ୁଥିଲା, ଉଠୁଥିଲା । ଶେଷରେ ଦ୍ୱିତୀୟ ବୋଟ୍କୁ ଖୋଜି ଆଣିବା ଲାଗି ପ୍ରଥମ ବୋଟ୍କୁ ପଠାଇଥିଲେ ବିଡିଓ । ଖୋଜି ଆଣିବାକୁ ଯାଇ ପ୍ରଥମ ବୋଟ୍ ମଧ୍ୟ ବାଟବଣା ହୋଇଯାଇଥିଲା । ବର୍ଷା ଥମିବା ପରେ ଜିପିଆରଏସ୍ ସିଗ୍ନାଲରେ ଉଭୟ ବୋଟ୍ ରାତି ସାଢେ ୯ଟାରେ କୂଳରେ ପହଞ୍ଚିଥିଲା ।
ଦ୍ୱିତୀୟ ବୋଟ୍ରେ ଥିଲେ ଓଡ୍ରାଫ ଦଳର ଏସ୍. କେ ଦଳେଇ, ପି.କେ, ବାଘ, ଲିପକ୍ ରାଉତ, ଅଶୋକ କୁମାରଙ୍କ ସହ ହୃଷୀକେଶ ମିଶ୍ର, ଫାଲଗୁନୀ ପାତ୍ର, କୋଷାଗୁମୁଡାର ନଟବର ନନ୍ଦ, ଲଳିତ କୁମାର ପଣ୍ଡା, ରାମଲାଲ ଦୁରିଆ, କୋଷାଗୁମଡା ବ୍ଲକର ବରିଷ୍ଠ ନେତା ଯୋଗେନ୍ଦ୍ର ସ୍ୱାଇଁ, ଉକିଆପାଲ୍ଲୀ ସରପଞ୍ଚ ଦେବରାଜ ମାଝୀ ପ୍ରମୁଖ । ଏହାର କିଛି ସମୟ ପରେ ଜଣାପଡିଥିଲା ଯେ, ଜଳବନ୍ଦୀ ଗାଁ ଗୁଡିକରୁ ପାଣି କମୁଛି । ଏହି ଖବର ପାଇବା ପରେ ରାତି ୧୦ଟାରେ ନଦୀକୂଳରୁ ଫେରିଥିଲେ ବିଡିଓ ଶାନ୍ତିପ୍ରଭା । ତାଙ୍କର ଏଭଳି ସାହସିକତା ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ବଣ୍ଟନ କାର୍ଯ୍ୟକୁ ବିଭିନ୍ନ ମହଲରୋ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons