ବରଗଡ଼ରେ ବଧୂହତ୍ୟା!

Get real time updates directly on you device, subscribe now.

ବରଗଡ଼,(ବି.ବି.ନ୍ୟୁଜ୍): ଅଗ୍ନିକୁ ସାକ୍ଷୀ ରଖି ସାତଜନମ ଏକା ସାଙ୍ଗେ ରହିବାକୁ ପ୍ରତିଶ୍ରୁତି ଦେଇଥିବା ସ୍ୱାମୀଙ୍କ ଅସହଯୋଗ ଏବଂ ଶ୍ୱଶୁର ଘର ଲୋକଙ୍କ ଅତ୍ୟାଚାରରେ ତିନି ମାସ ମଧ୍ୟ କାଟି ନପାରି ଯୌତୁକ ଜୁଈରେ ବଳିପଡ଼ିଛି ନବବଧୂ ରୀମା । ଯାହା ସମଗ୍ର ଜିଲ୍ଲାବାସୀଙ୍କୁ ଉଦ୍ବେଳିତ କରିଛି । ଏଭଳି ଏକ ଅଭାବନୀୟ ଘଟଣାକ୍ରମ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ୍ ରେଙ୍ଗାଲପତ୍ରା ଗାଁରେ । ତିନି ମାସ ପୂର୍ବରୁ ବିବାହ ହୋଇଥିବା ରୀମାକୁ ଶାଶୂ ଘର ଲୋକ ଅଧିକ ଯୌତୁକ ଦାବି ସହ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇ ତଣ୍ଟି ଚିପି ମାରିଦେଇଛନ୍ତିି ବୋଲି ଝିଅର ପରିବାରବର୍ଗ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ସୂଚନା ମତେ ଗାଇସିଲେଟ ବ୍ଳକ ଫିରଙ୍ଗିମାଲ ଗାଁର ଛିନୁ ସାହୁଙ୍କ ଝିଅ ରୀମା (୨୧) ୨୦୧୯ ଜୁନ ୩୦ ତାରିଖ ବିଜେପୁର ଥାନା ରେଙ୍ଗାଲପତ୍ରା ଗାଁର ରାମକୃଷ୍ଣ ସାହୁଙ୍କ ପୁଅ ଲଖିନ୍ଦ୍ରକୁ ବିବାହ କରିଥିଲେ । ବିବାହ ସମୟରେ ଛିନୁ ସାଧ୍ୟ ମୁତାବକ ଟଙ୍କା, ସୁନା ସହ ଆସବାବପତ୍ର ଦେଇଥିଲେ । ବିବାହ ପରେ ଆରମ୍ଭ ହୋଇଥିଲା ବରପକ୍ଷଙ୍କ ଅସଲି ଚେହେରା । ସ୍ୱାମୀ ଲଖିନ୍ଦ୍ରଙ୍କ ସମେତ ଶ୍ୱଶୁର ରାମକୃଷ୍ଣ, ଶାଶୁ ଫଗୁନୀ ଏବଂ ଭାଗ୍ୟ ସାହୁ ମିଶି ନବବଧୂ ରୀମାକୁ ୨ ଲକ୍ଷ ନଗଦ ଯୌତୁକ ଦାବିରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିଲେ । ବାପଘରୁ ଉକ୍ତ ଟଙ୍କା ଆଣିବାକୁ ବାରମ୍ବାର ତାଗିଦ ରୀମାଙ୍କ ଜୀବନକୁ ନର୍କରେ ପରିଣତ କରିଥିଲା । ହେଲେ ଭାଗ୍ୟକୁ ଆଦରି ସବୁ ନିର୍ଯାତନା ସହିବାକୁ ରୀମା ବାଧ୍ୟ ହୋଇଥିଲେ । ପୂର୍ବରୁ ଏନେଇ ବାପା ମାଁଙ୍କୁ ସୂଚନା ଦେଇଥିଲେ ବି ଯୋର ଦେଇ ନଥିବା ରୀମା ଶ୍ୱଶୁରଘରର ସବୁ ଅତ୍ୟାଚାର ସହି ଯାଉଥିଲେ । ଗତ ୨୫ ତାରିଖ ଏହାର ଅନ୍ତ ହୋଇଥିଲା । ଯୌତୁକ ଦାବିରେ ହିଂସ୍ର ହୋଇପଡ଼ିଥିବା ରୀମାର ଶାଶୁଘର ଲୋକେ ସଭିଏଁ ମିଣି ୨୫ ତାରିଖ ରାତି ରୀମାଙ୍କୁ ଗାଳିଗୁଲଜ କରି ତଣ୍ଟି ଚିପି ମାରିଦେଇଛନ୍ତିି ବୋଲି ଛିନୁ ସାହୁ ଅଭିଯୋଗ କରିଛନ୍ତି । ଗଣ୍ଡଗୋଳ ପରେ ଝିଅର ଦୁରାବସ୍ଥା ପରେ ସେମାନେ ତାକୁ ବରଗଡ଼ ଡାକ୍ତରଖାନା ଆଣିଥିଲେ ହେଁ ଝିଅ ଘର ଲୋକଙ୍କୁ କାହିଁକି ଖବର ଦେଲେ ନାହିଁ ବୋଲି ଛିନୁ ପ୍ରଶ୍ନ କରିଛନ୍ତି । ଶେଷ ପର୍ଯ୍ୟନ୍ତ ସମୁଦୀ ଘରୁ ଏନେଇ କୌଣସି ସୂଚନା ଦିଆଯାଇ ନଥିବା ସମୟରେ ଅନ୍ୟ ଲୋକଙ୍କ ଠାରୁ ଖବରପାଇ ଏଠାକୁ ଆସିଥିବା ସୂଚନା ଦେଇ ଛିନୁ ସାହୁ ନିଜ ଝିଅ ରୀମାକୁ ମୃତ ଅବସ୍ଥାରେ ପାଇଥିବା ପ୍ରକାଶ କରିଛନ୍ତି । ଏନେଇ ଲିଖିତ ଭାବେ ଛିନୁ ସାହୁ ପୁଲିସ୍ରେ ଅଭିଯୋଗ କରିଛନ୍ତି । ବିଜେପୁର ପୁଲିସ୍ ମାମଲା ରୁଜୁ କରି ବରଗଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons