ବରଗଡ଼ ଓ ଶାସନ କେନାଲର ନବୀକରଣ ପାଇଁ ୪ ଶହ କୋଟି ମଞ୍ଜୁର

Get real time updates directly on you device, subscribe now.

ସମ୍ବଲପୁର : ପଶ୍ଚିମ ଓଡିଶାର ଭାତହାଣ୍ଡି ଭାବେ ପରିଚିତ ହୀରାକୁଦ ସେଚାଞ୍ଚଳର ଚାଷୀଙ୍କ ପାଇଁ ଖୁସି ଖବର । ଏହି ସେଚାଞ୍ଚଳର ଦୁଇ ପ୍ରମୁଖ କେନାଲ ବରଗଡ଼ ଓ ଶାସନ କେନାଲର ନବୀକରଣ ପାଇଁ ୪ ଶହ କୋଟି ଟଙ୍କାର ଏକ ବୃହତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରି ଦେଇଛନ୍ତି । ଯଦ୍ୱାରା ଦୀର୍ଘ ଦଶନ୍ଧି ଧରି ଲାଗି ରହିଥିବା ଜଳସେଚନ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶାପ୍ରକାଶ ପାଇଛି । ବରଗଡ଼ ଏବଂ ଶାସନ କେନାଲର ଜଳସେଚନ ଦ୍ୱାରା ବରଗଡ଼, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଏକ ବିଶାଳ ଅଞ୍ଚଳ ଶସ୍ୟଶ୍ୟାମଳା ହୋଇପାରିଛି । ତେବେ ୬୦ ବର୍ଷରୁ ଉର୍ଦ୍ଧ ପୂରାତନ ଏହି କେନାଲ ଦ୍ୱୟ ମାଧ୍ୟମରେ ଦୀର୍ଘ ୬ ଦଶନ୍ଧି ଧରି କୌଣସି ମରାମତି ବିନା ନିରବଚ୍ଛିନ୍ନ ଭାବେ ବିଭିନ୍ନ ଜଳସେଚିତ ଅଞ୍ଚଳର ଚାଷଜମିକୁ ଜଳଯୋଗଣ ହୋଇଆସୁଛି । ତେଣୁ ବର୍ତ୍ତମାନ ଏହାର ସଂପୂର୍ଣ୍ଣ ନବୀକରଣ କରିବା ନିତାନ୍ତ ଆବଶ୍ୟକ ହୋଇପଡିଛି । ଏହାବ୍ୟତିତ ସେଚାଞ୍ଚଳରେ ସୁବ୍ୟବସ୍ଥିତ ଜଳସେଚନ ସକାଶେ ଏକ ବୃହତ ପ୍ରକଳ୍ପର ଆବଶ୍ୟକତା ମଧ୍ୟ ରହି ଆସିଛି । ଏଭଳି ସ୍ଥିତିରେ ଏହି କେନାଲ ଦ୍ୱୟର ନବୀକରଣ ପାଇଁ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବୃହତ୍ତ ପ୍ରକଳ୍ପକୁ ମଞ୍ଜୁରି ଦେଇଥିବା ବିଭାଗ ସୂତ୍ରରୁ ଜଣାପଡିଛି ।
ସେଥିରୁ ପ୍ରଥମ ପର୍ୟ୍ୟାୟରେ ଶାସନ କେନାଲ ପାଇଁ ପ୍ରାୟ ୧୧୭ କୋଟି ଟଙ୍କାର ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ତେବେ , ଜର୍ମାନୀ ବୈଜ୍ଞାନିକ ଜ୍ଞାନକୌଶଳରେ ହେବାକୁ ଥିବା ଏହି କେନାଲ ଲାଇନିଂ କାର୍ୟ୍ୟ ପ୍ରବାହିତ ଜଳ ମଧ୍ୟରେ ମଧ୍ୟ ହୋଇପାରିବ । ଏଥିରେ କେନାଲର ହିଡ ଏବଂ ଶଯ୍ୟାରେ ପ୍ରାୟ ୧୨ ମିମି ଓସାର ବିଶିଷ୍ଟ ଏକ ସିମେଣ୍ଟ କାର୍ପଟି ବିଛାଇବା ଯୋଜନା ରହିଛି । ଓଡିଶା ନିର୍ମାଣ ନିଗମ ପକ୍ଷରୁ ହେବାକୁ ଥିବା ଏହି ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟରେ ଶାସନ କେନାଲର ମୁଖ୍ୟ ସ୍ରୋତର ୧୦ କିମି ପର୍ୟ୍ୟନ୍ତ ଅଂଶକୁ ନବୀକରଣ କରାଯିବ ।
ସେହିପରି ଦ୍ୱିତୀୟ ପର୍ୟ୍ୟାୟରେ ଶାସନ କେନାଲର ଅବଶିଷ୍ଟ ଅଂଶ ସହିତ ବରଗଡ଼ ପାଇଁ ୩ ଶହ କୋଟିରୁ ଅଧିକ ବ୍ୟୟ ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ପ୍ରକଳ୍ପ ଦ୍ୱୟ ନିର୍ମାଣ ପରବର୍ତ୍ତୀ କାର୍ୟ୍ୟକ୍ଷମ ହେଲେ ସମ୍ବଲପୁର ସହ ବରଗଡ଼ ଓ ସୁବର୍ଣ୍ଣପୁର ଆଦି ତିନି ଜିଲ୍ଲାର ଲକ୍ଷାଧିକ ଚାଷୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଏ । ଅପରପକ୍ଷରେ ସରକାରଙ୍କ ଏଭଳି ଚାଷ ଓ ଚାଷୀଙ୍କ ବିକାଶୋନ୍ମଖି ପଦକ୍ଷେପକୁ ନେଇ ଚାଷୀ ମହଲରେ ଖୁସିର ଲହରୀ ଖେଳିଯିବା ସହ ଏହି ପଦକ୍ଷେପକୁ ସ୍ୱାଗତ ମଧ୍ୟ କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons