ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ବିରୋଧ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଲୋକଙ୍କ ବିରୋଧ ଯୋଗୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପାରଳାଖେମୁଣ୍ଡିରେ ହେବାକୁଥିବା ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ ହୋଇ ପାରିଲାନାହିଁ । ପାରଳାଖେମୁଣ୍ଡି ସହରରୁ ପ୍ରତିଦିନ ସଂଗ୍ରହ ହେଉଥିବା ବର୍ଜ୍ୟବସ୍ତୁକୁ ଏଣେତେଣେ ନ ପକାଇ ପୌର ପ୍ରଶାସନ ପକ୍ଷରୁ ସହରର ଭିନ୍ନଭିନ୍ନ ୪ଟି ସ୍ଥାନରେ ୪ଟି ପ୍ରକଳ୍ପ ନିର୍ମାଣ କରାଯାଇ ସେଠାରୁ ସଂଗୃହିତ ବର୍ଜ୍ୟବସ୍ତୁର ପରିଚାଳନା କରାଯିବା ପାଇଁ ସ୍ଥିର ହୋଇଛି । ଏଥିରୁ ଗୋଟିଏ ପ୍ରକଳ୍ପ ୬ନଂ ୱାର୍ଡର ସେରି ଜାଗିଲି ସାହି ନିକଟରେ ନିର୍ମାଣ କରିବା ପାଇଁ ସ୍ଥାନ ନିରୁପଣ କରାଯାଇଥିଲା । ହେଲେ, ଏହାକୁ ସ୍ଥାନୀୟ ଲୋକେ ଆଗରୁ ବିରୋଧ କରିଆସୁଛନ୍ତି । ତଥାପି ପୌରପରିଷଦ ସେଠାରେ ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଜିଦ୍ ଧରିଛି । ଏହି ପ୍ରସ୍ତାବିତ ସ୍ଥାନରେ ସୋମବାର ଶୁଭ ଦେବା ପାଇଁ ଅତିଥିମାନେ ଯାଉଥିବାବେଳେ ଲୋକେ ପ୍ରବଳ ବିରୋଧ କରିଥିବାରୁ ଏହାର ଶୁଭ ଦିଆଯାଇ ପାରିନଥିଲା । ଜିଲ୍ଲାପାଳ ଏବଂ ପିଡି ଲୋକଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା କୌଣସି ଫଳପ୍ରଦ ହୋଇନଥିଲା । ଫଳରେ କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା ।
ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡି ପୌରପରିଷଦରୁ ପ୍ରତିଦିନ ପ୍ରାୟ ୨୦ଟନ୍ ବର୍ଜ୍ୟବସ୍ତୁ ସଂଗୃହିତ ହେଉଛି । ବର୍ତ୍ତମାନ ଏହାକୁ ଏକ ନିର୍ଦ୍ଧାରିତ ସ୍ଥାନରେ ଗଚ୍ଛିତ ରଖାଯାଉଥିବା ବେଳେ ସେହି ସ୍ଥାନ ଭର୍ତ୍ତି ହେଲେ ଏଗଡ଼ିକୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସଂଗୃହିତ ବର୍ଜ୍ୟବସ୍ତୁର ପରିଚାଳନା କରିବାସହ ପାରଳାଖେମୁଣ୍ଡିକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଠନ କରିବା ପାଇଁ ପୌର ପରିଷଦ ଅଣ୍ଟା ଭିଡ଼ିଛି । ଏଥି ପାଇଁ ସେ ୪ଟି ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ପ୍ରତି ପ୍ରକଳ୍ପ ପାଇଁ ୬୫ଲକ୍ଷ ଟଙ୍କା ବ୍ୟୟ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଥିବା ବେଳେ ସମସ୍ତ ଟଙ୍କା ବର୍ତ୍ତମାନ ଆସିସାରିଛି । ଏଥିପାଇଁ ୪ଟି ସ୍ଥାନ ମଧ୍ୟ ନିରୁପଣ ହୋଇଛି । ସେଥିରୁ ସେରି ଜାଗିଲି ସାହି ନିକଟସ୍ଥ ଏକ ସ୍ଥାନ ରହିଛି । ଏହି ପ୍ରକଳ୍ପ ହେଲେ, ଅବର୍ଜନା ର୍ଦୁଗନ୍ଧରେ ଏଠାରେ ରହିବାକୁ ପଡ଼ିବ ବୋଲି ଆଶଙ୍କା କରି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି । ରବିବାର ଶୁଭ ପ୍ରଦାନ ପାଇଁ ନିର୍ମାଣ ହୋଇଥିବା ସସ୍ତମ୍ଭକୁ ବିରୋଧୀମାନେ ଭାଙ୍ଗି ଦେଇଥିବାବେଳେ ସୋମବାର ପୁଣି ଏକ ସ୍ତମ୍ଭ ନିର୍ମାଣ କରି ଶୁଭ ପ୍ରଦାନ ପାଇଁ ପ୍ରସ୍ତୁତି କରିଥିଲା ପୌରପରିଷଦ । ସନ୍ଧ୍ୟାରେ ଏହି ପ୍ରକଳ୍ପର ଶୁଭ ପ୍ରଦାନ ପାଇଁ ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ଚଞ୍ଚଲ ରାଣା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରମୁଖ ସେହି ସ୍ଥାନରେ ପହଞ୍ଚଥିଲେ । ହେଲେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଏହାକୁ ବିରୋଧ କରିଥିଲେ ।
ଶୁଭ ଦେଲେ କିରାସିନ୍ ଢାଳି ଆତ୍ମାହୁତି ଦେବୁ ବୋଲି ସ୍ଥାନୀୟ କେତେକ ମହିଳା ଧମକ ମଧ୍ୟ ଦେଇଥିଲେ । ଜିଲ୍ଲାପାଳ ଓ ପିଡି ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଲୋକେ କୌଣସି ପ୍ରକାରେ ବୁଝିନଥିଲେ । ତେଣୁ ବିନା କୌଣଶି ଶୁଭ ଦେଇ ଅତିଥିମାନେ ଫେରିବାକୁ ବାଧ୍ୟ ହୋଇଥିଲେ । ଏ ନେଇ ପୌରପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ସେଠାରେ ପୌରପରିଷଦର ଏକ ସ୍ଥାନ ରହିଛି, ଯେଉଁଠି ଏହା ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ତେବେ ଲୋକେ ନବୁଝି ବିରୋଧ କରୁଛନ୍ତି । ତେଣୁ ସେମାନଙ୍କ ସହ ଆଲୋଚନା କରି ଏହି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons