ବର୍ଷକତଳେ ଛାଡ଼ି ଚାଲିଯାଇଥିଲା ମା’

Get real time updates directly on you device, subscribe now.

ରାଜଗାଙ୍ଗପୁର,(ବି.ବି.ନୁ୍ୟଜ): ମା’ର ଅନାବିଳ ସ୍ନେହ ଆଗରେ ସବୁ ତୁଚ୍ଛ । ଜାତି ଧର୍ମ ଠାରୁ ଊଦ୍ଧ୍ୱର୍ରେ ମାତୃତ୍ୱ । ଭିନ୍ନ ସମ୍ପ୍ରଦାୟର ଶିଶୁକୁ ଆପଣାଇ ଦୀର୍ଘ ମାସ ଧରି ନିଜ ସନ୍ତାନ ଭାବି ଲାଳନପାଳନ କଲେ । ଏବେ ଛାତିରେ ପଥର ରଖି ଜନ୍ମ କଲା ମା’ବାପାଙ୍କୁ ଟେକି ଦେଇଛନ୍ତି ଜଣେ ମହିଳା । ମା’ ଯଶୋଦା ସାଜି ସମାଜକୁ ମାନବିକତାର ବାର୍ତ୍ତା ଦେଇଛନ୍ତି ରାଜଗାଙ୍ଗପୁର ସହରର ମୁସଲିମ ମହିଳା କଶ୍ମୀରା ।
ବର୍ଷକ ତଳର ଘଟଣା । ଜଣେ ମହିଳା ପ୍ରାୟ ଆଠ ମାସର ଶିଶୁପୁତ୍ରକୁ କୋଳରେ ଧରି ରାଜଗାଙ୍ଗପୁର ଷ୍ଟେସନ୍ରେ ଓହ୍ଲାଇ ପଡ଼ିଥିଲେ । ଅସହାୟ ଅବସ୍ଥାରେ ମହିଳା ଓ ଶିଶୁପୁତ୍ରଙ୍କୁ ଟ୍ରାକସନ କଲୋନୀରେ ରହୁଥିବା ଶାନ୍ତି ସାହୁ ନାମକ ଜଣେ ମହିଳା ଦେଖିଥିଲେ । ମହିଳା ଜଣକର ମାନସିକ ସ୍ଥିତି ଠିକ ନଥିବା ବେଳେ ଶିଶୁଟି ମଧ୍ୟ ରୋଗିଣା ଅବସ୍ଥାରେ ଥିଲା । ଶାନ୍ତି ନିଜ ଘରେ ମା’ ଓ ଛୁଆକୁ ଆଶ୍ରୟ ଦେଇଥିଲେ । ମହିଳା ଜଣକ କିଛି ଦିନ ପରେ ପୁଅକୁ ଛାଡ଼ି କେଉଁଆଡେ଼ ଚାଲିଗଲେ । ବହୁ ଖୋଜାଖୋଜି କରିବା ସତ୍ତେ୍ୱ ତାଙ୍କର ସନ୍ଧାନ ମିଳିନଥିଲା । ଶାନ୍ତିଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ସତ୍ତେ୍ୱ ଆଠ ମାସ ଶିଶୁଟିକୁ ରଖିଥିଲେ । ଏହି ସମୟରେ ରାଜଗାଙ୍ଗପୁର ଇଦ୍ଗା ମହଲାର ଶାନ୍ତି ନଗରରେ ରହୁଥିବା ଫେରିବାଲା ଭାତମ୍ ଶେଖ୍ ଶିଶୁ ପୁତ୍ର ବିଷୟରେ ଜାଣିବାକୁ ପାଇଥିଲେ । ତାଙ୍କର ପୁଅ ନଥିବାରୁ ସେ ତାଙ୍କ ପତ୍ନୀ କଶ୍ମୀରା ପୁଅଟିକୁ ନେଇ ଲାଳନ ପାଳନ କଲେ । ସବୁ ଠିକ୍ଠାକ ଚାଲୁଥିଲା ବେଳେ ହଠାତ୍ କିଛି ଦିନ ତଳେ ରାଜଗାଙ୍ଗପୁର ଥାନାରୁ ପୁଅକୁ ଧରି ଆସିବାକୁ ଡାକରା ଆସିଲା । ଭାତମ୍ ଓ କାଶ୍ମୀରା ଶିଶୁ ପୁତ୍ରକୁ ଧରି ଥାନାରେ ପହଞ୍ଚିଥିଲେ । ଥାନା ଅଧିକାରୀ ଶିଶୁ ପୁତ୍ରର ପ୍ରକୃତ ବାପାମା’ ତାକୁ ନେବାକୁ ଆସିଛନ୍ତି ବୋଲି ଦମ୍ପତିଙ୍କୁ ସୂଚନା ଦେଇଥିଲେ । ଏହା ଶୁଣି କଶ୍ମୀରାଙ୍କୁ ଲାଗିଥିଲା ଶକ୍ତ ଧକ୍କା । ଏତେ ଦିନ ଧରି ନିଜ ସନ୍ତାନ ଭାବେ ରଖିଥିବା ପୁଅକୁ ଶେଷରେ କଶ୍ମୀରା ଯଶୋଦା ସାଜି ଜନ୍ମ କଲା ମା’ ହାତକୁ ଟେକି ଦେଇଥିଲେ ।
ପୁଲିସ୍ ସୂଚନା ଅନୁସାରେ, ଝାଡଖଣ୍ଡ ଅଞ୍ଚଳର ମହିଳା ନିମାନ୍ତି ଲାକ୍ରା ଓ ତାଙ୍କ ସ୍ୱାମୀ ସଞ୍ଜୟ ଲାକ୍ରା ଶିଶୁର ପ୍ରକୃତ ବାପାମା’ । ଗତବର୍ଷ ମାର୍ଚ୍ଚ ମାସରେ ନିମାନ୍ତିଙ୍କ ମାନସିକ ସ୍ଥିତି ଠିକ୍ ନଥିବା ବେଳେ ସେ ଶିଶୁ ପୁତ୍ରକୁ ଧରି ଟ୍ରେନ ଯୋଗେ ରାଜଗାଙ୍ଗପୁର ଆସିଥିଲେ । ପୁଣି ଟ୍ରାକସନ୍ କଲୋନୀରେ ନିଜ ଶିଶୁ ପୁତ୍ରକୁ ଛାଡ଼ି ଅନ୍ୟ ଏକ ଟ୍ରେନ୍ରେ ନାଗପୁରକୁ ଚାଲି ଯାଇଥିଲେ । ସେଠାରେ ରେଳବାଇ ପୁଲିସ୍ ମହିଳାଙ୍କୁ ରଖି ଚିକିତ୍ସା କରାଇଥିଲେ । ସେ ଠିକ୍ ହେବା ପରେ ଘର ଓ ଠିକଣା କହିବାରୁ ପୁଲିସ ତାଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ନିମାନ୍ତି ନିଜ ସନ୍ତାନକୁ ବହୁତ ଖୋଜାଖୋଜି କରିବା ପରେ ରାଜଗାଙ୍ଗପୁରରେ ଛାଡ଼ିି ଚାଲିଯାଇଥିବା ମନେ ପକାଇ ଶେଷରେ ଥାନାରେ ଏତଲା ଦେଇଥିଲେ । ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ, ସବ-ଇନ୍ସପେକ୍ଟର ପ୍ରମୋଦ ବେହେରା ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ ଶେଷରେ ରାଉରକେଲାସ୍ଥିତ ଶିଶୁ କଲ୍ୟାଣ ବିଭାଗ (ସିଡ଼ବ୍ଲୁସି )କୁ ଜଣାଇଥିଲେ । ସିଡବ୍ଲୁ୍ୟସିର ଅଧିକାରୀ ଶିଶୁପୁତ୍ରକୁ ଜନ୍ମକଲା ପିତାମାତାଙ୍କୁ ହସ୍ତାନ୍ତର କରିଛନ୍ତି ।
ମୁସଲିମ୍ ଦମ୍ପତି ଭାତମ୍ ଓ କାଶ୍ମୀରା ଛାତିରେ ପଥର ରଖି ନିୟମକୁ ମାନି ପାଳିତ ପୁଅକୁ ତାର ବାପାମାଆଙ୍କୁ ହସ୍ତାନ୍ତର କରିଛନ୍ତି । ପାଳିତ ପୁଅଟି କାଶ୍ମୀରାକୁ ଛାଡ଼ି ଯିବାକୁ ନାରାଜ ହୋଇଥିଲା । ଅବୁ ଅମ୍ମି ବୋଲି ଡାକି ଡାକି ପୁଅଟି କାନ୍ଦିବାକୁ ଲାଗିଥିଲା । ଶିଶୁକୁ ହସ୍ତାନ୍ତର ବେଳେ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ମାନବିକତାର ପରିଚୟ ଦେଇ କଶ୍ମୀରା ଭିନ୍ନ ଏକ ଯଶୋଦା ପାଲଟିଯାଇଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons