ବିଜାପୁର: ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୧୬୦ ଜଣ ନକ୍ସଲଙ୍କ ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରେ ୩୦ ଜଣ ମହିଳା ଅଛନ୍ତି । ନକ୍ସଲ ସଙ୍ଗଠନର କେନ୍ଦ୍ରୀୟ କମିଟି ପକ୍ଷରୁ ଜାରି ଏକ ପ୍ରେସ୍ନୋଟରେ ଏହା କୁହାଯାଇଛି ।
ପ୍ରାୟ ୧୬ ପୃÂାର ଏହି ପ୍ରେସନୋଟ୍ରେ କୁହାଯାଇଛି ଯେ ଦଣ୍ଡକାରଣ୍ୟ ଅର୍ଥାତ ବସ୍ତର ଅଞ୍ଚଳରେ ସବୁଠାରୁ ଅଧିକ ୧୦୧ ଜଣ ନକ୍ସଲଙ୍କ ମୃତୁ୍ୟ ଘଟିଛି । ଏହା ବ୍ୟତୀତ ବିହାର-ଝାଡଖଣ୍ଡ ସୀମାରେ ୧୧, ଓଡ଼ିଶାରେ ୧୪, ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ୮, ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ୧୧, ତେଲଙ୍ଗାନାରେ ୧୪ ଏବଂ ପଶ୍ଚିମଘାଟିରେ ଜଣେ ନକ୍ସଲର ମୃତୁ୍ୟ ହୋଇଛି । ଦୁର୍ଘଟଣାରେ ୫ ଏବଂ ରୋଗରେ ହରିଭୂଷଣଙ୍କ ସମେତ ୧୩ ନକ୍ସଲ ପ୍ରାଣ ହରାଇଥିବା ପ୍ରେସ୍ନୋଟରେ କୁହାଯାଇଛି । ଗତ ଏକ ବର୍ଷ ଭିତରେ ସୁରକ୍ଷାବାହିନୀ ଓ ପୁଲିସ ସହ ହୋଇଥିବା ସଂଘର୍ଷରେ ୯୫ ଜଣ ନକ୍ସଲଙ୍କ ଜୀବନ ଯାଇଛି । ମିଥ୍ୟା ଏନ୍୍କାଉଣ୍ଟରରେ ୪୨ ଜଣଙ୍କୁ ହତ୍ୟା କରାଯାଇଛି । ତେବେ ୨୭ ଜଣ ନକ୍ସଲଙ୍କ ମୃତୁ୍ୟ ସମ୍ପର୍କିତ ତଥ୍ୟ କେନ୍ଦ୍ରୀୟ କମିଟି ପକ୍ଷରୁ ଦିଆଯାଇନାହିଁ ।
ଅନ୍ୟପକ୍ଷରେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରାଯିବ ବୋଲି କେନ୍ଦ୍ରୀୟ କମିଟି ପକ୍ଷରୁ ଉକ୍ତ ପ୍ରେସନୋଟ୍ରେ କୁହାଯାଇଛି । ଏହି ସମୟରେ ଗାଁ ଗାଁରେ ସଭା ଆୟୋଜନ କରାଯିବ । ଏଥିସହ ଗତବର୍ଷ ପ୍ରାଣ ହରାଇଥିବା ନକ୍ସଲଙ୍କ ସ୍ମୃତିଚାରଣ କରାଯିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ପ୍ରାଣ ହରାଇଥିବା ନକ୍ସଲଙ୍କୁ ସହିଦ ମାନ୍ୟତା ଦିଆଯିବ ଏବଂ ସେମାନଙ୍କ ପାଇଁ ସ୍ମାରକ ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମିଲ କରାଯିବ । କେବଳ ଏତିକି ନୁହେଁ ଆଗାମୀ ଦିନରେ ବିହାର-ଝାଡ଼ଖଣ୍ଡ, ପୂର୍ବ ବିହାର, ପୂର୍ବୋତ୍ତର ଝାଡ଼ଖଣ୍ଡ ଓ ଦଣ୍ଡକାରଣ୍ୟକୁ ନେଇ ସେମାନଙ୍କର ଆଧାର ଅଞ୍ଚଳ ବନାଇବାକୁ ନକ୍ସଲମାନେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏସବୁ ଅଞ୍ଚଳରେ ଲୋକସମ୍ପର୍କ ବୃଦ୍ଧି ସହ ସଙ୍ଗଠନକୁ ମଜଭୁତ କରିବା ଲାଗି ପଦକ୍ଷେପ ନିଆଯିବ ।
ମାଓବାଦୀମାନେ ଅତର୍କିତ ଚଢ଼ାଉ ସମ୍ପର୍କିତ ଯୁଦ୍ଧନୀତିକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି । ଏଥିସହ ନିଜର ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ । ମାଓବାଦୀମାନେ ଦଣ୍ଡକାରଣ୍ୟରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟବହାର କରାଯାଉଥିବା ଡ୍ରୋନକୁ ବିରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓ ଗତିବିଧି ଉପରେ ସମୀକ୍ଷା କରାଯାଇଥିଲା । ଯେଉଁଥିରେ ଝାଡଖଣ୍ଡର ୮ ଜିଲ୍ଲାକୁ ଅତି ନକ୍ସଲ ପ୍ରଭାବିତ ଏବଂ ଗଡବା ଜିଲ୍ଲାକୁ ନକ୍ସଲ ହିଂସାକାଣ୍ଡ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିଲା ।
Comments are closed, but trackbacks and pingbacks are open.