ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲଘୁଚାପ ପଳାଇବା ପରେ ରାଜ୍ୟରେ ବର୍ଷା କମିଛି । ଆସନ୍ତାକାଲିଠାରୁ ଛତିଶଗଡ଼ରେ ବି ବର୍ଷା ପ୍ରାୟତଃ କମିଯିବ । ତେଣୁ ଉପରମୁଣ୍ଡରେ ବଡ଼ ବର୍ଷା ସମ୍ଭାବନା ଏବେ ନାହିଁ । ଏଭଳି ସ୍ଥିତିରେ ମହାନଦୀରେ ବନ୍ୟା ଆଶଙ୍କା ଟଳିଯାଇଛି । ଅନ୍ୟ ନଦୀଗୁଡ଼ିକର ଜଳସ୍ତର ବଢ଼ିଥିଲେ ମଧ୍ୟ ବର୍ଷା କମିଥିବାରୁ ସ୍ଥିତି ଆଉ ବିଗିଡ଼ିବା ଆଶଙ୍କା କମ୍ ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ରିପୋର୍ଟ ଦେଇଛି, ଲଗାଣ ବର୍ଷାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୧ଟି ବ୍ଲକ ଅନ୍ତର୍ଗତ ୩୬୯୬ ଗାଁ ଏବଂ ୨୭ଟି ପୌରାଞ୍ଚଳର ମୋଟ ୨୦ ଲକ୍ଷ ୪୬ ହଜାର ୧୨୨ଜଣ ଲୋକେ ପ୍ରଭାବିତ ହୋଇଛନ୍ତି । ୨୮୭୦ଟି ଘର କ୍ଷତିଗ୍ରସ୍ତ ହୋଇଛି । ୧୩,୫୩୪ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଲଗାଣ ବର୍ଷାରେ ରାଜ୍ୟରେ ୪ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ କେନ୍ଦ୍ରାପଡ଼ାର, ଜଣେ ଖୋର୍ଦ୍ଧାର ଓ ଅନ୍ୟ ଜଣେ ଗଞ୍ଜାମର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଜଣେ ପାଣିରେ ଭାସି ନିଖୋଜ ଅଛନ୍ତି । ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟରୁ ଏହି ତଥ୍ୟ ମିଳିଛି । ଆସନ୍ତା ୨୨ ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ କରି ଚୂଡ଼ାନ୍ତ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ପ୍ରଦୀପ କୁମାର ଜେନା ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ ଲଗାଣ ବର୍ଷାରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୧୧ ଲକ୍ଷ ୩୬ ହଜାର ୯୭୧ଜଣ ପ୍ରଭାବିତ ହୋଇଥିବାବେଳେ ଭାଙ୍ଗିଛି ୫୬୯ଟି ଘର । କଟକ ଜିଲ୍ଲାର ୨୧,୫୯୬ ଲୋକେ ପ୍ରଭାବିତ ହୋଇଥିବାବେଳେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରାପଡ଼ାରେ ୭ ଲକ୍ଷ ୭୯ ହଜାର ୨୪୧ଜଣ ପ୍ରଭାବିତ ହୋଇଥିବାବେଳେ ୧୭ଟି ଘର ନଷ୍ଟ ହୋଇଛି । ଖୋର୍ଦ୍ଧାରେ ୧୭୪୨ଜଣ ଲୋକେ ଲଗାଣ ବର୍ଷା ଯୋଗୁ ପ୍ରଭାବିତ ହୋଇଥିବାବେଳେ ୨୩୮ଟି ଘର ଭାଙ୍ଗିଛି । ପୁରୀ ଜିଲ୍ଲାରେ ୨୧,୦୨୧ଜଣ ଲୋକେ ଲଗାଣ ବର୍ଷା ଯୋଗୁ ନାକେଦମ ହୋଇଥିବାବେଳେ କୌଣସି ଘର ଭାଙ୍ଗିନି କିମ୍ବା କେହି ମୃତାହତ ହୋଇନାହାନ୍ତି । ପୁରୀରେ ୧୬ଟି ରାସ୍ତା ବିଚ୍ଛିନ୍ନ ହୋଇଛି ।
ଯାଜପୁରରେ ୨୧,୫୨୫ଜଣ ଲୋକେ ପ୍ରଭାବିତ ହୋଇଛନ୍ତି ବର୍ଷା ଯୋଗୁ । ଅନୁଗୁଳ ଜିଲ୍ଲାର ୩୮ଟି ଗାଁ, ୩ଟି ପୌରାଞ୍ଚଳର ୨୫୮ଜଣ ପ୍ରଭାବିତ ହୋଇଥିବାବେଳେ ୫୬ଟି ଘର ଭାଙ୍ଗିଛି । ବରଗଡ଼, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନୟାଗଡ଼, ନୂଆପଡ଼ା ଓ ସୋନପୁର ଜିଲ୍ଲା ଲଘୁଚାପଜନିତ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛି ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ ଅନେକ ଜିଲ୍ଲାରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ଅନୁଗୁଳରେ ୨୫୯ ହେକ୍ଟର, ବୌଦ୍ଧରେ ୧୯୨ ହେକ୍ଟର, କଟକରେ ୧୪,୩୯୨ ହେକ୍ଟର, ଜଗତସିଂହପୁରରେ ୬୧,୯୧୪ ହେକ୍ଟର, ଯାଜପୁରରେ ୪୦,୧୦୩ ହେକ୍ଟର, ଖୋର୍ଦ୍ଧାରେ ୩୦୭ ହେକ୍ଟର ଫସଲ ପ୍ରଭାବିତ ହୋଇଛି ।
ଅନୁଗୁଳରେ ୯ଟି ରାସ୍ତା, ବୌଦ୍ଧରେ ୧୭ଟି ରାସ୍ତା, ଜଗତସିଂହପୁରରେ ୫୭ଟି ରାସ୍ତା, କନ୍ଧମାଳରେ ୬ଟି ରାସ୍ତା, କେନ୍ଦ୍ରାପଡ଼ାର ୧୦ ରାସ୍ତା ବିଚ୍ଛିନ୍ନ ହୋଇଛି ପ୍ରବଳ ବର୍ଷା ପ୍ରଭାବରେ । ଅନେକ ଜାଗାରେ ଗାଈଗୋରୁ, ଛେଳି, ମେଣ୍ଢା ମରିଥିବାବେଳେ ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।
ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୭.୦୪ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୭୬ ୫୬୦ କୁ୍ୟସେକ ପାଣି ପ୍ରବେଶ କରୁଥିବାବେଳେ ୬ଟି ଗେଟ୍ ଦେଇ ୧,୨୭୦୮୭ କୁ୍ୟସେକ ଜଳ ଛଡ଼ାଯାଉଛି । ସନ୍ଧ୍ୟା ୬ଟାବେଳେ ଖଇରମାଳରେ ୪.୪୩ ଲକ୍ଷ କୁ୍ୟସେକ ପାଣି ନିଷ୍କାସିତ ହେଉଥିବାବେଳେ ବରମୁଳରେ ୫ ଲକ୍ଷ ୪୩ ହଜାର କୁ୍ୟସେକ ଓ ମୁଣ୍ଡୁଳିରେ ୪,୪୭,୬୨୪ କୁ୍ୟସେକ ପାଣି ନିଷ୍କାସିତ ହେଉଥିଲା । ମଙ୍ଗଳବାର ରାତି ଭିତରେ ମୁଣ୍ଡୁଳିରେ ୫ ଲକ୍ଷ କୁ୍ୟସେକ ଟପିପାରେ ।
ମହାନଦୀ ଫୁଲୁଥିବାରୁ ନରାଜରେ ଜଳସ୍ତର ବଢ଼ିଛି । ସନ୍ଧ୍ୟା ୬ଟାବେଳେ ଜଳସ୍ତର ୨୪.୯୮ ମିଟର ଥିଲା । ଏଠାରେ ସତର୍କ ସଙ୍କେତ ୨୫.୪୧ ମିଟର ରହିଛି । ବୈତରଣୀ ନଦୀ ଆଖୁଆପଦାରେ ବିପଦ ସଙ୍କେତଠାରୁ ପ୍ରାୟ ୧ ମିଟର ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ୧୮.୩୦ ମିଟର ଥିଲା ସନ୍ଧ୍ୟା ୬ଟାବେଳେ । ଆନନ୍ଦପୁରରେ ଜଳସ୍ତର ସତର୍କ ସଙ୍କେତ ପାଖାପାଖି ପହଞ୍ଚିଗଲାଣି । ସତର୍କ ସଙ୍କେତ ୩୭.୪୫ ମିଟର । ଏଠାରେ ୩୭.୦୭ ମିଟରରେ ପ୍ରବାହିତ ହେଉଥିଲା ବୈତରଣୀ । ବ୍ରାହ୍ମଣୀ ନଦୀ ଜେନାପୁରରେ ସତର୍କ ସଙ୍କେତ (୨୨ ମିଟର) ଟପି ୨୨.୬୧ ମିଟରରେ ପ୍ରବାହିତ ହେଉଥିଲା । ବୁଢ଼ାବଳଙ୍ଗ ଜଳସ୍ତର ଏନଏଚ୍ ୫ ନିକଟରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଋଷିକୂଲ୍ୟା ଖସୁଛି । ଜଳକା ଜଳସ୍ତର ବିପଦ ସଙ୍କେତ ୫.୫୦ ମିଟରଠାରୁ ଉପରେ ରହିଛି । ସନ୍ଧ୍ୟା ୬ଟାବେଳେ ମଥାନିରେ ୬.୩୭ ମିଟରରେ ପ୍ରବାହିତ ହେଉଥିଲା ଜଳକା । କାଶୀନଗରରେ ବଂଶଧାରା ଜଳସ୍ତର ସତର୍କ ସଙ୍କେତ ଉପରେ ଥିବାବେଳେ ଏଠାରେ ପାଣି କମୁଛି ।
ଆଶ୍ୱସ୍ତିର କଥା ହେଲା, ଲଘୁଚାପ ଓଡ଼ିଶାରୁ ବହୁ ଦୂରକୁ ପଳାଇଛି । ଛତିଶଗଡ଼ ଦେଇ ପହଞ୍ଚିଲାଣି ମଧ୍ୟପ୍ରଦେଶରେ । ଏବେ ରାଜ୍ୟରେ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ । ବୁଧବାରଠାରୁ ରାଜ୍ୟରେ ପାଗ ଭଲ ରହିବ । ଅଳ୍ପ କେତେକ ଜାଗାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । କାଁ ଭାଁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବଡ଼ ବର୍ଷା ଏବେ ନାହିଁ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଏଭଳି ରହିବ । ଆସନ୍ତା ୨୦ ତାରିଖବେଳକୁ ଲଘୁଚାପ ନେଇ ଯେଉଁ ପୂର୍ବାନୁମାନ କରାଯାଇଥିଲା, ତାହାର ସମ୍ଭାବନା ଏବେ ଅନିଶ୍ଚିତତାରେ । ଯଦି ୧୭ ତାରିଖବେଳକୁ ଘୂର୍ଣ୍ଣିବଳୟ ହୁଏ, ତାହା ଅଧିକ ଘନୀଭୂତ ହେବ କି ନାହିଁ, ବର୍ତ୍ତମାନର ଲଘୁଚାପ ଯିବା ପରେ ସ୍ପଷ୍ଟ କହିହେବ ।
ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ଭୀଷଣ ଅବପାତ ରୂପ ନେବା ପରେ ଗତ ୩ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷିଲା । ଗତ ୨୪ ଘଣ୍ଟା ହେବ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା କରାଇଛି । ଆସନ୍ତାକାଲି ସକାଳ ଯାଏଁ ଛତିଶଗଡ଼ରେ ଲଗାଣ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଅନୁମାନ କରାଯାଉଛି, ବୁଧବାର ସକାଳ ପର୍ଯ୍ୟନ୍ତ ବଲାଙ୍ଗିର, ସମ୍ବଲପୁର, ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଆସନ୍ତାକାଲି (ବୁଧବାର) ରାଜ୍ୟର କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ମାତ୍ର ବଡ଼ ବର୍ଷା ହେବନି । ୩ ଦିନ ଏଭଳି ପାଗ ରହିବ । ୧୮ରୁ ବର୍ଷା ସାମାନ୍ୟ ବଢ଼ିପାରେ । ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ବଢ଼ିବ ।
ଗତ ୨୪ ଘଣ୍ଟା ଭିତରେ (ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା) ୨୦ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ତାଳଚେରେ ୩୯୪ ମିମି, ବୀରମହାରାଜପୁରରେ ୩୭୨ ମିମି, ବଅଁରପାଳରେ ୨୪୫.୬, ଅନୁଗୁଳରେ ୨୦୧, ପାଟଣାଗଡ଼ରେ ୨୫୧, ବୌଦ୍ଧରେ ୨୬୨, ସୋନପୁରରେ ୨୫୦, ବଲାଙ୍ଗିରରେ ୨୪୦ ମିମି ବର୍ଷା ହୋଇଥିଲା ।


Comments are closed, but trackbacks and pingbacks are open.