ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲୀ ବାହାଘର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଆବଶ୍ୟକ ବର୍ଷା ହେଉ ନଥିବାରୁ ନବରଙ୍ଗପୁର ପରେ ମାଲକାନଗିରିରେ ବେଙ୍ଗ-ବେଙ୍ଗୁଲୀ ବାହାଘର ଦେଖିବାକୁ ମିଳିଛି । ଏଠିକାର ଆଦିବାସୀ ସମ୍ପ୍ରଦାୟର ଲୋକେ ପରମ୍ପରା ଅନୁସାରେ ଏହି ବିବାହ କରିଛନ୍ତି । ଲୋକ ବିଶ୍ୱାସ ଅନୁସାରେ, ବେଙ୍ଗ-ବେଙ୍ଗୁଲୀ ବାହାଘର କଲେ ଇନ୍ଦ୍ର ଦେବତା ଖୁସି ହୋଇ ବର୍ଷା କରିଥାନ୍ତି ।
ସୂଚନା ଅନୁସାରେ, ଜିଲ୍ଲାରେ ଆବଶ୍ୟକ ବର୍ଷା ହୋଇନାହିଁ । ଜମିରେ ଯଥେଷ୍ଟ ପାଣି ନଥିବାରୁ ଚାଷକାମ ଆଗେଇ ପାରୁନାହିଁ । ଏପରିସ୍ଥଳେ, ଲୋକ ବିଶ୍ୱାସ ଅନୁସାରେ ଆଦିବାସୀମାନେ ପରମ୍ପରା ଅନୁସାରେ ବେଦୀରେ ବସାଇ ବେଙ୍ଗ-ବେଙ୍ଗୁଲୀ ବାହାଘର କରିଛନ୍ତି । ଆଦିବାସୀ ନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି । ମାଲକାନଗିରି ସଦର ବ୍ଲକ ସେରପାଲ୍ଲୀ ଗାଁରେ ଶୁକ୍ରବାର ଏଭଳି ବିବାହ ଦେଖିବାକୁ ମିଳିଛି । ଆଡମ୍ବର ସହ ଆଦିବାସୀମାନେ ଏଥିରେ ସାମିଲ ହୋଇଥିଲେ ।
ସକାଳୁ ଗାଁ ମୁଖିଆ ଓ ପୂଜାରୀମାନେ ଜଙ୍ଗଲକୁ ଯାଇ ମହୁଲ ମୁଣ୍ଡା ଆଣିଥିଲେ । ମହୁଲ ମୁଣ୍ଡାକୁ ପୂଜାପାଠ କରି ବେଦୀ କରିଥିଲେ । ବାଦ୍ୟବାଜଣା ସହ କନ୍ୟା ଓ ବରଯାତ୍ରୀ ବେଦୀ ନିକଟରେ ପହଞ୍ଚିଥିଲେ । ବର ବେଙ୍ଗ ଓ କନ୍ୟା ବେଙ୍ଗୁଲୀକୁ ହଳଦିପାଣିରେ ଗାଧୋଇ ଦେଇଥିଲେ । ଉଭୟ ବର ଓ କନ୍ୟାପକ୍ଷ ଲୋକଙ୍କ ଗୋଡକୁ ହଳଦିପାଣିରେ ଗାଁର ମହିଳାମାନେ ଧୋଇ ଦେଇଥିଲେ । ଗାଁର ଗଣେଶ ଓଡି ବରକର୍ତ୍ତା ଓ ପୂର୍ଣ୍ଣମା ମାଢି କନ୍ୟାକର୍ତ୍ତା ହୋଇଥିଲେ । ବେଙ୍ଗ ଓ ବେଙ୍ଗୁଲୀଙ୍କ ମଣିଷଙ୍କ ଭଳି ସଜାଇ ବେଦୀରେ ବସା ଯାଇଥିଲା । ପୂଜାରୀ ଓ ବ୍ରାହ୍ମଣମାନେ ମନ୍ତ୍ରପାଠ କରି ବିବାହ କରିଥିଲେ । ପରମ୍ପରା ଅନୁସାରେ ମହିଳା ଓ ପୁରୁଷମାନେ ହାତ ଧରାଧରି ହୋଇ ଗୀତଗାଇ ନାଚ କରିଥିଲେ । ବାହାଘର ଦେଖିବାକୁ ଆଖପାଖ ଗାଁରୁ ଶତାଧିକ ଲୋକଙ୍କ ଭିଡ ହୋଇଥିଲା । ମୁହଁରେ ମାସ୍କ ପିନ୍ଧି ଓ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ସମସ୍ତେ ଏଥିରେ ସାମିଲ ହୋଇଥିଲେ । ବିବାହ ପରେ ସମସ୍ତ ଗ୍ରାମବାସୀ ଏକାଠି ବସି ଭୋଜି ଖାଇଥିଲେ । ପରେ ସମସ୍ତେ ଘରକୁ ଫେରିଥିଲେ । ବାହାଘରରେ ଇନ୍ଦ୍ରଦେବତା ଖୁସି ହୋଇ ସନ୍ଧ୍ୟାରେ ବର୍ଷା କରିଥିବା ଲୋକେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons