ବର ହୋଇ ଯାଇଥାନ୍ତେ, ଶବ ହୋଇ ଫେରିଲେ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ): ଆଜି ବର ହୋଇ ଯାଇଥାନ୍ତେ, କିନ୍ତୁ ଘରକୁ ଶବ ହୋଇ ଫେରିଲେ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜାରେ । କଣ୍ଢେଇକେଲା ଗ୍ରାମର ଯୁବ ଶିକ୍ଷକ ନେପାଳ ପ୍ରଧାନ (୨୮) ନିଜ ବାହାଘର ଦିନ ଆଖି ବୁଜିଛନ୍ତି । ନେପାଳଙ୍କ ମୃତୁ୍ୟକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଏହି ଖବର ସମସ୍ତଙ୍କୁ ହତବାକ୍ କରି ଦେଇଛି ।
ଆଜି ନୋପାଳଙ୍କ ବାହାଘର ବରଗଡ଼ ଜିଲ୍ଲା ଅମ୍ୱାଭନା ବ୍ଲକ ବଙ୍ଗାପାଲିର ଛତାଦେଇ ଗ୍ରାମରେ ହେବାର ଥିଲା । ଆଜି ସେ ବର ବେଶରେ ଯାଇଥାଆନ୍ତେ । ହେଲେ ତିନି ଚାରି ଦିନ ପୂର୍ବରୁ ନେପାଳ ଅସୁସ୍ଥ ଅନୁଭବ କରିବାରୁ ବାହାଘର କିଛିଦିନ ପାଇଁ ସ୍ଥଗିତ କରାଯାଇଥିଲା । ନେପାଳଙ୍କର କୋଭିଡ ଲକ୍ଷଣ ଥିବାରୁ ସେ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଇଥିଲେ । ରିପୋର୍ଟ ନେଗେଟିଭ ଆସିଲା । ହେଲେ ଗତକାଲି ସଂଧ୍ୟାରେ ସେ ଘରେ ଶୋଇଥିବା ବେଳେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା । ପରିବାର ଲୋକେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ, ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ । ବୁର୍ଲାରେ ତାଙ୍କୁ ଆଇସିୟୁରେ ରଖିବା ପରେ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ । ହେଲେ ମଲ୍ଟି ଅର୍ଗାନ ଡ୍ୟାମେଜ ଯୋଗୁଁ ହଠାତ୍ ନେପାଳଙ୍କ ମୃତୁ୍ୟ ହୋଇଥିବା ଡାକ୍ତର କହିଥିବା ପ୍ରକାଶ ।
ସୂଚନାଯୋଗ୍ୟ, ନେପାଳଙ୍କ ବାପା ବୃଷଭଙ୍କ କିଛି ବର୍ଷ ପୂର୍ବରୁ ମୃତୁ୍ୟ ହୋଇ ସାରିଛି । ନେପାଳ ୬ଜଣ ଭାଇ ଭଉଣୀ ମଧ୍ୟରେ ଛୋଟ ଥିଲେ । ଘରର ଏକମାତ୍ର ରୋଜଗାରିଆ ସଦସ୍ୟ । ଜଣେ ଛାତ୍ରବତ୍ସଳ ଶିକ୍ଷକ ସହ ମେଳାପି, ସାମାଜିକ ଓ ଖେଳ ସଂଗଠକ ଭାବରେ ଅଞ୍ଚଳରେ ଖୁବ୍ ଜଣାଶୁଣା ଥିଲେ ନେପାଳ । ତାଙ୍କ ବିୟୋଗରେ ୧୯ ଖଣ୍ଡ ମୌଜାରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons