ବର ୨୪କୁ କନ୍ୟା ୩୯

Get real time updates directly on you device, subscribe now.

ଭୋଗରାଇ: ‘ପ୍ରି ଫାୟାର’ ଗେମ୍ରୁ ସମ୍ପର୍କ ବଢ଼ିଲା । ପରେ ହ୍ୱାଟ୍ସପ୍ରେ ଚାଟିଙ୍ଗ୍ ସହ ଫଟୋ ଦିଆନିଆ ହେଲା । ସୁନ୍ଦରୀ ଯୁବତୀର ଫଟୋ ଦେଖି ଫୋନ୍ରେ କଥାବର୍ତ୍ତା ହେବା ସହ ପ୍ରେମ ହୋଇଗଲା । ଏମିତି କି କଥା ବିବାହ ପର୍ଯ୍ୟନ୍ତ ଗଲା । ଗାଁ ଲୋକଙ୍କ ଆକଟକୁ ନ ମାନି ବିବାହ କରିବାକୁ ମନ୍ଦିରରେ ପହଞ୍ଚିଗଲେ ଜନୈକ ଯୁବକ । କିନ୍ତୁ ବିବାହ ବେଦିରେ ଜଣାପଡ଼ିଲା ବରକୁ ୨୪ ବର୍ଷ ହୋଇଥିବା ବେଳେ କନିଅାଁର ବୟସ ୩୯ । ଏହା ଜଣାପଡ଼ିବା ପରେ ବିବାହ କରିବାକୁ ଆସିଥିବା ଯୁବକର ହୋସ୍ ଉଡ଼ିଗଲା । ଯୁବତୀ ଜଣକ ନିଜ ବୟସ ୨୩ ବର୍ଷ କହିଥିବା ବେଳେ ନିଜର ଯେଉଁ ଫଟୋ ପଠାଇଥିଲେ ବେଦିରେ ଅନ୍ୟଜଣେ ଥିବା ଜାଣିପାରି ହତାଶ ପ୍ରେମିକ କାନମୁଣ୍ଡ ଆଉଁସି କୌଶଳକ୍ରମେ ସେଠାରୁ ଖସି ଆସିଥିଲେ । ହେଲେ କନ୍ୟାପକ୍ଷ ସ୍ଥାନୀୟ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ବରପକ୍ଷ ବାଧ୍ୟ ହୋଇ ୨୦ ହଜାର ଟଙ୍କା କ୍ଷତିପୂରଣ ଦେଇ ସମାଧାନ କରିବା ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଧା ଥାନା ଅଞ୍ଚଳରେ ।
ସୋସିଆଲ ସାଇଟ୍ରେ ଆର୍ଥିକ ଠକାମି ଘଟଣା ମୁଣ୍ଡବ୍ୟଥାର କାରଣ ସାଜିଥିଲା ବେଳେ ଏବେ ସୁନ୍ଦରୀ ଯୁବତୀର ନକଲି ଫଟୋ ଦେଖାଇ ଅଳ୍ପ ବୟସର ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଇ ଅର୍ଥ ଲୁଟ୍ ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ‘ଫ୍ରି ଫାୟାର’ ଗେମ୍ ଭଳି କେତେକ ଖେଳ ମହାମାରୀ ରୋଗ ଭାବେ ସମଗ୍ର ଯୁବ ଗୋÂୀକୁ ଆକ୍ରାନ୍ତ କରିଛି । ଏହି ଗେମ୍ ଖେଳୁ ଖେଳୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ବସ୍ଷ୍ଟାଣ୍ଡ୍ ପାଶ୍ୱର୍ରେ ବସବାସ କରୁଥିବା ଜଣେ ଯୁବତୀଙ୍କ ସହିତ କମର୍ଦ୍ଧା ଥାନା ଅଞ୍ଚଳର ଜଣେ ଯୁବକଙ୍କ ପ୍ରେମ ହୋଇଗଲା । ହ୍ୱାଟ୍ସଆପ୍ରେ ଫଟୋ ଦିଆନିଆ ପରେ ପରସ୍ପରକୁ ମନ ଦେଇ ବସିଲେ । ଯୁବତୀ ଜଣକ ଏକ ନକଲି ଫଟୋ ପଠାଇବା ସହ ନିଜ ବୟସ ୨୩ ବୋଲି ସୂଚନା ଦେଇଥିଲା । ଏହି ନକଲି ଫଟୋକୁ ଦେଖି ଯୁବକ ଜଣକ ସଂପୃକ୍ତ ଯୁବତୀ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଶପଥ ନେଲେ । ଯୁବକ ଜଣକ କନିଅାଁକୁ ସମ୍ମୁଖରୁ ଦେଖି ନଥିବା ବେଳେ କନ୍ୟାପକ୍ଷ ପୁଅ ଘରକୁ ଆସି ସବୁ ଦେଖାଦେଖି କରି ବିବାହ ତାରିଖ ନିର୍ଦ୍ଧାରଣ କରିଥିଲେ । ବୁଧବାର ଅପରାହ୍ଣରେ ରାଜଘାଟ ସନ୍ତୋଷପୁର ମନ୍ଦିରରେ ବିବାହ ପାଇଁ ସମସ୍ତ ବନେ୍ଦାବସ୍ତ ହୋଇଥିଲା । ବର, କନିଅାଁ ଉଭୟ ପକ୍ଷ ଠିକ୍ ସମୟରେ ମନ୍ଦିରରେ ପହଞ୍ଚି ଯାଇଥିଲେ । ବର, କନିଅାଁ ବିବାହ ବେଦିରେ ମଧ୍ୟ ବସି ଯାଇଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ବର କନ୍ୟାଙ୍କ ବୟସ ପ୍ରମାଣପତ୍ର ଯାଞ୍ଚ ସମୟରେ ପୁଅ ୨୪କୁ କନିଆର ୩୯ ବର୍ଷ ବୟସ ବୋଲି ଜଣାପଡ଼ିଥିଲା । ଫଟୋରେ ଦେଖିଥିବା ଝିଅ ବଦଳରେ ନିଜ ମାଆଙ୍କ ବୟସର କନିଅାଁକୁ ଦେଖି ପାଗଳ ପ୍ରେମିକର ଅକଲ ଗୁଡୁମ ହୋଇଯାଇଥିଲା । ହାତଗଣ୍ଠି ପଡ଼ିବା ପୂର୍ବରୁ ବର କୌଶଳକ୍ରମେ ବେଦିରୁ ଉଠି ଛୁ’ ମାରିଥିଲା । କନ୍ୟାପକ୍ଷ ଏହା ଜାଣିପାରି ପୁଅ ପଛେ ପଛେ ଗୋଡ଼ାଇଥିଲେ ମଧ୍ୟ ଧରି ପାରି ନଥିଲେ । ସ୍ଥାନୀୟ କିଛି ସମାଜସେବୀଙ୍କ ସହାୟତାରେ କନ୍ୟାପକ୍ଷ ବିଳମ୍ବିତ ରାତିରେ କମର୍ଦ୍ଧା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । କମର୍ଦ୍ଧା ପୁଲିସ ସେହି ରାତିରେ ଯୁବକଙ୍କ ଘରେ ପହଞ୍ଚି ଥାନାକୁ ଡାକି ନେଇଥିଲା । ସ୍ଥାନୀୟ କିଛି ସମାଜସେବୀ ଥାନାରେ ପହଞ୍ଚି ଉଭୟ ପକ୍ଷ ମଧ୍ୟରେ ସମାଧାନ କରିବା ସହିତ ବରପକ୍ଷରୁ କ୍ଷତିପୂରଣ ବାବଦ ସମୁଦାୟ ୨୦ହଜାର ଟଙ୍କା କନ୍ୟାପକ୍ଷକୁ ପ୍ରଦାନ କରିଥିବା ଜଣାପଡ଼ିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons