ବଲାଙ୍ଗୀର,(ବି.ବି.ନୁ୍ୟଜ୍): ବଲାଙ୍ଗୀରରେ ରାଜ୍ୟ ସରକାରଙ୍କ ‘୫-ଟି’ ଯୋଜନାକୁ ଖୋଲାଖୋଲି ଚ୍ୟାଲେଞ୍ଚ କରାଯାଉଛି । ଥରେ ନୁହେଁ ବାରମ୍ବାର ସାଧାରଣ ଲୋକଙ୍କଠାରୁ ଲାଞ୍ଚ ନେଇ ନିଲମ୍ବିତ ହେବା ପରେ ବି ସୁଧୁରିନି ସରକାରୀ ବ୍ୟବସ୍ଥାର ଏଭଳି ଚିତ୍ର । ତେବେ ଆଜି ପୁଣି ଥରେ ଶ୍ରମିକ ଚାଲାଣ ପାଇଁ ଲାଇସେନ୍ସ ଦେବାକୁ ଲାଞ୍ଚ ନେଉଥିବା ଅବସ୍ଥାରେ ବଲାଙ୍ଗୀର ଶ୍ରମ ବିଭାଗ କାର୍ଯ୍ୟାଳୟର ଜଣେ କିରାଣୀ ଏବଂ ଅଧିକାରୀ ହରଡ଼ଘଣାରେ ପଡ଼ିଛନ୍ତି । ଜଣେ ଆବେଦନକାରୀଙ୍କଠାରୁ କିରାଣୀ ବଲ୍ଲଭ ନାଗ ପ୍ରଥମ ପର୍ଯ୍ୟାୟରେ ଲାଞ୍ଚ ନେଇଥିବା ବେଳେ ପରେ ଶ୍ରମକମିଶନର ସରୋଜ କୁମାର ରଞ୍ଜିତୋ ମଧ୍ୟ ଲାଞ୍ଚ ନେଉଥିବା ଦୁଇଟି ପୃଥକ ଭିଡ଼ିଓ ଭାଇରାଲ ହୋଇଛି । ତେବେ ଏନେଇ ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଅପରପକ୍ଷେ, କିରାଣୀ ଶ୍ରୀ ନାଗଙ୍କୁ ରାଜ୍ୟ ଶ୍ରମ କମିଶନର ନିଲମ୍ବିତ କରିଥିବା ଜାଣିବାକୁ ମିଳିଛି । ଏସଂପର୍କରେ ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଏନେଇ ବିଭାଗୀୟସ୍ତରରେ କାର୍ଯ୍ୟାନୁÂାନ ନିଆଯିବ ବୋଲି କହିଥିଲେ ।

ଭିଡ଼ିଓରୁ ମିଳିଥିବା ସୂଚନାଅନୁସାରେ, ଟିଟିଲାଗଡ଼ ଅଞ୍ଚଳର ଦୁଇଜଣ ଯୁବକ ଶୁକ୍ରବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଆସିଥିଲେ । ସେମାନେ ଲାଇସେନ୍ସ ଫର୍ମ ଆବେଦନ ନେଇ ସମସ୍ତ ପ୍ରମାଣପତ୍ର ଏବଂ ଫି’ ଯୋଡ଼ିବା ସହ କିରାଣୀ ଶ୍ରୀ ନାଗଙ୍କ ପାଖକୁ ଯାଇଥିଲେ । କିନ୍ତୁ କିରାଣୀ ଶ୍ରୀ ନାଗ ତାଙ୍କୁ ସିଧାସଳଖ କାମ ହୋଇପାରିବନାହିଁ କହି ଫେରାଇ ଦେଇଥିଲେ । ଦୀର୍ଘ ସମୟ ଧରି ସେମାନଙ୍କୁ କାମ ହୋଇପାରିବନାହିଁ କହି ବାରଣ କରିବା ପରେ ଟଙ୍କା ନେଣଦେଣ ବିଷୟକୁ ଉଭୟ ଆସିଥିଲେ । ସେଥିରେ ନିଜେ କିରାଣୀଜଣକ ବିଭାଗର ଦୋଷଦୁର୍ବଳତାକୁ ସାମ୍ନାରେ ପକାଇଦେଇଥିଲେ । ଏହି ବିଭାଗରେ ବିନା ଲାଞ୍ଚରେ କୌଣସି ମଧ୍ୟ ଫାଇଲ ଆଗକୁ ବଢ଼ିନଥାଏ ବୋଲି ସେ କହିଥିଲେ । ଏଭଳି ଲାଞ୍ଚ କାରବାର ଦେଖି ତାଙ୍କ ଚୁଟି ପାଚିଗଲାଣି । କିଏ ଯଦି ବିନା ଟଙ୍କା ନେଇ କାମ କରିବ । ତାହେଲେ ସେ ତାଙ୍କ ପାପୁଲି କାଟିଦେବେ ବୋଲି ମଧ୍ୟ କିରାଣୀ ଜଣକ କହିବାକୁ ପଛାଇନାହାନ୍ତି । ଏଭଳି କଥା ଶୁଣିବା ପରେ ପରେ ସେମାନେ ତାଙ୍କୁ ଏକ ହଜାର ଟଙ୍କା ଦେଇଥିଲେ । ଏହାପରେ କିରାଣୀଜଣକ ତାଙ୍କ ଚିଠି ନମ୍ବର କରିଥିବା ଏକ ଭିଡ଼ିଓ ଭାଇରାଲ ହେଉଛି । ସେହିପରି ଭାଇରାଲ ହେଉଥିବା ଦ୍ୱିତୀୟ ଭିଡ଼ିଓରେ ଆଞ୍ଚଳିକ ଶ୍ରମ କମିଶନରଙ୍କ ଟଙ୍କା ନେବା ଦୃଶ୍ୟ କଏଦ ହୋଇଛି । ଏହାପରେ ସେମାନେ ଆଞ୍ଚଳିକ ଶ୍ରମ କମିଶନର ସରୋଜ କୁମାର ରଞ୍ଜିତୋଙ୍କ ଚାମ୍ବରକୁ ଯାଇଥିଲେ । ସେଠାରେ ମଧ୍ୟ ଟଙ୍କା ଦେଣନେଣକୁ ନେଇ ସେଭଳି କୌଣସି ଆଲୋଚନା ହୋଇନଥିଲା । ହେଲେ ଯୁବକମାନେ କିଛି ସମୟ ବାହାରକୁ ଯାଇ ପୁଣି ଭିତରକୁ ଆସି କମିଶନର ଶ୍ରୀ ରଞ୍ଜିତୋଙ୍କ ଟେବୁଲରେ ଦୁଇଟି ପାଞ୍ଚଶହ ଟଙ୍କିଆ ନୋଟ ଥୋଇ ଦେଇଛନ୍ତି । ଏହାପରେ କମିଶନର ଶ୍ରୀ ରଞ୍ଜିତୋ ତାଉପରେ ଏକ ଫାଇଲ ରଖି ଦେଇ କାମ ହୋଇଯିବ ବୋଲି କହିଥିଲେ ।
ପ୍ରକାଶ ଯେ, ଏଭଳି ଭାବରେ ଶ୍ରମ କାର୍ଯ୍ୟାଳୟରେ ଗୋଟିଏ ଦିନରେ ସାମାନ୍ୟ ଲାଇସେନ୍ସଟିଏ ପାଇଁ ଦୁଇଜଣ ସରକାରୀ କର୍ମଚାରୀ ଆବେଦନକାରୀଙ୍କଠାରୁ ହଜାର ହଜାର ଟଙ୍କା ଲାଞ୍ଚନେଉଛନ୍ତି । ଲାଞ୍ଚ ନଦେଲେ ସାତ ଦିନ, ପନ୍ଦର ଦିନ ଭଳି ମନଇଚ୍ଛା ଫାଇଲଗୁଡ଼ିକୁ ପକାଇରଖାଯାଉଛି । ଯଦି ଟଙ୍କା ମିଳିଯାଉଛି, ତାହେଲେ ଗୋଟିଏ ଦିନରେ ହିଁ ଆବେଦନ ଏବଂ ପଞ୍ଜିକରଣ ଉଭୟ କାମ କରିଦିଆଯାଉଛି । ତେବେ ବେଆଇନ ଦାଦନ ଚାଲାଣ ରୋକିବାର ଗୁରୁଦାୟିତ୍ୱ ନେଉଥିବା ଖୋଦ ଶ୍ରମ ବିଭାଗ ଲାଞ୍ଚ ନେଇ ଦାଦାନ ଚାଲାଣକୁ ପ୍ରୋତ୍ସାହନ ଦେଉଛନ୍ତି । ସେହିପରି ଲାଇସେନ୍ସଟିଏ ପାଇଁ ପୂର୍ବରୁ ହଜାର ହଜାର ଟଙ୍କା ସାରୁଥିବା ସର୍ଦ୍ଧାର ମଧ୍ୟ ଅର୍ଥ ଲୋଭରେ ସମସ୍ତ ପ୍ରକାର ନିୟମକୁ ଫାଙ୍କି ମନଇଚ୍ଛା ଦାଦନ ଚାଲାଣ କରୁଛନ୍ତି । ତେଣୁ ଏମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁÂାନ ହେବା ଉଚିତ ବୋଲି ସାଧାରଣରେ ଦାବି ହେଉଛି ।
Comments are closed, but trackbacks and pingbacks are open.