ବଳଦକୁ ଖାଇଲା କଲରାପତରିଆ

Get real time updates directly on you device, subscribe now.

ବାଲିଗୁଡ଼ା, (ବି.ବି.ନୁ୍ୟଜ): ଜଙ୍ଗଲକୁ ଚରିବାକୁ ଯାଇଥିଲା ବଳଦ । ମାତ୍ର ଆଉ ଫେରିଲାନି । ବହୁ ଖୋଜାଖୋଜି କରିବାର ୨ଦିନ ପରେ ବଳଦର ମୃତହେହ ମିଳିଛି । ଏନେଇ ବନ ବିଭାଗକୁ ଜଣାଇଥିଲେ ବଳଦ ମାଲିକ ସୁରେଶ୍ୱର ମଳିକ । କଲାରାପତରିଆ ଆକ୍ରମଣରେ ବଳଦର ମୃତୁ୍ୟ ହୋଇଥିବା ବେଲଘର ବନାଞ୍ଚଳ ରେଞ୍ଜ ଅଫିସର ବିଦ୍ୟାଧର ଜାନି କହିଛନ୍ତି । ଘଟଣା କନ୍ଧମାଳ ବେଲଘର ବନାଞ୍ଚଳ ଗୁମ୍ମା ସେକସନ ଅନ୍ତର୍ଗତ ଡଗାପାଙ୍ଗା ଜଙ୍ଗଲରେ ଘଟିଛି । ତଙ୍ଗାପାଙ୍ଗା ଗ୍ରାମ ନିକଟରେ ଘଟଣା ଘଟିଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ବାଘ ଆତଙ୍କ ଦେଖାଦେଇଛି । ଜଙ୍ଗଲରେ ନିଅାଁ ଲାଗିଥିବାବେଳେ ଜଙ୍ଗଲ ଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ।
ତିନି ଦିନ ତଳେ ସୁରେଶ୍ୱରଙ୍କ ବଳଦ ଜଙ୍ଗଲକୁ ଚରିବାକୁ ଯାଇଥିଲା । ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲା । ବହୁ ଖୋଜା ଖୋଜି କରିବା ସତ୍ତେ୍ୱ ବଳଦର ସନ୍ଧାନ ପାଇନଥିଲେ । ଦୁଇ ଦିନ ତଳେ ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲକୁ ଯାଇଥିବାବେଳେ ବଳଦର ମୃତଦେହ ଦେଖି ସୁରେଶ୍ୱରଙ୍କୁ ଜଣାଇଥିଲେ । ଏନେଇ ବନ ବିଭାଗକୁ ଖବର ଦେବାରେ ବେଲଘର ରେଞ୍ଜ ଅଫିସର ବିଦ୍ୟାଧର ଜାନି ଘଟଣାସ୍ଥଳରେ ପହଞ୍ଚିଥିଲେ । ଭେଟେନାରୀ ଅଫିସର ମାନସ ନାୟକ ବଳଦର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି । ତାର ବେକରେ ରହିଥିବା ଆକ୍ରମଣର ଚିହ୍ନ ଏବଂ ବଳଦର ପଛ ଅଂଶରୁ କ୍ଷତବିକ୍ଷତ ଚିହ୍ନରୁ କଲରାପତରିଆ ଶିକାର କରିଥିବା କହିଛନ୍ତି ରେଞ୍ଜ ଅଫିସର ବିଦ୍ୟାଧର ଏବଂ ଭେଟେନାରୀ ଅଫିସର ମାନସ ନାୟକ । ଖରାଦିନ ହୋଇଥିବାରୁ ମାଟି ଶୁଖିଲା ଏବଂ ପତ୍ର ପଡ଼ିଥିବାରୁ କଲରାପତରିଆର ପାଦ ଚିହ୍ନ ସ୍ପଷ୍ଟ ଜଣାପଡ଼ି ନାହିଁ । ଗାଁ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଘଟଣା ଘଟିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସନ୍ଧ୍ୟା ହେଲେ ଗାଁରେ ତାଟିକବାଟ ପଡ଼ି ଯାଉଛି । ଲୋକମାନେ ଭୟରେ ଘରୁ ବାହାରୁ ନାହାନ୍ତି । ଅପରପକ୍ଷେ ଜଙ୍ଗଲରେ ନିଆଁ ଲାଗିଥିବାରୁ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେଉଛନ୍ତି । କେତେବେଳେ ବାର୍ହା ତ ଆଉ କେତେବେଳେ କଲରାପତରିଆ ଗ୍ରାମ ନିକଟରେ ଦେଖିବାକୁ ମିଳୁଛି । ବଳଦ ମାଲିକଙ୍କୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବା ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବନ କର୍ମଚାରୀଙ୍କ ତରଫରୁ ସେହି ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି ।
ସୂଚନାଥାଉ କି, ୨୦ ଦିନ ତଳେ ଏକ କଲରାପତରିଆ ଆକ୍ରମଣରେ ଗୋଟିଏ ବାଛୁରୀର ମୃତୁ୍ୟ ହୋଇଥିଲା । ନିକଟ ଜଙ୍ଗଲରେ ଅନେକ କଲରାପତରିଆ ରହିଥିବା ବେଲଘର ବନାଞ୍ଚଳ ରେଞ୍ଜ ଅଫିସର ବିଦ୍ୟାଧର ଜାନି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons