କାମାକ୍ଷାନଗର,(ବି.ବି.ନ୍ୟୁଜ୍):ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମରୁଆବିଲି ପଞ୍ଚାୟତ ଭଦଳିଆ ଗ୍ରାମରେ ଜଣେ ଯୁବତୀଙ୍କ ତଣ୍ଟିକାଟି ଦୁର୍ବୃତ୍ତମାନେ ହତ୍ୟା ଉଦ୍ୟମ କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସମ୍ପୃକ୍ତ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଖବର ଲେଖା ହେବା ସୁଦ୍ଧା ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ବଳାକ୍ରାର ଉଦ୍ୟମରେ ବିଫଳ ହେବାରୁ ଦୁର୍ବୃତ୍ତମାନେ ଏଭଳି ଏକ ହୀନ କାର୍ଯ୍ୟ କରିଥିବା ଅନୁମାନ କରାଯାଉଛି । \n ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଅଞ୍ଚଳର କାଞ୍ଚନ (ଛଦ୍ମନାମ, ୧୯ ବର୍ଷ) ତାଙ୍କ ନାନୀ-ଭିଣୋଇଙ୍କ ଘର ଭଦଳିଆ ଗ୍ରାମକୁ ବୁଲିବାକୁ ଆସିଥିଲେ । ସପ୍ତାହେ ହେଲା ସେ ଆସି ନାନୀଙ୍କ ଘରେ ରହୁଥିଲେ । ମଙ୍ଗଳବାର ରାତି ପ୍ରାୟ ୧୨ଟା ସମୟରେ କାଞ୍ଚନ ଘର ବାରଣ୍ଡାକୁ ଗୋଡ଼ କାଢ଼ିଥିବାବେଳେ ପୂର୍ବରୁ ଛକି ରହିଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଟଣାଓଟରା କରିବା ସହ ବଳାକ୍ରାର ଉଦ୍ୟମ କରିଥିଲେ । କାଞ୍ଚନ ଚିକ୍ରାର କରି ନାନୀ-ଭିଣୋଇଙ୍କୁ ଡାକିବାରୁ ଜଣେ ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲା । ପରେ ଦୁର୍ବୃତ୍ତ ଦ୍ୱୟ ଫେରାର୍ ହୋଇ ଯାଇଥିଲେ । ଚିକ୍ରାର ଶୁଣି ନାନୀ-ଭିଣୋଇ ଆସି ଘର ନିକଟରେ କାଞ୍ଚନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ସାହି ପଡ଼ୋଶୀଙ୍କ ସହାୟତାରେ କାଞ୍ଚନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ତେବେ ବୁଧବାର ସନ୍ଧ୍ୟା ସୁଦ୍ଧା ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା । ଅଭିଯୋଗ ମିଳିବା ପରେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଙ୍କଡାହାଡ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.