ରାୟଗଡ଼ା,(ବି.ବି.ନୁ୍ୟଜ୍): ରକ୍ତ ରଞ୍ଜିତ ହେଲା ଯାତ୍ରାସ୍ଥଳୀ । ଶତାଧିକ ପଶୁପକ୍ଷୀ ବଳି ପକାଇଲେ ଶ୍ରଦ୍ଧାଳୁ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ହାତୀଖମ୍ବା ଗାଁରେ ରବିବାର ପ୍ରସିଦ୍ଧ କୁଳବନ୍ଧ ଯାତ୍ରାରେ ଏହା ଦେଖିବାକୁ ମିଳିଛି । ମାନସିକ ଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ଉତ୍ସବରେ ହଜାରହଜାର ଶ୍ରଦ୍ଧାଳୁ ଓ ମାନସିକଧାରୀ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହ ଛେଳି, କୁକୁଡା ଆଦି ବଳି ପକାଇଛନ୍ତି । ବର୍ଷ ବର୍ଷ ଧରି ସନ୍ତାନସନ୍ତତିରୁ ବଞ୍ଚିତ ହେଉଥିବା ବ୍ୟକ୍ତିମାନେ ଏଠାରେ ମାନସିକ କରି ବ୍ରତ ରଖିଲେ ସେମାନଙ୍କ କୁଳ ଉଦ୍ଧାର ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ରାୟଗଡ଼ା ସହ ପଡେ଼ାଶୀ ଗଜପତି, ଗଞ୍ଜାମ, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶରୁ ଶତାଧିକ ଶ୍ରଦ୍ଧାଳୁ ଯାତ୍ରାରେ ସାମିଲ ହୋଇଥିଲେ । ହଜାରହଜାର ଶ୍ରଦ୍ଧାଳୁ ଓ ମାନସିକଧାରୀ ଯୋଗ ଦେଇଥିଲେ ।
ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଏହି ଯାତ୍ରାର ଖୁବ୍ ନାଁ ରହିଛି । ପ୍ରତି ଦୁଇ ବର୍ଷରେ ଥରେ ଏହାର ଆୟୋଜନ ହୋଇଥାଏ । ମାଘ ମାସର ଶେଷ ରବିବାର ଏହାକୁ ପାଳନ କରାଯାଏ । ଯେଉଁ ଦମ୍ପତି ପୂର୍ବ ବର୍ଷ ଯାତ୍ରା ସମୟରେ ମାନସିକ କରି ଯାଇଥାନ୍ତି ସେହିମାନଙ୍କର ଆସନ୍ତା ଯାତ୍ରା ପୂର୍ବରୁ ନିଶ୍ଚିତ ଭାବେ ଶିଶୁ ଜନ୍ମ ନେଇଥାଏ । ଶିଶୁ ଜନ୍ମ ପରେ ଦମ୍ପତି ନିଜ ପରିବାର ଲୋକଙ୍କ ସହ ମା’ଙ୍କ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ବଳି ଚଢ଼ାଇବା ପ୍ରଥା ରହିଛି । ଯେଉଁ ଦମ୍ପତି ବଳି ପକାଇ ନଥାନ୍ତି ସେମାନେ ପାରା ଉଡାଇ ମାନସିକ ପୂରଣ କରିଥାନ୍ତି । ଅଧିକ ସଂଖ୍ୟାରେ ଛେଳି ଏବଂ କୁକୁଡ଼ା ବଳି ପଡିଥାଏ । କିମ୍ବଦନ୍ତୀ କହେ, ମନ୍ଦିର ମୁଖ୍ୟ ପୂଜକଙ୍କ ଦ୍ୱାରା ପୂର୍ବରୁ ଏଠାରେ ନରବଳି ଏବଂ ପରେ ପୋଢ଼ ବଳି ଦିଆ ଯାଉଥିଲା । ଏବେ ମୁଖ୍ୟ ବଳି ହିସାବରେ ଛାଗ ପ୍ରଦାନ କରାଯାଉଛି । ଏଥିସହ ଶିଶୁଙ୍କୁ ମୁଣ୍ଡନ ମଧ୍ୟ କରାଯାଇଛି । ଅନ୍ୟ ଦେବୀ ପୀଠଗୁଡିକରେ ୫ ରୁ ୧୧ ଦିନ ପର୍ଯ୍ୟନ୍ତ ପର୍ବ ପାଳନ ହେଉଥିବା ବେଳେ ଏଠାରେ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ସକାଳ ୮ ଟାରୁ ଯାତ୍ରା ଆରମ୍ଭ ହୋଇ ଅପରାହ୍ଣ ୪ ଟା ମଧ୍ୟରେ ଶେଷ ହୋଇଥାଏ । ମୁଖ୍ୟ ପୂଜକ ମୂଳ ପୀଠରେ ମା’ଙ୍କ ନିକଟରେ ୨୧ ଟି ଚକୁଳି ଏବଂ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି ଅନ୍ନ ଭୋଗ ପ୍ରଦାନ କରିଥାନ୍ତି । ପରେ ଦୁଇଟି ପାରା ନେଇ ନିକଟସ୍ଥ ପୋଖରୀର ମଧ୍ୟ ଭାଗରେ ମା’ଙ୍କ ତନ୍ତ୍ର ସାଧନା କରିବା ପରେ ତାହାକୁ ଉଡ଼ାଇ ଦେଇଥାନ୍ତି । ପାରା ଉଡ଼ିବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଲୋକାରଣ୍ୟ ହୋଇଥିବା ପୀଠ ପରିସର ଜନଶୂନ୍ୟ ହୋଇଯାଇଥାଏ । ପରେ ପୂଜକ ସୂର୍ଯ୍ୟାସ୍ତ ବେଳେ ମହାଦୀପ ଜାଳି ଛାଗ ବଳି ମା’ଙ୍କ ନିକଟରେ ଅର୍ପଣ କରି ମନ୍ଦିର ଦ୍ୱାର ବନ୍ଦ କରି ଦେଇଥାନ୍ତି । ବର୍ଷର ଅନ୍ୟ ସମୟରେ ପୂଜକ ଏବଂ ତାଙ୍କ ବଂଶଧରଙ୍କ ବ୍ୟତୀତ ଅନ୍ୟ କେହି ବ୍ୟକ୍ତି ମନ୍ଦିରକୁ ଯାଆନ୍ତି ନାହିଁ । ଚଳିତ ବର୍ଷ ମଧ୍ୟ ଏହି ପରମ୍ପରା ଅନୁସାରେ ଯାତ୍ରା ପାଳିତ ହୋଇଛି । ପୂର୍ବରୁ ୨୦୧୮ ରେ ମା’ଙ୍କର ଏହି ପ୍ରସିଦ୍ଧ ଯାତ୍ରା ଅନୁÂିତ ହୋଇଥିଲା ।
ଆଜିର ଯାତ୍ରାରେ ବିଜେଡ଼ି ନେତା ବି.ତିରୁପତି, ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରୀ, ମନ୍ଦିର କମିଟି ସଭାପତି କୁଣ୍ଡାଲା ପ୍ରସାଦ, ଉପସଭାପତି ଅଜୟ ମାଣ୍ଡାଙ୍ଗୀ, ସମ୍ପାଦକ ବାସୁ ନିମାଲା, ସହ ସମ୍ପାଦକ ମାଉଡ଼ି ଶଙ୍କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, କୋଲନରା ବ୍ଲକ ଅଧ୍ୟକ୍ଷା ଗୀତା କଣ୍ଡାଗରୀ, ବିଡ଼ିଓ ତାପସ ଭୋଇ, ଏବିଡ଼ିଓ ଶିବ ଗୋପାଳ ରାଓ, ତହସିଲଦାର ଦେବାଶିଷ କର ପ୍ରମୁଖ ଏହି ପ୍ରସିଦ୍ଧ ଯାତ୍ରା ପରିଦର୍ଶନରେ ଯାଇଥିଲେ । ଗହଳିକୁ ଦୃଷ୍ଟିରେ ରଖି ଦୁଇଜଣ ମାଜିଷ୍ଟେ୍ରଟଙ୍କ ସମେତ ବ୍ୟାପକ ପୁଲିସ ମୂତୟନ କରାଯାଇଥିଲା ।
Comments are closed, but trackbacks and pingbacks are open.