କୋରାପୁଟ,(ବି.ବି.ନ୍ୟୁଜ୍): ଆଇଆର୍ବି କ୍ୟାମ୍ପ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଘରୋଇ କଲେଜ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ ମନୋଜ ମହାନନ୍ଦିଆ(୩୮) । ଗୁରୁତର ବଳରାମ ଜାନୀଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ସହାୟତା ଦାବିରେ ଉତ୍ତ୍ୟକ୍ତ ଲୋକେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ । ଦୀର୍ଘ ୬ଘଣ୍ଟା ଧରି ରାସ୍ତା ଅବରୋଧ ଯୋଗୁ ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଥିଲା । କଲେଜ କର୍ତ୍ତୃପକ୍ଷ କ୍ଷତିପୂରଣ ଭାବେ ୪୦ ହଜାର ଟଙ୍କା ଏବଂ ମୃତ ମନୋଜଙ୍କ ପୁଅକୁ କଲେଜରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ୬ଟା ପରେ ରାସ୍ତା ଅବରୋଧ ହଟିଥିଲା । ଆଜି ପୂର୍ବାହ୍ନରେ ଦେଓଘାଟି ଗ୍ରାମର ମନୋଜ ଓ ବଳରାମ ଏକ ବାଇକ୍ରେ କୋରାପୁଟ ଆସୁଥିଲେ । ଆଇଆର୍ବି କ୍ୟାମ୍ପ ଘାଟି ନିକଟରେ ସେମାନଙ୍କ ଗାଡ଼ିକୁ ଜୟପୁରରୁ କୋରାପୁଟ ଆସୁଥିବା ଏକ ଘରୋଇ କଲେଜ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମନୋଜଙ୍କ ମୃତ୍ୟୁ ହୋଇଥିଲା ଏବଂ ବଳରାମ ଆହତ ହୋଇଥିଲେ ।


Comments are closed, but trackbacks and pingbacks are open.