କୋକସରା,(ବି.ବି.ନୁ୍ୟଜ୍): ଦ୍ରୁତଗାମୀ ବସ୍କୁ ଓଭର୍ଟେକ କରିବା ମହଙ୍ଗା ପଡ଼ିଲା । ବସ୍ ଧକ୍କାରେ ଜଣେ ଆଇଆର୍ବି ଯବାନ ଓ ଜଣେ ହୋମଗାର୍ଡ ପ୍ରାଣ ହରାଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତ ହୋମ୍ଗାର୍ଡ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ପାଣିଗାଁର ପୂର୍ଣ୍ଣଚନ୍ଦ୍ର ନାଏକ ଏବଂ ଯବାନ ଜଣକ ହେଲେ ତାଙ୍କ ସାଙ୍ଗ ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ପାଣ୍ଡିରିପଖାନ ଗାଁର କ୍ଷୀରସିନ୍ଧୁ ଧରୁଆ(୨୫) । ପୂର୍ଣ୍ଣଚନ୍ଦ୍ର ମୋଟେର ଫାଣ୍ଡିରେ କାର୍ଯ୍ୟରତ ଥିବାବେଳେ କ୍ଷୀରସିନ୍ଧୁ କୋରାପୁଟ ଆଇଆର୍ବି ବାଟାଲିୟନ୍ରେ ମୁତୟନ ଥିଲେ ।
ସୂଚନାମତେ, ଶନିବାର ରାତି ପ୍ରାୟ ୧୦.୩୦ରେ ମାଲକାନଗିରିରୁ ସମ୍ବଲପୁର ଯାଉଥିବା ସୌରଭ ନାମକ ଯାତ୍ରୀବାହୀ ବସ୍ରେ କୋକସରାଠାରୁ ମୋଟେର ଫାଣ୍ଡିକୁ ଯିବା ପାଇଁ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଅପେକ୍ଷା କରିଥିଲେ । ବସ୍ଟି ନ ଅଟିକିବାରୁ ତାଙ୍କର ଦୁଇ ବନ୍ଧୁ ସେହି ସମୟରେ ଏକ ବାଇକ୍ରେ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ବସ୍ଟି ବାଇକ୍କୁ ଧକ୍କା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ପାଚେରୀରେ ପିଟି ହୋଇ ଛିଟିକି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଓ ଯବାନ କ୍ଷୀରସିନ୍ଧୁଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟଜଣେ ସାଙ୍ଗ ବିଘ୍ନେଶ୍ୱର ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଖବର ପାଇ କୋକସରା ପୁଲିସ ଦୁର୍ଘଟଣାଗ୍ରସ୍ତ ତିନି ଯୁବକଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ବସ୍କୁ ମୋଟେର ଫାଣ୍ଡିରେ ଅଟକ ରଖାଯାଇଛି । ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତୁ୍ୟ ପରେ ପରିବାର ପ୍ରତିପୋଷଣ ପାଇଁ ତାଙ୍କ ବଡ଼ପୁଅକୁ ହୋମଗାର୍ଡ ନିଯୁକ୍ତି ଦେବା ପାଇଁ ଗ୍ରାମବାସୀ ଦାବି କରିବା ସହ ଶବ ବ୍ୟବଚ୍ଛେଦ ପରେ କିଛି ସମୟ ପାଇଁ କୋକସରା ଥାନା ଆଗରେ ପାଣିଗାଁ ଲୋକେ ଶବ ରଖି ରାସ୍ତା ଅବରୋଧ କରିଥିଲେ । କୋକସରା ଅତିରିକ୍ତ ତହସିଲଦାର ଶରତଚନ୍ଦ୍ର ଶବର, ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ପହଞ୍ଚି ପୁଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୃତ ହୋମଗାର୍ଡଙ୍କ ପୁଅକୁ ନିଯୁକ୍ତି ଦେବା ସହ ସରକାରୀ ସ୍ତରରେ କ୍ଷତିପୂରଣ ଓ ସହାୟତା ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ମୃତ ଯବାନଙ୍କ ପରିବାରକୁ ମଧ୍ୟ ସହାୟତା ଦିଆଯିବ ବୋଲି ଅଧିକାରୀ କହିବା ପରେ ଶବ ଧରି ଫେରିଥିଲେ ।
Comments are closed, but trackbacks and pingbacks are open.