କଣାସ,(ବି.ବି.ନୁ୍ୟଜ୍): ଦୁଇ ସମୁଦୁଣୀ । ଗାଁରୁ ସାଥୀ ହୋଇ ତୀର୍ଥ କରିବାକୁ ପୁରୀ ଯାଉଥିଲେ । ଯେଉଁ ବସରେ ତୀର୍ଥ ଭ୍ରମଣରେ ବାହାରିଥିଲେ ସେହି ବସ ହିଁ କାଳ ସାଜିଲା । ଡ୍ରାଇଭର ଗାଡ଼ି ପଛକୁ ନେଉଥିବା ବେଳେ ପଛରେ ଛିଡ଼ା ହୋଇଥିବା ଦୁଇ ସମୁଦୁଣୀଙ୍କ ଉପରେ ଚକ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ବାଟରେ ପ୍ରାଣ ହରାଇଥିଲେ । ମୃତ ଦୁଇ ମହିଳା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନେ୍ଦାଳ ନିକଟ ଇସାନ୍ଦିଆ ଗ୍ରାମର ନିରଞ୍ଜନ ସାହୁଙ୍କ ପତ୍ନୀ ନୟନା ସାହୁ(୬୦) ଓ ଅନ୍ୟ ଜଣେ ସେହି ଗ୍ରାମର ସରୋଜିନୀ ସାହୁ(୫୫) ।
ରବିବାର ରାତି ପ୍ରାୟ ୨ଟାରେ ଶ୍ରୀକ୍ରିଷ୍ଣା ନାମକ ବସ(ଓଡି ୦୫ ଏଆର୍ ୧୮୧୪)ରେ ଇସାନ୍ଦିଆ ଗ୍ରାମର ୪୫ଜଣ ପୁରୀ ବାହାରିଥିଲେ । ପୁରୀ ଯିବା ପୂର୍ବରୁ କଣାସ ବ୍ଲକର ଗଡ଼ିଶାଗୋଦା ଥାନା ଅନ୍ତର୍ଗତ କରମଳାସ୍ଥିତ ଠାକୁର ଅଭିରାମ ପରମହଂସ ଦେବଙ୍କ ଶାନ୍ତି ଆନନ୍ଦାଶ୍ରମ ବୁଲିବା ପାଇଁ ଯୋଜନା କରିଥିଲେ । ସୋମବାର ସକାଳ ପ୍ରାୟ ୬ଟାରେ ଆଶ୍ରମରେ ପହଞ୍ଚô ଥିଲେ । ସ୍ନାନ ଶୌଚ ସାରି ଜଳଖିଆ ଖାଇ ଆଶ୍ରମ ବୁଲିବା ପରେ ସକାଳ ୯ଟା ୩୦ରେ ପୁରୀ ଅଭିମୁଖେ ବାହାରି ଥିଲେ । ବସରେ କିଛି ଯାତ୍ରୀ ବସି ଯାଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ତଳେ ଛିଡ଼ା ହୋଇଥିଲେ । ଚାଳକ ଗାଡ଼ି ବ୍ୟାକ୍ ଗିୟର ଦେଇ ପଛକୁ ନେଲା ବେଳେ ଗାଡ଼ି ପଛରେ ଠିଆ ହୋଇଥିବା ନୟନା ଓ ସରୋଜିନୀଙ୍କୁ ଧକ୍କା ଦେଇଥିଲା । ସେମାନେ ତଳେ ପଡ଼ି ଯାଇଥିଲେ । ବସ ଚକ ନୟନାଙ୍କ ମୁଣ୍ଡରେ ଚଢ଼ି ଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ସରୋଜିନୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ତେବେ ବାଟରେ ସରୋଜିନୀ ପ୍ରାଣ ହରାଇଥିଲେ ।
ଦଶମ ଶ୍ରେଣୀରେ ପଢୁଥିବା ନୟନାଙ୍କ ନାତି ରାକେଶ(୧୫) ଓ ଅନ୍ୟମାନେ ସେଠାରେ କାନ୍ଦି କାନ୍ଦି ଲୋଟି ପଡ଼ୁଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ଆମ୍ବୁଲାନ୍ସ ଡାକି ସରୋଜିନୀଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ । ଗଡ଼ିଶାଗୋଦା ପୁଲିସ ପହଞ୍ଚô ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଗାଡ଼ିକୁ ଜବତ କରିଥିଲା । ଥାନାଧିକାରୀ ଉମାକାନ୍ତ ଦଳାଇ କହିଛନ୍ତି, ଏନେଇ ୯/୨୦ରେ ଏକ ମାମଲା ରୁଜୁ ହୋଇଛି । ଡ୍ରାଇଭର ଫେରାର ହୋଇଯାଇଛି । ଶବ ଦୁଇଟି ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି ।
Comments are closed, but trackbacks and pingbacks are open.