ନୟାଗଡ଼,(ବି.ବି.ନୁ୍ୟଜ୍): ବହି ଦୋକାନରେ ମଦ ବେପାର! କିଏ କାହିଁକି ବିଶ୍ୱାସ କରିବ? କିନ୍ତୁ ଏମିତି ଏକ ଘଟଣାର ମଙ୍ଗଳବାର ପର୍ଦ୍ଧାଫାଶ ହୋଇଛି । ଘଟଣାଟି ନୟାଗଡ଼ ଜିଲ୍ଲା ଇଟାମାଟିର । ଏଠାରେ ଏକ ବହି ଦୋକାନ ଅଛି । ଗୋଟିଏ ସାଧାରର ବହି ଦୋକାନ ଯେମିତି ଦେଖାଯାଏ, ଏହା ବି ଠିକ୍ ସେମିତି ଦେଖାଯାଉଥିଲା । କିନ୍ତୁ ବହି ବଦଳରେ ଏଠାରେ ଲକ୍ଡାଉନ୍ ବେଳେ ଚାଲିଥିଲା ଚୋରା ମଦ ବେପାର । ସୂଚନା ଅନୁଯାୟୀ , ଗ୍ରାହକମାନେ ଏଠାରେ ନିଜ ମନପସନ୍ଦର ମଦ ବ୍ରାଣ୍ଡ ଅର୍ଡର ଦେଇ ନେଉଥିଲେ । ଏମିତିକି ଦୋକାନୀ ଜଣଙ୍କ କହୁଥିଲେ , ଯେତେ କହିବ ସେତେ ମିଳିବ । ପେଟି ପେଟି ବି ମିଳିବ । ରାତି ୭ଟାରୁ ସକାଳ ୬ଟା ଭିତରେ ସେ ନିଜର ଏହି ଚୋରା ବେପାର ଚଳାଇଥିଲେ । ତେବେ ଘଟଣା ପ୍ରଘଟ ହେବା ପରେ ପୋଲିସ ତାଙ୍କୁ ଉଠାଇ ନେଇଛି । ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତାଙ୍କ ନାଁ ଅଭିଜିତ ସାହୁ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଜାରି ପରେ ସୋମବାର ଠାରୁ କିଛି ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ଆମ ରାଜ୍ୟରେ ମଦ ଦୋକନା ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ସ୍ଥିତିର ତର୍ଜମା କରାଯାଇ ଏ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed, but trackbacks and pingbacks are open.