ସମ୍ବଲପୁର,(ବି.ବି.ନ୍ୟୁଜ୍): ମାଁ ନିଖୋଜ ଥିବା ନେଇ ସାରା ପରିବାରରୁ ଆରମ୍ଭ କରି ସଂପର୍କୀୟ ସାଇ ପଡିଶା ସମସ୍ତେ ୮ବର୍ଷ ହେଲା ନିଶ୍ଚିତ ହୋଇଯାଇଥିଲେ । ହେଲେ ଅମାନିଆଁ ଝିଅର ମନ ବୁଝିନଥିଲା । ମାଁଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରଥମରୁ ଝିଅ ସନ୍ଦେହ କରି ଆସିଥିଲେ । ଆଉ ଭାଇଙ୍କ ସହ ମିଶି ମାଁଙ୍କୁ ନ୍ୟାୟ ଦେବା ପାଇଁ ସବୁ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ ଜାରି ରଖିଥିଲେ । ଶେଷରେ ମାଁ ହତ୍ୟାର ଶିକାର ହୋଇଥିବା ନେଇ ୪ ଦିନ ତଳେ ସ୍ପଷ୍ଟ ହୋଇ ଅଭିଯୁକ୍ତ ଗିରଫ ହୋଇଥିଲା । ଏପଟେ ଦୀର୍ଘ ୪ ଦିନର ସନ୍ଧାନ ପରେ ମାଟି ତଳୁ ଆଜି ମୃତ ଜୟଶ୍ରୀ ମିଶ୍ରଙ୍କ ଦେହାବଶେଷର କିଛି ଅଂଶ ଉଦ୍ଧାର କରିବାରେ ପୁଲିସ ସଫଳ ହୋଇଛି । ବୁର୍ଲା ଥାନା ଅନ୍ତର୍ଗତ ବଡସିଂହାରୀ ଗାଁ ନିକଟରେ ପ୍ରାୟ ୪ ଫୁଟ୍ ଗଭୀର ଗାତ ଖୋଳିବା ପରେ ଆଜି ମୃତ ଜୟଶ୍ରୀଙ୍କ ଖପୁରୀ ସମେତ କିଛି ହାଡ ଉଦ୍ଧାର କରିବାରେ ସଫଳ ହୋଇଛି । ଏହାକୁ ପରୀକ୍ଷା ପାଇଁ ଫୋରେନ୍ସିକ୍ ଲ୍ୟାବ୍କୁ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି । ଅପରପକ୍ଷେ, ହତ୍ୟା ପରେ ଅଭିଯୁକ୍ତ ବସନ୍ତ ପଣ୍ଡାକୁ ମାଟି ଖୋଳାରେ ସହଯୋଗ କରିଥିବା ବ୍ୟକ୍ତିକୁ ବି ପୁଲିସ ଅଟକ ରଖିଛି । ଏହାଛଡା ଝିଅ ବିଜୟିନୀ ତାଙ୍କ ମାଁଙ୍କ ହତ୍ୟାକାରୀକୁ କଠୋର ଦଣ୍ଡ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି । ସୂଚନା ଅନୁସାରେ, ୨୦୧୧ ମସିହା ଅକ୍ଟୋବର ମାସରେ ନିଜର ବଡ ଝିଅର ବାହାଘର ଠିକ୍ ହେବା ପରେ ନିମନ୍ତ୍ରଣ କାର୍ଡ ଦେବା ପାଇଁ ଘରୁ ରାୟପୁର ଅଭିମୁଖେ ବାହାରିଥିଲେ ସମ୍ବଲପୁର ନନ୍ଦପଡାର ସ୍ୱର୍ଗତ ମୁରାରୀ ପ୍ରସାଦ ମିଶ୍ରଙ୍କ ଧର୍ମପତ୍ନୀ ଜୟଶ୍ରୀ । ହେଲେ ତା ପରଠୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ ଜୟଶ୍ରୀ । ଏନେଇ ପରିବାର ଲୋକ ତାଙ୍କୁ ବିଭିନ୍ନ ଆଡେ ଖୋଜା ଖୋଜି କରିବା ପରେ ଟାଉନ ଥାନାରେ ଏତଲା ଦେଇଥିଲେ । ଏନେଇ ପୁଲିସ୍ ଷ୍ଟେସନ ଡାଏରି କରି ଚୁପ୍ ଚାପ୍ ବସିଯାଇଥିଲା । ସେପଟେ ଜୟଶ୍ରୀ କାହା ସହ ପ୍ରେମ ସଂର୍ପକ ରହିଥିବାରୁ ଫେରାର ହୋଇ ଯାଇଛନ୍ତି ବୋଲି ପଡା ପଡୋଶୀ ମାନେ ଟୁପୁରୁ ଟାପୁରୁ ହୋଇଥିଲେ । ମା’ ଅନ୍ୟ କେଉଁ ପୁରୁଷ ସହ ପଳାଇଯିବା ଅପପ୍ରଚାରକୁ ନେଇ ସାନ ଝିଅ ବିଜୟୀନି ଏବଂ ପୁଅଙ୍କ ବହୁ ଅପବାଦ ସହିବାକୁ ପଡିଥିଲା ।
ମାଁଙ୍କ ନିଖୋଜ ରହସ୍ୟ ଉନ୍ମୋଚନ ସହ ତାଙ୍କ ମୁଣ୍ଡରେ ଲାଗିଥିବା ଅପବାଦକୁ ଧୋଇବା ପାଇଁ ମଝିଆ ଝିଅ ବିଜୟିନୀ ସାନ ଭାଇ ଭବାନୀଙ୍କ ସହ ଗତ ୮ ବର୍ଷ ହେଲା ଦିନ ରାତି ଏକ କରି ଦେଇଥିଲେ । ସୂଚନା ଅଧିକାର ତାଙ୍କୁ ଏହି ସଂଗ୍ରାମରେ ଅନେକ ସହାୟ ହୋଇଥିଲା । ପରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ପୁଲିସ ବନ୍ଧା ହୋଇଥିବା ପୁରଣା ଫାଇଲ ପୁଣି ଖୋଲିଥିଲା । ଆରମ୍ଭ ହୋଇଥିଲା ଘଟଣାର ରହସ୍ୟ ଖୋଜା । ତେବେ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ୍ ଜାଣିବାକୁ ପାଇଥିଲା । ଆଉ ଏଥିରେ ସଂପୃକ୍ତ ବୁର୍ଲା ଥାନା ବଡସିଂହାରୀ ଗାଁର ବସନ୍ତ ପଣ୍ଡାକୁ ଯୁଯୁମୁରାରୁ ୪ ଦିନ ତଳେ ଗିରଫ କରିଥିଲା । ତା ପରେ ଖୋଲିଥିଲା ସଂପୂର୍ଣ୍ଣ ଗୁମର ।
ଟଙ୍କା ନେଣଦେଣକୁ ନେଇ ଜୟଶ୍ରୀ ଏବଂ ବସନ୍ତ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ଟଙ୍କା ଫେରସ୍ତ ଦେବାକୁ ଚାହୁଁନଥିବା ବସନ୍ତ ସବୁ ଦିନ ପାଇଁ ଜୟଶ୍ରୀଙ୍କୁ ହଟେଇ ଦେବା ପାଇଁ ରଚିଥିଲା ବ୍ଲୁ ପ୍ରିଣ୍ଟ୍ । ନିମନ୍ତ୍ରଣ ପତ୍ର ଦେବା ପାଇଁ ଜୟଶ୍ରୀ ବସନ୍ତକୁ ଗୋଶାଳା ଛକରେ ଭେଟିଥିଲେ । ପରେ ସେଠୁ ଏକ ବାଇକ୍ ଯୋଗେ ଚାଉଁରପୁର ଆସୁଥିବା ବେଳେ ଜୟଶ୍ରୀ ବସନ୍ତକୁ ଧାର୍ ଦେଇଥିବା ଟଙ୍କା ମାଗିଥିଲେ । ତେବେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ବସନ୍ତ ଜୟଶ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ବଡସିଂହାରୀ ପାଖରେ ଏକ ଗାତ ଖୋଳି ସେଠାରେ ପୋତି ଦେଇଥିଲା । ଏଥିରେ ଗାଁର ଚୈତନ୍ୟ କୁଅଁର ଓରଫ୍ ମାନୁ(୩୬) ଗାତ ଖୋଳିବାରେ ସହଯୋଗ କରିଥିଲା । ଆଜି ମୁଖ୍ୟ ଅଭିଯୁକ୍ତ ବସନ୍ତ ସହିତ ଚୈତନ୍ୟର ଉପସ୍ଥିତିରେ ଗାତ ଖୋଳାଯାଇଥିବା ବେଳେ ପରେ ପୁଲିସ ଅଧିକ ତଦନ୍ତ ପାଇଁ ଚୈତନ୍ୟକୁ ଅଟକ ରଖିଛି । ଘଟଣା ପର୍ଦ୍ଦାଫାସର ଦୀର୍ଘ ୪ ଦିନ ଧରି ଶବ ପୋତାଯାଇଥିବା ଜାଗାରେ ଖୋଜାଖୋଜି ଆରମ୍ଭ ହୋଇଥିଲେ ମଧ୍ୟ ପତ୍ତା କୌଣସି ପତ୍ତା ପାଇନଥିଲା ପୁଲିସ୍ । ଏନେଇ ଅଭିଯୁକ୍ତ ବସନ୍ତକୁ ଆଜି ଦୁଇଦିନିଆ ରିମାଣ୍ଡରେ ଆଣିବା ପରେ ଅପରାହ୍ନରେ ସଦର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଶବ ଖୋଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜେସିବି ଲଗାଇ ପାଖାପାଖି ୪ ଫୁଟରୁ ଉଦ୍ଧ୍ୱର୍ ଖୋଳା ହେଲା ପରେ ମୁଣ୍ଡର ଖପୁରୀର କିଛି ଅଂଶ ସହିତ ମାଟି ମିଶା ଛୋଟ ହାଡ ଖଣ୍ଡ ଉଦ୍ଧାର ହୋଇଥିଲା । ସାଇଣ୍ଟିଫିକ୍ ଟିମ୍ ମୁଖ୍ୟ ବିଜୟଲକ୍ଷ୍ମୀ ତିର୍କୀଙ୍କ ନେତୃତ୍ୱରେ ଏକ ୩ ଜଣିଆ ଦଳ ଏହାକୁ ସଂଗ୍ରହ କରିଛନ୍ତି । ଘଟଣାକୁ ଦୀର୍ଘ ୮ ବର୍ଷ ବିତିଯାଇଥିବାରୁ ସଂପୂର୍ଣ କଙ୍କାଳ ମିଳିପାରିନାହିଁ ।
ସେପେଟେ ମୃତ ଜୟଶ୍ରୀ ଡିଏନ୍ଏ ଟେଷ୍ଟ ପାଇଁ ଭୁବନେଶ୍ୱର ରସୁଲଗଡରେ ଥିବା ଷ୍ଟେଟ୍ ଫରେନ୍ସିକ ଲ୍ୟାବକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସଦର ଏସ୍ଡିପିଓ ଶ୍ରୀ ଉଦ୍ଗାତା ସୂଚନା ଦେଇଛନ୍ତି । ମୃତ ଦେହକୁ ପୋତିବା ପାଇଁ ଗାତ ଖୋଳିଥିବା ଜଣେ ମଜୁରୀଆକୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି । ସେପଟେ ଜେଏନ୍ୟୁରେ ପାଠ ପଢୁଥିବା ବିଜୟନୀଙ୍କ ଏକାନ୍ତ କାମ୍ୟ ଥିଲା ନିଜ ମାଁଙ୍କ ଉପରେ ଲାଗିଥିବା ଅପବାଦକୁ ଉଠାଇବା । ସେଥିରେ ସେ ଦୀର୍ଘ ୮ ବର୍ଷ ଧରି ସଂର୍ଘଷ କରି ଏକପ୍ରକାର ସଫଳ ହୋଇଛନ୍ତି । କିନ୍ତୁ ତାଙ୍କୁ ମାଁଙ୍କୁ ଦିଆଯାଇଥିବା ଅପବାଦ ବଦଳରେ ସେ ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯିବା ପାଇଁ ପ୍ରତିକ୍ରିୟାରେ କହିଛନ୍ତି । ଅପରପକ୍ଷେ, ଏ ପର୍ଯ୍ୟନ୍ତ ମାଁଙ୍କ ମୃତ୍ୟୁ ସ୍ପଷ୍ଟ ହୋଇନଥିବାରୁ ଆଜି ଯାଏ ତାଙ୍କ ଶୁଦ୍ଧିକ୍ରିୟା ବି ସମ୍ଭବ ହୋଇପାରିନଥିଲା । ହେଲେ ଡିଏନ୍ଏ ଟେଷ୍ଟରେ ଉଦ୍ଧାର ହୋଇଥିବା ଖପୁରୀ ତାଙ୍କ ମାଁଙ୍କ ବୋଲି ଜଣାପଡିଲେ ସଂପୂର୍ଣ ରୀତିନୀତିରେ ଗଙ୍ଗାଶ୍ରାଦ୍ଧ ସହ ଶୁଦ୍ଧିକ୍ରିୟା କରାଯିବ ବୋଲି ଝିଅ ବିଜୟିନୀ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.