ବାଇକ୍କୁ ଧକ୍କା ଦେଲା କାର୍ :ବଡ଼ଭାଇ ମୃତ ସାନ ଗୁରୁତର

Get real time updates directly on you device, subscribe now.

କୋରାପୁଟ,(ବି.ବି.ନ୍ୟୁଜ୍): କୋରାପୁଟ ଟାଉନ ଥାନା ନୂଆକଲୋନୀ ନିକଟ ଜାତୀୟ ରାଜପଥରେ ଶନିବାର ରାତିରେ ଏକ ବାଇକ୍କୁ କାର ଧକ୍କା ଦେଇଛି । ଫଳରେ ରାଜେନ୍ଦ୍ର ଖରା ନାମକ ଜଣେ ରେଳବାଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ତାଙ୍କ ସାନ ଭାଇ ହେମନ୍ତ ଖରା ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷେ ମୃତକଙ୍କ ପରିବାରର ଜଣକୁ ନିଯୁକ୍ତି ଓ ଆହାତଙ୍କ ଚିକିତ୍ସା ଦାବିରେ ଉତ୍ତ୍ୟକ୍ତ ଲେକେ ଆଜି ଡ଼ୁମୁରିପୁଟ ନିକଟ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଯାନବାହାନ ଅଟକି ରହିଥିଲା । କୋରାପୁଟ ସହକାରୀ ଜିଲ୍ଲାପାଳ ଆଲୋକ ଆନୁଗୁଳିଆ, ଜିଲ୍ଲା ଜରୁରିକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ନେହରୁ ମାଝୀ, ଟାଉନ ଥାନା ଆଇଆଇସି ବାସୁଦେବ ଛତ୍ରିଆ, ସଦର ଥାନା ଆଇଆଇସି ସମର୍ପିତା ସ୍ୱାଇଁ, ସୁନାବେଡ଼ା ଆଇଆଇସି ସୁମିତ୍ରା ଜେନା, ସେମିଳିଗୁଡ଼ା ଆଇଆଇସି ସମ୍ବିତ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହ ଦୀର୍ଘ ୪ଘଣ୍ଟା ପରେ ଅବରୋଧ ହଟିଥିଲା ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କୋରାପୁଟ ବ୍ଲକ ଡ଼ୁମୁରିପୁଟ ଗାଁର ରାଜେନ୍ଦ୍ର ଓ ତାଙ୍କ ସାନଭାଇ ହେମନ୍ତ ଗୋଟିଏ ବାଇକରେ କୋରାପୁଟରୁ ରାତିରେ ଘରକୁ ଫେରୁଥିଲେ । ନୂଆକଲୋନୀ ନିକଟରେ ସେମାନଙ୍କ ଗାଡ଼ିକୁ ସୁନାବେଡ଼ାରୁ କୋରାପୁଟ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା । ଫଳରେ ରାଜେନ୍ଦ୍ର ଓ ହେମନ୍ତ ରାସ୍ତାପାଶ୍ୱର୍କୁ ଛିଟକି ପଡିଥିଲେ । ଖବର ପାଇ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଭାଇଙ୍କୁ ଉଦ୍ଧାର କରି ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲା । ମେଡ଼ିକାଲରେ ପହଞ୍ଚିବା ପୂର୍ବରୁ ଗୁରୁତର ବଡ଼ଭାଇ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ସାନ ଭାଇ ହେମନ୍ତଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିଲା । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ମୃତ ଓ ଆହାତ ଭାଇଙ୍କ ପରିବାରକୁ ସହାୟତା ଦାବିରେ ଉତ୍ତ୍ୟକ୍ତ ଲୋକମାନେ ଆଜି ଡ଼ୁମୁରିପୁଟ ଜାତୀୟ ରାଜପଥ ଅବରୋଧ କରିଥିଲେ । ମୃତ ରାଜେନ୍ଦ୍ରଙ୍କ ୩ଟି ସନ୍ତାନ ରହିଛନ୍ତି । ରାଜେନ୍ଦ୍ର ରେଳବାଇରେ ଜଣେ ନିୟମିତ କର୍ମଚାରୀଭାବେ କାମ କରୁଥିଲେ । ତାଙ୍କ ମୃତ୍ୟୁ ପରେ ପରିବାର ଏବେ ବେସାହାରା ହୋଇପଡିଛି । ତାଙ୍କ ପତ୍ନୀକୁ ରେଳବାଇରେ ନିଯୁକ୍ତି ସହିତ ଆହାତ ସାନଭାଇର ମାଗଣା ଚିକିତ୍ସା ଦାବି କରାଯାଇ ରାଜପଥ ଅବରୋଧ କରାଯାଇଥିଲା । ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଆହାତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ମୃତଙ୍କ ପତ୍ନୀକୁ ରେଳବାଇରେ ନିଯୁକ୍ତି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପତ୍ର ମାଧ୍ୟମରେ ପ୍ରସ୍ତାବ ଦିଆଯିବ ବୋଲି ସହକାରୀ ଜିଲ୍ଲାପାଳ ଆଲୋକ ଆନୁଗୁଳିଆ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons