କୋରେଇ,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥର ଆଲିଆ ଛଅ ନିକଟରେ ଆଜି ଅପରାହ୍ଣରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଏକ ଅଜଣା ଟ୍ରକ୍ ଗୋଟିଏ ବାଇକ୍କୁ ଧକ୍କା ଦେବାରୁ ବାଇକ ଆରୋହୀ ଶ୍ୱଶୁରଙ୍କ ମୃତୁ୍ୟ ଘଟିଥିବା ବେଳେ ଜ୍ୱାଇଁ ଗୁରୁତର ହୋଇ କଟକ ବଡ଼ମେଡିକାଲ୍କୁ ସ୍ଥାନାନ୍ତର ହୋଇଛନ୍ତି । ମୃତ ଶ୍ୱଶୁର ଯାଜପୁର ଟାଉନ ଥାନା ଯାଗେଶ୍ୱରପୁର ଗ୍ରାମର ବାବୁନି ସାମଲ(୫୮) ହୋଇଥିବା ବେଳେ ସେ ବ୍ୟାସନଗର ସହର ଉପକଣ୍ଠ ସନ୍ତରାରେ ରହି ଲୁଗା ବେପାର କରୁଥିଲେ । ଗୁରୁତର ଜ୍ୱାଇଁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ନବୀନ ଯାବଦ ବୋଲି ଜଣାପଡ଼ିଛି ।
ବାବୁନି ଆଜି ଅପରାହ୍ଣ ସାଢେ଼ ୩ଟା ବେଳେ ବାଇକ(ଓଡି୩୪ସି ୯୧୮୬)ରେ ଜ୍ୱାଇଁ ନବୀନଙ୍କୁ ସନ୍ତରାରୁ ନେଇ ପାଣିକୋଇଲି ଛାଡ଼ିବାକୁ ଆସୁଥିଲେ । ୨୦ନଂ ଜାତୀୟ ରାଜପଥର ଆଲିଆ ନିକଟରେ ସମ୍ମୁଖରେ ଏକ ଟ୍ରକ୍ ଅଟକି ଥିବା ଦେଖି ବାବୁନି ବାଇକ ଗତି ଧିମେଇ ଦେଇଥିଲେ । ଏତିକିବେଳେ ଦ୍ରୁତଗତିରେ ପଛରୁ ଆସୁଥିବା ଏକ ଅଜଣା ଟ୍ରକ୍ ବାଇକ୍କୁ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ ଜ୍ୱାଇଁ ନବୀନ ରାଜପଥ ମଝିରେ ଥିବା ଡିଭାଇଡର୍ ଉପରକୁ ଛିଟିକି ପଡ଼ିଥିଲେ । ହେଲେ ଶ୍ୱଶୁର ବାବୁନି ବାଇକ ସହ ଟ୍ରକ୍ ପଛ ଚକା ତଳେ ପଡ଼ି ଯାଇଥିଲେ । ଟ୍ରକ୍ ବାବୁନିଙ୍କ ମୁଣ୍ଡ ଉପରେ ଚଢ଼ି ଫେରାର୍ ହୋଇଯାଇଥିଲା । ଫଳରେ ବାବୁନିଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା । ସ୍ଥାନୀୟ ଲୋକ ବାବୁନି ଓ ନବୀନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ୍ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ହେଲେ ଡାକ୍ତର ସେଠାରେ ବାବୁନିଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ନବୀନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲ୍ ସ୍ଥାନାନ୍ତର କରିଥିବା ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି ।
ତେବେ ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ଆଲିଆ ଛକରେ ହେଉଥିବା ଚୋରା ଡିଜେଲ କାରବାରକୁ ଦାୟୀ କରିଛନ୍ତି । ଏଠାରେ ଡିଜେଲ ଚୋରା କାରବାର ହେଉଥିବାରୁ ଗାଡ଼ି ଚାଳକମାନେ ବେଧଡ଼କ ଭାବେ ରାସ୍ତା କଡ଼ରେ ଗାଡ଼ି ଅଟକାଇ ଡିଜେଲ କାଢ଼ି ବିକ୍ରି କରୁଛନ୍ତି । କେତେକ ଟ୍ରକ୍ ରାସ୍ତା ଉପରକୁ ମାଡ଼ି ରହୁଥିବାରୁ ଆରୋହୀଙ୍କ ଠାରୁ ଆରମ୍ଭ କରି ପଥଚାରୀ ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖୁଲମଖୁଲା ଡିଜେଲ କାରବାର ହେଉଥିଲେ ବି ଏହା ଉପରେ କାହାରି ନଜର ପଡ଼ୁ ନାହିଁ । ଯେଉଁଥି ପାଇଁ ଆଜି ଜଣେ ବାଇକ୍ ଆରୋହୀ ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ ।


Comments are closed, but trackbacks and pingbacks are open.