
ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ବାଇକ୍ ଚୋରି ଅଭିଯୋଗରେ ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ବ୍ୟକ୍ତିଜଣଙ୍କ ହେଲେ ମାରୁଫ ଚୌହାନ । ତାଙ୍କ ଘର ହରିୟାଣା ରାଜ୍ୟରେ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୌରହରି ସାହୁ କହିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ, ମାରୁଫ ହରିୟାଣାରୁ ଆଣି ଡୋଳିଆମ୍ବା ଗାଁରେ ରହି ଚଦର, କମ୍ବଳ, ବେଡ୍ସିଟ୍ ଆଦି ବିକ୍ରି କରୁଥିଲା । ଗତ ୧୭ ତାରିଖରେ ମାରୁଫ ଓ ଡୋଲିଆମ୍ବା ଗାଁର ତପନ ମହାନନ୍ଦିଆ ୩୨୬ ନମ୍ବର ଜାତୀୟ ରାଜପଥ ରେଳବାଇ ଛକ ନିକଟରେ ଥିବା ଏକ ଢାବାକୁ ଖାଇବାକୁ ଯାଇଥିଲେ । ଖାଇବା ପରେ ମାରୁଫ ତପନଙ୍କ ବାଇକ୍ ମାଗି ପାଖରୁ ଆସୁଛି କହି ନେଇଥିଲା । ହେଲେ ରାତି ପର୍ଯ୍ୟନ୍ତ ଆଉ ସେ ଫେରି ନଥିଲା । ତା’ପରଦିନ ମଧ୍ୟ ମାରୁଫ ଆସି ନଥିଲା । ଶେଷରେ ତପନ ଲକ୍ଷ୍ମୀପୁର ଥାନାରରେ ପହଞ୍ଚି ବାଇକ୍ ଚୋରି ହୋଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାରୁଫର ମୋବାଇଲ୍ ନମ୍ବରକୁ ଟ୍ରାକିଂ କରିଥିଲା । ଟ୍ରାକିଂ ବେଳେ ମାରୁଫ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଥିବା ଜଣାପଡିଥିଲା । ଏସ୍ଆଇ ସମ୍ବିତ ସ୍ୱାଇଁଙ୍କ ନେତୃତ୍ୱରେ ପ୍ରଦୀପ ସାରା, ସୁଶାନ୍ତ ପ;ନାୟକ ପ୍ରମୁଖ ଚଢଉ କରି ବାଇକ୍ ଜବତ କରିବା ସହ ମାରୁଫକୁ ଧରି ଲକ୍ଷ୍ମୀପୁର ଥାନାକୁ ଆଣିଥିଲେ । ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।


Comments are closed, but trackbacks and pingbacks are open.