ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆ ଆଳୁଗଦି ନିକଟ ଜାତୀୟ ରାଜପଥ କଡ଼ରେ ଥିବା ଏକ ବାଇକ୍ ସୋ’ ରୁମ୍ ଓ ହାର୍ଡୱେର୍ ଷ୍ଟୋରର ଆଜବେଷ୍ଟସ୍ ତାଡ଼ି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି । ସୋମବାର ରାତି ୧୨ଟାରେ ଜନଗହଳିପୂର୍ଣ୍ଣ ଆଳୁଗଦି ନିକଟରେ ଦୁଇଟି ଚୋରି ହେବା ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି ।
ମିଳିଥିବା ଅଭିଯୋଗ ଅନୁଯାୟୀ, ଜାଗମରା ମଲ୍ଲିକ କଂପ୍ଲେକ୍ସରେ ରହୁଥିବା ସନ୍ତୋଷ କୁମାର ପ୍ରଧାନ ଓ ତାଙ୍କ ଭାଇ ଅଜୟ ଆଇଗିଣିଆରେ ‘କାଞ୍ଚନ ମୋଟର୍ସ’ ନାମରେ ଏକ ଦୁଇ ଚକିଆ ବାଜାଜ୍ ସୋ’ରୁମ୍ କରିଛନ୍ତି । ଗତକାଲି ରାତି ସାଢ଼େ ୮ଟାରେ ଦୁଇଭାଇ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଆଜି ସକାଳ ୯ଟାରେ ସନ୍ତୋଷ ସୋ’ରୁମ୍ ଖୋଲିବାକୁ ଆସିଥିଲେ । ସଟର ଖୋଲି ଭିତରେ ଦେଖିବା ବେଳକୁ ସୋ’ ରୁମ୍ର ସିଲିଂ ଓ ଆଜବେଷ୍ଟସ୍ ତଡ଼ା ଯାଇଛି । କ୍ୟାସ୍ ବକ୍ସ ଲକ୍ ଭଙ୍ଗାଯାଇ ସେଥିରୁ ୧ ଲକ୍ଷ ୩୦ ହଜାର ଟଙ୍କା ଚୋରି ଯାଇଛି । ସେ ସଙ୍ଗେ ସଙ୍ଗେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଦେଖିବା ବେଳକୁ ରାତି ୧୨ଟା ୩ ମିନିଟ୍ ସମୟରେ ଜଣେ ଯୁବକ ଆଜବେଷ୍ଟସ ତାଡ଼ି ସିଲିଂ ବାଟ ଦେଇ ଭିତରେ ପଶିଛି । ଏକ ଅସ୍ତ୍ର ସହାୟତାରେ କ୍ୟାସ୍ ବାକ୍ସର ଲକ୍କୁ ଖୋଲି ସେଥିରୁ ଟଙ୍କା ବାହାର କରି ଟେବୁଲ ଉପରେ ଥୋଉଛି । ପରେ ଟଙ୍କାକୁ ପକେଟରେ ପୂରାଇ ଅନ୍ୟ ଏକ ବାକ୍ସ ଖୋଲୁଛି । ସେଥିରୁ କିଛି ନ ପାଇ ପୁଣି ଆସିଥିବା ବାଟ ଦେଇ ପଳାଇଛି ।
ସେହିପରି ତାଙ୍କ ସୋ’ରୁମ୍କୁ ଲାଗି ପାତ୍ରପଡ଼ାରେ ରହୁଥିବା ବିକାଶ ଶର୍ମା ଶ୍ରୀ ହନୁମାନ ହାର୍ଡୱେର୍ ଷ୍ଟୋର କରିଛନ୍ତି । ଦୁର୍ବୃତ୍ତ ଜଣଙ୍କ ତାଙ୍କ ଆଜବେଷ୍ଟସ୍ ତାଡ଼ି ସିଲିଂ ଖୋଲି ସମାନ ଢଙ୍ଗରେ କ୍ୟାସ୍ ବାକ୍ସରୁ ୪ ହଜାର ଟଙ୍କା ନେଇ ପଳାଇଛି । ଏନେଇ ସନ୍ତୋଷ ଖଣ୍ଡଗିରି ଥାନାକୁ ଜଣାଇଥିଲେ । ପୁଲିସ ପହଞ୍ଚି ତଦନ୍ତ କରିବା ସହ ସୋ’ରୁମ୍ରେ ସିସିଟିଭିରେ ରେକର୍ଡ ହୋଇଥିବା ଲାଇଭ୍ ଲୁଟ୍ର ଦୃଶ୍ୟକୁ ନେଇ ଖୋଳତାଡ଼ ଚଳାଇଛି । ହେଲେ ଦୁର୍ବୃତ୍ତର ପତ୍ତା ପାଇନାହିଁ । ଦୁଇଟି ଯାକ ଚୋରି ଘଟଣା ସମାନ ଢଙ୍ଗରେ ହୋଇଥିବାରୁ ଜଣେ ଦୁର୍ବୃତ୍ତ ହିଁ ଏହି ଚୋରିରେ ସଂପୃକ୍ତ ଥିବା ପୁଲିସ ଅନୁମାନ କରୁଛି । ସିସିଟିଭିରେ ରେକର୍ଡ ହୋଇଥିବା ଚୋରର ଚେହେରା ସ୍ପଷ୍ଟ ଦେଖା ଯାଉଥିବାରୁ ତାକୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ କହିଛନ୍ତି ।
Comments are closed, but trackbacks and pingbacks are open.