ବଲାଙ୍ଗୀର,(ବି.ବି.ନୁ୍ୟଜ୍): ପ୍ରଥମେ ହଜାରହଜାର ଟଙ୍କାର ଜୋରିମାନା । ପରେ ଜୋରିମାନାକୁ ନେଇ ଚାରିଆଡେ଼ ଲୋକଙ୍କ ଅସନ୍ତୋଷ ବଢ଼ିଲା । ଶେଷରେ ଏହି ନିୟମକୁ ଆସନ୍ତା ୩ମାସ ପର୍ଯ୍ୟନ୍ତ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ତଥାପି ଆଜି କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଜଣେ ବାଇକ ଚାଳକଙ୍କଠାରୁ ପରିବହନ ବିଭାଗ ୨୨ହଜାର ୫ଶହ ଟଙ୍କାର ଜୋରିମାନା ଆଦାୟ କରିଛି । ବାଇକଚାଳକ ଜଣକ ବିନା ଲାଇସେନ୍ସରେ, ନିଶାସକ୍ତ ଅବସ୍ଥାରେ, ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ ବିଭାଗୀୟ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ ତାଙ୍କ ଉପରେ ଉକ୍ତ ଜୋରିମାନା ଲଗାଯାଇଥିବା ଜାଣିବାକୁ ମିଳିଛି ।
ମିଳିଥିବା ସୂଚନାଅନୁସାରେ, ବେଲପଡ଼ା ଗାଁର ସୁଶାନ୍ତ କୁମାର ମେହେର ଆଜି ମଧ୍ୟାହ୍ନରେ କଣ୍ଟାବାଞ୍ଜିରୁ ଘରକୁ ଫେରୁଥିଲେ । ସେହିରାସ୍ତାରେ ଥିବା କୁର୍ଲି ଛକଠାରେ ପରିବହନ ବିଭାଗ ଅଧିକାରୀମାନେ ଯାନବାହନ ଯାଞ୍ଚ କରୁଥିବା ବେଳେ ଉକ୍ତ ବାଇକକୁ ଅଟକାଇ କାଗଜପତ୍ର ମାଗିଥିଲେ । ମାତ୍ର ସେ ପରିବହନ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ସେଥିପାଇଁ ବିଭାଗ ପକ୍ଷରୁ ତାଙ୍କ ଉପରେ ପ୍ରଥମେ ୨ହଜାର ଟଙ୍କାର ଜୋରିମାନା କରାଯାଇଥିଲା । ପରେ ଚାଳକ ଶ୍ରୀ ମେହେର ସାଧାରଣ ନିୟମ ଉଲ୍ଲଂଘନ କରିଥିବାରୁ ୫ଶହ ଟଙ୍କା, ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ହଜାର ଟଙ୍କା, ନିର୍ଦ୍ଧାରିତ ଠାରୁ ଅଧିକ ବେଗରେ ଗାଡ଼ି ଚଳାଉଥିବାରୁ ୫ହଜାର ଟଙ୍କା ଏବଂ ମଦ ପିଇ ଗାଡ଼ି ଚଳାଉଥିବାରୁ ଏକାଥରକେ ୧୦ହଜାର ଟଙ୍କାର ଜୋରିମାନା ଲାଗିଥିଲା । ସମୁଦାୟ ଶ୍ରୀ ମେହେରାଙ୍କ ନାଁ’ରେ ୨୨ହଜାର ୫ଶହ ଟଙ୍କାର ଜୋରିମାନା ଲାଗିଥିବା ଜାଣିବାକୁ ମିଳିଛି । ତେବେ ବାଇକଚାଳକଙ୍କ ଉପରେ ୨୨ହଜାର ଟଙ୍କାର ଜୋରିମାନା ଲାଗିବା ନେଇ ଖବର ପ୍ରଚାରିତ ହେବା ପରେ ସରକାରଙ୍କ କୋହଳନୀତିକୁ ସବୁଠି ସମାଲୋଚନା କରିବା ସହିତ ପୁଣି ଜୋରିମାନା ଭୟ ରହିଛି ।
ଅପରପକ୍ଷେ, ନୂଆଁ ମୋଟରଯାନ ନିୟମ ଲାଗୁହେବା ପରେ ପରିବହନ ବିଭାଗ ଏପର୍ଯ୍ୟନ୍ତ କୌଣସି ସୁବିଧାଟିଏ କରନଥିବା ସବୁଠି ଅଭିଯୋଗ ହେଉଛି । ସମଗ୍ର ଜିଲ୍ଲାରୁ ଏଠାକୁ ଆବେଦନକାରୀ ଆସୁଥିବା ବେଳେ ସେଠି ଗୋଟିଏ ମାତ୍ର କାଉଣ୍ଟର ଥିବାରୁ ଆବେଦନକାରୀ ଦିନ ତମାମ ଅପେକ୍ଷା କରି ରହୁଛନ୍ତି । ସେହିପରି ଆବଶ୍ୟକ ପଡୁଥିବା ପଲୁ୍ୟସନ ସାର୍ଟିଫିକେଟ ପାଇଁ ଜିଲ୍ଲାର କେବଳ କଣ୍ଟାବାଞ୍ଜି(ପେଟ୍ରୋଲ ଯାନବାହନ)ଠାରେ ଗୋଟିଏ ମାତ୍ର ପରୀକ୍ଷା କେନ୍ଦ୍ର ରହିଛି । ଯେଉଁଠାକୁ ପେଟ୍ରୋଲ ଚାଳିତ ଯାନ ବ୍ୟବହାର କରୁଥିବା ଡ୍ରାଇଭର/ମାଲିକ ପ୍ରାୟ ୧୦୦କିମିରୁ ଉଦ୍ଧ୍ୱର୍ ଦୂର ଗୁଡ଼ଭେଲା, ଆଗଲପୁର, ଲୋଇସିଂହା ଏବଂ ବଲାଙ୍ଗୀର ଭଳି ଅଞ୍ଚଳରୁ ମଧ୍ୟ ଯାଇ ହଇରାଣ ହେଉଛନ୍ତି । ଏହାବାଦ୍ ଜିଲ୍ଲାର ହଜାରହଜାର ଯାନବାହନର ଟେଷ୍ଟିଂ ଗୋଟିଏ କେନ୍ଦ୍ରରେ କିଭଳି ସମ୍ଭବ ତାହା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ । ତେଣୁ ଲୋକେ ଅଧିକ ତେଲ ପୋଡ଼ି କଣ୍ଟାବାଞ୍ଜି ଯିିବା ପରିବର୍ତ୍ତେ ସୋନପୁରକୁ ଯାଇ ପଲୁ୍ୟସନ ସାର୍ଟିଫିକେଟ କରାଉଥିବା ଜାଣିବାକୁ ମିଳୁଛି । ତେବେ ପରିବହନ ବିଭାଗ ଏଭଳି ଜରୁରୀ ପରିସ୍ଥିତିରେ ଲୋକଙ୍କ ପାଇଁ କାଉଣ୍ଟର ସଂଖ୍ୟା ବୃଦ୍ଧି, ଅସ୍ଥାୟୀ ହେଲେ ବି ବଲାଙ୍ଗୀରରେ ପେଟ୍ରୋଲ ଟେଷ୍ଟିଂ ସେଣ୍ଟର ବ୍ୟବସ୍ଥା କରିବା ଭଳି ସାମାନ୍ୟ ସୁବିଧା ଉପଲବ୍ଧ କରିବା ପରେ ଯାଇ ଏଭଳି ହଜାରହଜାର ଟଙ୍କାର ଫାଇନ କାଟିଲେ ଭଲ ହେବ ବୋଲି ସହରରେ ଚର୍ଚ୍ଚା ହେଉଛି । ନଚେତ ଏହା ସିଧାସଳଖ ନିରୀହ ଗରିବଙ୍କ ଉପରେ ବିଭାଗର ଶୋଷଣ ନୀତି ବୋଲି ଚର୍ଚ୍ଚା ହେଉଛି ।
Comments are closed, but trackbacks and pingbacks are open.