ପାତ୍ରପୁର,(ବି.ବି.ନ୍ୟୁଜ୍): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତର ନୂଆଗଡ଼ସ୍ଥିତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ବୁଲି ଦେଖିଛନ୍ତି । ଅପରାହ୍ନରେ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀ ଇ. ସଞ୍ଜୀବ କୁମାର ଦାଶଶର୍ମା ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ । ପରେ ସେ ବାଘଲଟି ଡ୍ୟାମ୍ ପରିଦର୍ଶନ କରି ଜଳସ୍ତର ଦେଖିଥିଲେ । ବାଘଲଟିକୁ ଏକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଜିଲ୍ଲାପାଳ ଓ ନିର୍ବାହୀ ଯନ୍ତ୍ରୀ ଆଲୋଚନା କରିଥିଲେ । ବୋଟିଂ ବ୍ୟବସ୍ଥା ସହିତ ପାର୍କ କରାଯିବା ନେଇ ସ୍ଥିର ହୋଇଥିଲା ।
ଡ୍ୟାମ୍ ତଳେ ଏବଂ ଜଳସେଚନ ବିଭାଗ କାର୍ଯ୍ୟାଳୟ ପାଶ୍ୱର୍ରେ ଥିବା ଉଭୟ ଜାଗାକୁ ଜିଲ୍ଲାପାଳ ଦେଖିଥିଲେ । ଏହି ଅବସରରେ ତିତ୍ଲି ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ଆଙ୍କୁଲି ପଞ୍ଚାୟତର ଏଲଗଲ ଓ ଶରିଶିଗଣ୍ଡ ଆଦି ଦୁଇ ଆଦିବାସୀ ଗ୍ରାମକୁ ପାହାଡ଼ ତଳକୁ ଆଣି ଶୀଘ୍ର ଥଇଥାନ କରିବା ପାଇଁ ପୂର୍ବତନ ସରପଞ୍ଚ ଶିବରାମ ପ୍ରଧାନ, ଲକ୍ଷ୍ମୀକାନ୍ତ ବିଷୋୟୀ, ଅଭିମନ୍ୟୁ ବେହେରା ଏବଂ ୱାର୍ଡ ସଭ୍ୟ ଲିମା କାର୍ଜୀ ପ୍ରମୁଖ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ତିନି ଆଦିବାସୀ ଗାଁ ବେହେରାପୁଟୁ, ମାଡୁଆଗୁମ୍ମା ଓ ଝରିବାଡ଼କୁ ରାସ୍ତା ନଥିବା ବେଳେ ବାରମ୍ବାର ଜଳଯାତ୍ରା ବେଳେ ଅଘଟଣ ହେଉଥିବାରୁ ସେହି ତିନି ଗ୍ରାମର ଏକ ପ୍ରତିନିଧି ଦଳ ଡ୍ୟାମ୍ ନିକଟରେ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ରାସ୍ତା ନିର୍ମାଣ ଦାବି ଜଣାଇଥିଲେ । ପ୍ରାଥମିକତା ସ୍ତରରେ ଏହି ତିନି ଆଦିବାସୀ ଗାଁ ଲୋକଙ୍କ ବାଘଲଟି ଜଳଭଣ୍ଡାର ଦେଇ ଯାତାୟତ ସକାଶେ ଏକ ପାୱାର୍ ବୋଟ୍ ସହ ଲାଇଫ୍ ଜ୍ୟାକେଟ୍ ଦିଆଯିବ ବୋଲି ଆଶ୍ୱସନା ଦେଇଥିଲେ ଜିଲ୍ଲାପାଳ । ବିସ୍ଥାପନ ଓ ଥଇଥାନ ନେଇ ରହିଥିବା ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆସନ୍ତା ସପ୍ତାହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଓ ଜିଲ୍ଲା ଭୂଅର୍ଜନ ଅଧିକାରୀ ବାଘଲଟି କାର୍ଯ୍ୟାଳୟରେ କ୍ୟାମ୍ପ୍ କରିବେ ବୋଲି ଜିଲ୍ଲାପାଳ ପ୍ରମେୟ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.