ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ୨୭ ଜିଲ୍ଲାରେ ଖାଲି ପଡ଼ିଥିବା ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବି ପୂରଣ ପାଇଁ ବାଜିଲା ପଞ୍ଚାୟତିରାଜ ଉପନିର୍ବାଚନ ବିଗୁଲ । ୪ଟି ଜିଲ୍ଲା ପରିଷଦ, ୧୭ଟି ସରପଞ୍ଚ, ୨୧ଟି ସମିତି ସଭ୍ୟ ଓ ୩୦୩ଟି ୱାର୍ଡ ମେମ୍ବର ପଦ ନିମନ୍ତେ ଏହି ଉପନିର୍ବାଚନ ହେବ । ଏନେଇ ସୋମବାର ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଏସବୁ ଅଞ୍ଚଳରେ ନିର୍ବାଚନ ଶେଷ ହେବା ଯାଏଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ମୁତାବକ, ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଯାଜପୁର ଜିଲ୍ଲାର ଦାନଗଦି ଏବଂ କୋରାପୁଟ ଜିଲ୍ଲାର ପଟାଙ୍ଗୀ ଓ ଦଶମନ୍ତପୁର ଜିଲ୍ଲା ପରିଷଦ ଜୋନ ପାଇଁ ଉପନିର୍ବାଚନ ହେବ । ସେହିଭଳି ବାଲେଶ୍ୱର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାର ଦୁଇଟି ଲେଖାଏଁ ପଞ୍ଚାୟତର ସରପଞ୍ଚ ପଦବି ଏବଂ ଅନୁଗୁଳ, ଭଦ୍ରକ, ଗଜପତି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ପୁରୀ ଜିଲ୍ଲାର ଗୋଟିଏ ଲେଖାଏଁ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଉପନିର୍ବାଚନ ହେବ ।
ଏହାବ୍ୟତୀତ ଅନୁଗୁଳ, ବରଗଡ଼, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, ପୁରୀ, ସୁନ୍ଦରଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ ମାଲକାନଗିରି ଭଳି ୧୫ଟି ଜିଲ୍ଲାର ୨୧ଟି ସମିତି ସଭ୍ୟ ପଦ ପାଇଁ ଉପନିର୍ବାଚନ ହେବ । ଏହାଛଡ଼ା ବିଭିନ୍ନ ଜିଲ୍ଲାର ୩୦୩ଟି ୱାର୍ଡ ମେମ୍ବର ପଦରେ ଉପନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।
ଏସବୁ ପଦବିର ଉପନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀମାନେ ଚଳିତ ମାସ ୨୯ରେ ବିଜ୍ଞପ୍ତି ଜାରି କରିବେ । ଅକ୍ଟୋବର ୩୧ରୁ ନଭେମ୍ବର ୨ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ୪ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ ଓ ୫ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ୭ ତାରିଖ ଯାଏଁ ପ୍ରାର୍ଥୀମାନଙ୍କୁ ସୁଯୋଗ ମିଳିବ । ଏହି ଦିନ ଅପରାହ୍ଣରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।
ନଭେମ୍ବର ୨୭ ତାରିଖରେ ଏସବୁ ପଞ୍ଚାୟତିରାଜ ପଦବି ପାଇଁ ଭୋଟ ହେବ । ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ । ୨୮ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।
Comments are closed, but trackbacks and pingbacks are open.