ପାରଳାଖେମୁଣ୍ଡି, (ବି.ବି.ନ୍ୟୁଜ୍): ସାଧାରଣତଃ ବାପା କିମ୍ୱା ମାଆଙ୍କ ଦେହାନ୍ତ ପରେ ପୁଅମାନେ ହିଁ ମୁଖାଗ୍ନି ଦେଇଥାନ୍ତି । ଏପରିକି ପରମ୍ପରାର ଦ୍ୱାହି ଦେଇ ଯାହାର ପୁଅ ନଥାନ୍ତି, ସେମାନେ କୌଣସି ସମ୍ପର୍କୀୟଙ୍କ ପୁଅକୁ ଆଣି ମୁଖାଗ୍ନି ଦେଉଥିବା ଅନେକ ନଜୀର ରହିଛି । ତେବେ ପାରଳାଖେମୁଣ୍ଡି ଉପକଣ୍ଠ ସିଧାମଡ଼ଙ୍ଗ ଠାରେ ବ୍ରାହ୍ମଣ ପରିବାରର ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେଇଛନ୍ତି ତାଙ୍କର ଝିଅ । ଗାଁ ଲୋକେ ମଧ୍ୟ ଏହାକୁ ସମର୍ଥନ ତଥା ସହଯୋଗ କରିଛନ୍ତି ।
ସିଧାମଡ଼ଙ୍ଗ ଠାରେ ରହୁଛନ୍ତି ଦାମୋଦର ପାଣିଗ୍ରାହୀଙ୍କ ପରିବାର । ତାଙ୍କର କେବଳ ଦୁଇ ଝିଅ ଅଛନ୍ତି । ଦାମୋଦରଙ୍କ ଶନିବାର ୭୩ ବର୍ଷ ବୟସରେ ବିୟୋଗ ଘଟିଥିଲା । ପୁଅ ନଥିବାରୁ ସାନ ଝିଅ ସଞ୍ଜୁ ପାଣିଗ୍ରାହୀ ମୁଖାଗ୍ନି ଦେବାକୁ ଆଗେଇ ଆସିଥିଲେ । ଯଦିଓ ପ୍ରଥମେ କିଛି ଗ୍ରାମବାସୀ ବିରୋଧ କରିଥିଲେ, କିନ୍ତୁ ଅଧିକାଂଶ ଲୋକ ସମର୍ଥନ କରିବାରୁ ସଞ୍ଜୁ ବାପାଙ୍କ ମୃତଦେହ ସାଙ୍ଗରେ ଶ୍ମଶାନକୁ ଯାଇ ଅନ୍ତ୍ୟେଷ୍ଟି କ୍ରିୟା ସାରିଥିଲେ । ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ବରଂ ବାପା କିମ୍ୱା ମାଆଙ୍କ ମୃତ୍ୟୁ ପରେ ତାଙ୍କ ଶବ ସଂସ୍କାର କରିବା ପୁଅ ଏବଂ ଝିଅଙ୍କ ସମାନ ଅଧିକାର ବୋଲି କହିଛନ୍ତି ଅନେକ ଗ୍ରାମବାସୀ ।
Comments are closed, but trackbacks and pingbacks are open.