ଗୁଡ଼ଭେଲା,(ବି.ବି.ନୁ୍ୟଜ୍): ଅନ୍ୟ ଜାତିରେ ଝିଅ ବିବାହ କରିଥିବାରୁ ସାମାଜିକ ବାସନ୍ଦର ଶିକାର ହୋଇଥିଲେ । ତାଙ୍କ ମୃତୁ୍ୟ ପରେ ସାମାଜିକ ଭାଇ ତ କେହି ଆସିଲେନି, ହେଲେ ବିଡମ୍ବନାର ବିଷୟ ନିଜ ଜନ୍ମକଲା ପୁଅ ବି ସାମାଜିକ ବାସନ୍ଦ ଭୟରେ ବାପାର ଶବ ଛୁଇଁଲାନି । ଶେଷରେ ଝିଅ ଶବକୁ ଖଟିଆରେ ରଖି ଘରଠାରୁ ପ୍ରାୟ ୫୦ମିଟର ଦୂର ନିଜ ଚାଷ ଜମିକୁ ଟାଣି ଟାଣି ନେଇ ସେଠାରେ ଦାହ ସକ୍ରାର କରିବା ଭଳି ଘଟଣା ସଭ୍ୟ ସମାଜକୁ ବ୍ୟଥିତ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଘୁନା ଗାଁରେ । ଖବର ଅନୁଯାୟୀ ଘୁନା ଗାଁର ବାଳି ସେଲମା(୭୦)ଙ୍କ ଏକମାତ୍ର ଝିଅ ପ୍ରମିଳା କିଛି ବର୍ଷ ତଳେ କନ୍ଧ ଜାତିର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଏଣୁ ତାଙ୍କୁ ବାଳିକୁ ଗୌଡ଼ ସମାଜ ପକ୍ଷରୁ ବାସନ୍ଦ କରାଯାଇଥିଲା । ପରେ ଜାତି ସମାଜ ଚାପ ତଥା ଏକ ଘରକିଆ ହେବା ଭୟରେ ବଞ୍ଚିଥିବା ଝିଅକୁ ମରିଗଲା ବୋଲି ଶୁଦ୍ଧିକ୍ରିୟା କରିଥିଲେ । ତେବେ ପ୍ରମିଳାଙ୍କ ଏକ ପୁତ୍ରସନ୍ତାନ ଜନ୍ମ ହେଲା ତାଙ୍କ ସ୍ୱାମୀଙ୍କ ପରଲୋକ ହୋଇଥିଲା । ଏଣୁ ଝିଅ ଓ ନାତିର ଦୟନୀୟ ଅବସ୍ଥା ଦେଖି ବାଳି ବାଧ୍ୟ ହୋଇ ତାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲେ । ଏହାପରେ ପୁଣି ବାଳି ସମାଜରୁ ବାସନ୍ଦ ହୋଇ ଗାଁ ବାହାରେ ଥିବା ନିଜ ଖେତରେ କୁଡ଼ିଆ କରି ରହୁଥିଲେ । ଶଯ୍ୟାଶାୟୀ ବାଳିଙ୍କ ଗତ ମଙ୍ଗଳବାର ରାତିରେ ମୃତୁ୍ୟ ହୋଇଥିଲା । ହେଲେ ଜାତିଭାଇ କିମ୍ବା ନିଜ ପୁଅ ବାପାର ଶବ କାନେ୍ଧଇବାକୁ କେହି ଆସିଲେନି । ଫଳରେ ବୁଧବାର ଦିନସାରା ଶବଟି ଘରେ ପଡ଼ି ରହିଥିଲା । ଗୁରୁବାର ସହାନୁଭୂତି ଦେଖାଇ ଅନ୍ୟ ଜାତିର ଲୋକେ ଶବଦାହ ପାଇଁ କାଠ ଦେଇଥିଲେ କିନ୍ତୁ କେହି ଛୁଇ ନଥିଲେ । ଶେଷରେ ବାଳିର ଝିଅ ଶବକୁ ନେଇ ନିଜ ୫ବର୍ଷର ପୁଅର ସହଯୋଗରେ ଦାହ ସକ୍ରାର କରିଥିଲେ । ଏନେଇ ବିଡ଼ିଓ ସୂର୍ଯ୍ୟ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରାଥମିକ ସହାୟତା ଦିଆଯାଇଛି । ହେଲେ ଜାତି ବାସନ୍ଦ ହୋଇଥିବା ବିଷୟରେ କେହି କହିନ ଥିବା ସେ ପ୍ରକାଶ କରିଥିଲେ ।


Comments are closed, but trackbacks and pingbacks are open.