ବାପାର ଠେଙ୍ଗା ମାଡ଼ରେ ପୁଅ ମୃତ

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ନୁ୍ୟଜ୍): ବାପାର ଠେଙ୍ଗା ମାଡ଼ରେ ପୁଅର ମୃତୁ୍ୟ । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଅମୃତୁଲୁ ଗ୍ରାମରେ ଗୁରୁବାର ସକାଳୁ ଘଟିଯାଇଛି । ମଦ୍ୟପ ପୁଅର ଅତ୍ୟାଚାରରେ ଅତିÂ ବାପା ଅମାନିଆ ସନ୍ତାନକୁ ତାଗିଦ କରିବାକୁ ଯାଇ ଠେଙ୍ଗାରେ ପିଟିବା ବେଳେ ଅସାବଧାନତାରୁ ପୁଅର ଦୁଃଖଦ ମୃତୁ୍ୟ ଘଟିଛି । ମୃତକ ହେଲେ ଜିତେନ୍ଦ୍ର ବିଶୋୟୀ (୩୮) । ଏହାକୁ ନେଇ ଏବେ ଭାଙ୍ଗି ପଡ଼ିଛନ୍ତି ବାପା । ସାମାନ୍ୟ ରାଗରୁ ପୁଅର ମୃତୁ୍ୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସେ । ପୁଲିସ ଗାଁରେ ପହଞ୍ଚି ଅଭିଯୁକ୍ତ ବାପା ଜୟ ବିଶୋୟୀଙ୍କୁ ଧରି ନେଇ ଥାନାରେ ଅଟକ ରଖିବା ସହ ପଚରାଉଚୁରା କରୁଛି ।
ସୋରଡ଼ା ଥାନାଧିକାରୀ ରମେଶ ଚନ୍ଦ୍ର ପ୍ରଧାନଙ୍କ ସୂଚନା ପ୍ରକାରେ ଜିତେନ୍ଦ୍ର ସର୍ବଦା ମାତାଲ ଅବସ୍ଥାରେ ଘରକୁ ଆସି ବାପା ଓ ମାଆଙ୍କୁ ମାରପିଟ କରୁଥିଲା । ଏଥିରେ ପରିବାର ଲୋକ ଅତିÂ ହୋଇପଡ଼ିଥିଲେ । ବାରମ୍ବାର ବୁଝାସୁଝା ସତ୍ତେ୍ୱ ଜିତେନ୍ଦ୍ରଙ୍କ ଉପରେ ଫରକ ପକାଉନଥିଲା । ପରିବାରରେ ସମସ୍ତଙ୍କ ସହ ଅଯଥା ଝଗଡ଼ା କରୁଥିବାରୁ ଜୟଙ୍କ ସାନ ପୁଅ ଭାଇ ଭୟରେ ଘରୁ ଅନ୍ୟତ୍ର ଚାଲି ଯାଉଥିଲା । ସ୍ଥିତି ଏଭଳି ହୋଇଥିଲା ଯେ- ପୁଅର ମାରପିଟରୁ ମୁକୁଳିବାକୁ ମାଆ ମଧ୍ୟ ଅନେକ ସମୟରେ ଜିତେନ୍ଦ୍ରକୁୁ ଦେଖି ଅନ୍ୟ ଘରକୁ ଚାଲିଯାଉଥିଲେ । ତେବେ ଘରେ ରହୁଥିବା ବାପାଙ୍କ ସହ ଝଗଡ଼ା ଜିତେନ୍ଦ୍ରଙ୍କ ପାଇଁ ନିତିଦିନିଆ ଘଟଣା ପାଲଟିଥିଲା । ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହେଉଥିଲା । ଗୁରୁବାର ସକାଳୁ ଜିତେନ୍ଦ୍ର ମଦ ପିଇ ଘରକୁ ଆସି କଳିଗୋଳ ଆରମ୍ଭ କରିଥିଲା । ପରିବାର ଲୋକ ଘରୁ ବାହାରି ଅନ୍ୟତ୍ର ଚାଲି ଯାଇଥିବା ବେଳେ ଘରେ ଏକାକୀ ରହିଥିଲେ ବାପା ଜୟ ବିଶୋୟୀ । ତାଙ୍କ ସହ ଜିତେନ୍ଦ୍ର ପାଟିତୁଣ୍ଡ କରିଥିଲେ । ଜିତେନ୍ଦ୍ର ମଦ ପିଇବାକୁ ଅଧିକ ଟଙ୍କା ମାଗି ବାପାଙ୍କୁ ଟଣାଓଟରା କରିବାରୁ ପୁଅକୁ ସାବାଡ କରିବାକୁ ବାପା ଘରକୋଣରେ ଥିବା ଏକ ଠେଙ୍ଗାରେ ପିଟିଥିଲେ । ଠେଙ୍ଗା ପାହାରରେ ଉତ୍ତେଜିତ ହୋଇ ବାପାଙ୍କ ସହ ଧସ୍ତାଧସ୍ତି କରିଥିଲା ଜିତେନ୍ଦ୍ର । ବାପାଙ୍କୁ ପିଟିବାକୁ ଠେଙ୍ଗା ଛଡାଇବା ବେଳେ ଜୟଙ୍କ ଠେଙ୍ଗା ମାଡରେ ଟଳି ପଡିଥିଲା ପୁଅ ଜିତେନ୍ଦ୍ର ।
ଜିତେନ୍ଦ୍ରଙ୍କ ଶବ ଘର ବାରଣ୍ଡାରେ ପଡିଥିବା ବେଳେ ଅନୁଶୋଚନା ଓ ଦୁଃଖରେ ବାପା ଜୟ ଭାଙ୍ଗି ପଡିଥିଲେ । ନିଜ ହାତରେ ପୁଅର ଜୀବନ ଚାଲିଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସେ । ସୋରଡା ଥାନାଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛଦ ପାଇଁ ଭଞ୍ଜନଗର ପଠାଇଛନ୍ତି । ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ମଧ୍ୟ ଅମୃତୁଲୁରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରି ଫେରିଛନ୍ତି । ଅଭିଯୁକ୍ତ ପିତା ଜୟ ବିଶୋୟୀଙ୍କୁ ପୁଲିସ ଥାନାକୁ ନେଇ ଅଧିକ ପଚରାଉଚୁରା କରିଛି । ଶବ ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୋରଡା ଥାନାରେ କେସ୍ ନମ୍ବର ୨୨୯/୨୦ ପ୍ରକାରେ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons