ବାପାର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା ଉଦ୍ୟମ

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନ୍ୟୁଜ୍): ନିଶା ମଣିଷକୁ ରାକ୍ଷସ କରିଦିଏ । ନିଶାସକ୍ତ ମଣିଷ ନିଜ କୋମଳମତି ସନ୍ତାନଙ୍କୁ ମଧ୍ୟ ଛାଡ଼େ ନାହିଁ । କଠୋରତାର ସୀମା ଲଂଘେ । ନିଜ ପିଲାଙ୍କୁ ହତ୍ୟା କରିବାକୁ ବି ପଛାଏ ନାହିଁ । ଏହାର ଅନ୍ୟ ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ । ନିଶାସକ୍ତ ବାପାର ନୃଶଂସ କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜନ୍ମକଲା ବାପା ନିଜର ଦୁଇ ଶିଶୁ ପୁତ୍ରଙ୍କ ଗୋଡ଼ହାତ ବାନ୍ଧି ଜଣକୁ ନାଳରେ ଫିଙ୍ଗି ଦେଇଥିଲା ବେଳେ ଅନ୍ୟ ଜଣଙ୍କୁ ଜୀଅନ୍ତା ପୋତି ଦେବାକୁ ଉଦ୍ୟମ କରୁଥିଲା । ହେଲେ ଗ୍ରାମବାସୀଙ୍କ ଯୋଗୁ ଦୁଇ ଶିଶୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଖବର ପାଇ ବାଲେଶ୍ୱର ଚାଇଲ୍ଡ ଲାଇନ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ôଚଥିଲେ । ହେଲେ ଥାନାରେ ସମାଧାନ ହୋଇଯିବାରୁ ସେମାନେ ଖାଲି ହାତରେ ଫେରିଥିଲେ ।
ଭୋଗରାଇ ଥାନା ଜୟରାମପୁର ଗାଁର ବିଶ୍ୱନାଥ ଦଳେଇ(୪୫) ନିଶାସକ୍ତ ଅବସ୍ଥାରେ ସବୁଦିନ ନିଜ ଦୁଇ ଶିଶୁପୁତ୍ରକୁ ଅମାନବୀୟ ଭାବେ ମାରଧର କରନ୍ତି । ଆଜି ସକାଳ ୧୦ଟାରେ ମଧ୍ୟ ସେମିତି କାଣ୍ଡ କରିଥିଲେ । ସେ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲେ । ଘରୁ ଟଙ୍କା ଚୋରି ଅଭିଯୋଗରେ ୮ ବର୍ଷର ବଡ଼ପୁଅ ଓ ୪ ବର୍ଷର ସାନ ପୁଅକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ସେତେବେଳେ ବିଶ୍ୱନାଥଙ୍କ ସ୍ତ୍ରୀ ବୀନତି ପାଖ ଗାଁକୁ ଯାଇଥିଲେ । ମା’ ନଥିବା ସୁଯୋଗରେ ବିଶ୍ୱନାଥ ୨ପୁଅଙ୍କୁୁ ଗଛରୁ ଖୋଲି ଗୋଡ଼ ହାତ ବାନ୍ଧି ଦେଇଥିଲେ । ପ୍ରଥମେ ବଡ଼ପୁଅକୁ ଟେକିନେଇ ନିକଟସ୍ଥ ଉଛୁଳା ନାଳରେ ଫିଙ୍ଗି ଦେଇ ଘରକୁ ପଳାଇ ଆସିଥିଲେ । ପରେ ଗାତ ଖୋଳି ଗୋଡ଼ ହାତ ବନ୍ଧା ଅବସ୍ଥାରେ ସାନପୁଅକୁ ଜୀଅନ୍ତା ପୋତିବାକୁ ଉଦ୍ୟମ କରୁଥିଲେ । ସୂଚନା ପାଇ ଗ୍ରାମବାସୀ ସେଠାରେ ପହଞ୍ôଚ ସାନକୁ ଉଦ୍ଧାର କରିବା ସହ ବିଶ୍ୱନାଥକୁ ଅଟକ ରଖିଥିଲେ । ଏପଟେ ବିଲରେ କାମ କରୁଥିବା ସେହି ଗାଁର ମନ୍ମଥ କୁଅଁର ଓ ତାଙ୍କ ପତ୍ନୀ ନାଳରୁ ବଡ଼ପୁଅକୁ ଉଦ୍ଧାର କରି ଘରକୁ ଆଣିଥିଲେ । ପରେ ଗ୍ରାମବାସୀ ୨ ଶିଶୁ ପୁତ୍ରଙ୍କ ସହ ନିଶାସକ୍ତ ବିଶ୍ୱନାଥକୁ ସ୍ଥାନୀୟ ସରପଞ୍ଚ ଦିପ୍ତିରାଣୀ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ । ସରପଞ୍ଚ ଶ୍ରୀମତୀ ମିଶ୍ରଙ୍କ ଠାରୁ ଖବର ପାଇଁ ଭୋଗରାଇ ଆଇଆଇସି ନରେନ୍ଦ୍ର କୁମାର ଦାସ ଘଟଣାସ୍ଥଳରେ ପହଞ୍ôଚ ବିଶ୍ୱନାଥଙ୍କ ସହ ତାଙ୍କ ସ୍ତ୍ରୀ ବୀନତି ଓ ୨ ଶିଶୁପୁତ୍ରକୁ ଥାନାକୁ ନେଇ ଆସିଥିଲେ । ଖବର ପାଇ ବାଲେଶ୍ୱର ଚାଇଲ୍ଡ ଲାଇନ ମୁଖ୍ୟ ପ୍ରଶାନ୍ତ କୁମାର ରାଉତ ଭୋଗରାଇ ଥାନାରେ ପହଞ୍ôଚଥିଲେ । ହେଲେ ସେତେ ବେଳକୁ ସମସ୍ୟାର ସମାଧାନ ହୋଇ ସାରିଥିଲା । ତେଣୁ ସେ ଖାଲି ହାତରେ ଫେରିଥିଲେ । ବିଶ୍ୱନାଥ ନିଜ ୨ ଶିଶୁ ପୁତ୍ରକୁ ପିଟାମରା କରିଛି ସତ ହେଲେ ଜୀବନରୁ ମାରି ଦେବାର ଉଦ୍ୟମ କରିନାହିଁ ବୋଲି ପୁଲିସ ସଫେଇ ଦେଇଛି । ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ପୁଲିସ ବିଶ୍ୱନାଥ ଏବଂ ତାଙ୍କ ସ୍ତ୍ରୀ ବୀନତିଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ରଖିବା ପରେ ସମସ୍ତଙ୍କୁ ଛାଡ଼ି ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons