ଓଳାଭର,(ବି.ବି.ନୁ୍ୟଜ୍): ବାପା-ପୁଅ ସାଙ୍ଗ ହୋଇ ଖରସ୍ରୋତା ନଦୀରେ ଗାଧୋଉଥିଲେ । ଗାଧୋଇସାରି ଆସି ଘରେ ଖାଇଥାନ୍ତେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ବାପାଙ୍କ ଆଗରେ କୁମ୍ଭୀର ପୁଅକୁ ନଦୀ ଭିତରକୁ ଟାଣି ନେଲା । ପୁଅ ରୁଦ୍ର ପ୍ରତାପ ବେହୁରିଆ(୧୫)ଙ୍କ ଜୀବନ ଚାଲିଗଲା । ବାପା ଥିଲେ ନାଚାର । କିଛି ବି କରିପାରିଲେନି । -ଏଭଳି ଏକ ଦୁଃଖଦ ହୃଦୟ ବିଦାରକ ଘଟଣା ଆଜି କନିକା ତହସିଲ ଅନ୍ତର୍ଗତ ବରୁଣା ପଞ୍ଚାୟତ ପାରିମୁକୁନ୍ଦପୁର ଗାଁରେ ଦେଖିବାକୁ ମିଳିଛି ।
ଆଜି ପୂର୍ବାହ୍ନରେ ପାରିମୁକୁନ୍ଦପୁର ଗାଁ ୧୫ ନଂ ୱାର୍ଡର ପ୍ରଦୀପ ବେହୁରିଆ ଏବଂ ତାଙ୍କ ପୁଅ ରୁଦ୍ର ପ୍ରତାପ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ଜୁଆର ଥିଲା । ଉଭୟ ଗାଧୋଇବା ସମୟରେ ହଠାର ଗୋଟିଏ କୁମ୍ଭୀର ରୁଦ୍ର ପ୍ରତାପଙ୍କ ଉପରକୁ ଝାମ୍ପି ନଦୀ ଭିତରକୁ ଟାଣି ନେଇଥିଲା । ସେଠାରେ ଗାଧୋଉଥିବା ଅନ୍ୟ ଜଣେ ଯୁବକ ମଧ୍ୟ ରୁଦ୍ର ପ୍ରତାପଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ରକ୍ତାକ୍ତ ହୋଇଥିଲେ । ଖବର ପାଇ ଗ୍ରାମବାସୀମାନେ ଖୋଜିବାକୁ ଚେଷ୍ଟା କରିଥିଲେ ବି କୌଣସି ପତ୍ତା ପାଇନଥିଲେ । ପରେ ଘଟଣାସ୍ଥଳରେ ଦମକଳବାହିନୀ ଓ ଓଡ୍ରାଫ୍ ଟିମ୍ ସହିତ ବନଖଣ୍ଡ ଅଧିକାରୀମାନେ ପହଞ୍ଚି ବହୁ ସମୟ ଖୋଜାଖୋଜି କରିଥିଲେ । ସନ୍ଧ୍ୟାରେ ରୁଦ୍ର ପ୍ରତାପଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା । ତାଙ୍କର ଗୋଟିଏ ହାତ ଓ ଗୋଟିଏ ଗୋଡ଼ ନଥିବା କ୍ଷତବିକ୍ଷତ ଶରୀର ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା । କନିକାର ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା ପହଞ୍ଚି ଘଟଣା ସମ୍ପର୍କରେ ତଥ୍ୟ ବୁଝିଥିଲେ । ବାରମ୍ବାର ଦାବି କରାଯିବା ପରେ ମଧ୍ୟ ନଦୀ ଘାଟରେ ତାର ଜାଲି ଦିଆ ଯାଉନଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଗ୍ରାମବାସୀ ମତ ଦେଇଥିଲେ । ରୁଦ୍ର ପ୍ରତାପ ଚଳିତ ବର୍ଷ ଭାରୀଗଦା ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ର ଭାବେ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେ ଜଣେ ମେଧାବୀ ଛାତ୍ର ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ । ଏହି ଅଘଟଣ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇବା ପରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ବରୁଣା ସରପଞ୍ଚ ଉତ୍ତମ ସେନାପତି, ଜିଆର୍ଏସ୍ ସୁବାସ ସାହୁ, ଅମର ବେହେରା, ରାଜା ଦାସଙ୍କ ସହିତ ବହୁ ବ୍ୟକ୍ତି ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି । କୁମ୍ଭୀର ଉପଦ୍ରବରୁ ରକ୍ଷା ନିମନ୍ତେ ନଦୀ ତୁଠରେ ତାର ଜାଲି ଲଗାଇବାକୁ ଗ୍ରାମବାସୀମାନେ ସାଂସଦଙ୍କ ନିକଟରେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.