ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ବିଚାର ଆଜିଠାରୁ ଆଗାମୀ ୯ ମାସ ଭିତରେ ଶେଷ କରିବାକୁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ମାମଲାର ଶୁଣାଣି କରୁଥିବା ବିଚାରପତି ଏସ୍କେ ଯାଦବଙ୍କ କାର୍ଯ୍ୟକାଳ ସେହି ସମୟ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।
ବିଚାରପତି ଯାଦବ ଆସନ୍ତା ସେପ୍ଟେମ୍ବର ୩୦ରେ ଅବସର ଗ୍ରହଣ କରିବାକୁ ଥିଲା । ଗତ ସୋମବାର ସେ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ତାଙ୍କ କାର୍ଯ୍ୟକାଳ ଅଧିକ ୬ମାସ ପର୍ଯ୍ୟନ୍ତ ବଢ଼ାଇବା ଲାଗି ଅନୁରୋଧ କରିଥିଲେ । ସୁପ୍ରିମକୋର୍ଟର ବିଚାରପତି ଆରଏଫ ନରିମାନ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । କହିଥିଲେ ବର୍ତ୍ତମାନ ସୁଦ୍ଧା ମାମଲାଟିର ବିଚାର ଶେଷ ହୋଇପାରି ନଥିବାରୁ ବିଚାରପତିଙ୍କ କାର୍ଯ୍ୟକାଳକୁ ଆହୁରି ୯ ମାସ ପର୍ଯ୍ୟନ୍ତ ବଢ଼ାଯାଇଛି । ଏଥିସହ ତଥ୍ୟ ପ୍ରମାଣର ରେକର୍ଡିଂ ପ୍ରକ୍ରିୟା ୬ ମାସ ମଧ୍ୟରେ ଶେଷ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଉତ୍ତରପ୍ରଦେଶ ସରକାର ଆହ୍ଲାବାଦ ହାଇକୋର୍ଟଙ୍କ ସହ ପରାମର୍ଶ କରି ଆସନ୍ତା ୪ ସପ୍ତାହ ଭିତରେ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବେ । ୪ ସପ୍ତାହ ଭିତରେ ମୁଖ୍ୟ ସଚିବ ବିଚାରପତି ଯାଦବଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ । ରାଜ୍ୟ ସରକାର ଦର୍ଶାଇଥିଲେ କି ବିଚାରପତିଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା କ୍ଷମତା ଆଇନ ଅନୁସାରେ ତାଙ୍କୁ ମିଳିନାହିଁ । ତେଣୁ ସର୍ବୋଚ୍ଚ ଅଦାଲତ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଧାରା ୧୪୨ରେ ମିଳିଥିବା ବିଶେଷ କ୍ଷମତାର ବ୍ୟବହାର କରି ବିଚାରପତି ଯାଦବଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି ।
୨୦୧୭ ଏପ୍ରିଲ ୧୯ ତାରିଖରେ ସର୍ବୋଚ୍ଚ ଅଦାଲତ ବାବ୍ରି ମସ୍ଜିଦ ଧ୍ୱଂସ ମାମଲାର ପ୍ରତିଦିନ ଶୁଣାଣି କରିବାକୁ ସ୍ୱତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦୁଇବର୍ଷ ଭିତରେ ଶୁଣାଣି ଶେଷ କରିବାକୁ କୁହାଯାଯାଇଥିଲା । ଏହି ମାମଲାରେ ଭିଭିଆଇମାନେ ଜଡିତ ଥିବାରୁ ସେମାନଙ୍କ ନାମରେ ଫୌଜଦାରୀ ଷଡଯନ୍ତ୍ର ମାମଲା ଚଳାଇବା ଲାଗି ସିବିଆଇ କରିଥିବା ଅନୁରୋଧକୁ ସର୍ବୋଚ୍ଚ ଅଦାଲତ କାଏମ ରଖିଥିଲେ । କିନ୍ତୁ ବିବାଦୀୟ ସ୍ଥଳୀ ଭଙ୍ଗାଯିବା ବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କଲ୍ୟାଣ ସିଂହଙ୍କ ବିରୋଧରେ ଫୌଜଦାରୀ ଷଡଯନ୍ତ୍ର ମାମଲା ଚାଲିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ । କାରଣ ସେ ବର୍ତ୍ତମାନ ରାଜସ୍ଥାନର ରାଜ୍ୟପାଳ ଅଛନ୍ତି । ସେହିଭଳି ୨୫ ବର୍ଷ ହେଲା ମାମଲାର ତଦନ୍ତ କରୁଥିବା ସିବିଆଇକୁ ମଧ୍ୟ କୋର୍ଟ କଡା ସମାଲୋଚନା କରିଥିଲେ । ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ପୂର୍ବତନ ବିଜେପି ସାଂସଦ ବିନୟ କଟିୟାର ଓ ସାଧ୍ୱୀ ଋତମ୍ଭରାଙ୍କ ନାମ ସ୍ଥାନ ପାଇଛି । ଅନ୍ୟ ୩ ନେତା ଆଚାର୍ଯ୍ୟ ଗିରିରାଜ କିଶୋର, ଅଶୋକ ସିଂହଲ ଓ ବିଷ୍ଣୁହରି ଡାଲମିଆଙ୍କର ମୃତ୍ୟୁ ଘଟିଥିବାରୁ ସେମାନଙ୍କ ବିରୋଧରେ ବିଚାରକୁ ବନ୍ଦ କରିଦିଆଯାଇଛି ।
Comments are closed, but trackbacks and pingbacks are open.