ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିରରେ ବୁଧବାର ଶ୍ରୀଜଗନ୍ନାଥଙ୍କ ବାମନ ବେଶ ଅନୁÂିତ ହୋଇଛି । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ବିଷ୍ଣୁ । ଶ୍ରୀବିଷ୍ଣୁଙ୍କ ପଞ୍ଚମ ଅବତାର ହେଉଛି ବାମନ ଅବତାର । ଏଣୁ ଆଜି ଶ୍ରୀଜଗନ୍ନାଥ ଦିବ୍ୟ ଜ୍ୟୋତିର୍ମୟ ବାମନରୂପୀ ବାଳକ ବେଶରେ ରତ୍ନସିଂହାସନରେ ଉଭା ହୋଇଥିଲେ ।
ଠାକୁରଙ୍କ ଦ୍ୱିପ୍ରହର ଧୂପ ସରିବା ପରେ ଶ୍ରୀଜଗନ୍ନାଥଙ୍କ ବାମନ ବେଶ ବିଧିବିଧାନ ଆରମ୍ଭ ହୋଇଥିଲା । ଶ୍ରୀଅଙ୍ଗରେ କାଠ ଗୋଡ ଖଞ୍ଜା ଯାଇଥିଲା । ନିର୍ଦ୍ଧିଷ୍ଟ ମାପର ତିଆରି ଦୁଇଟି ହାତ ଖଞ୍ଜାଯାଇଥିଲା । ବାମ ହାତରେ କାରୁକାର୍ଯ୍ୟ ଶୋଭିତ ଏକ ଛତ୍ରୀ ଓ ଡାହାଣ ହାତରେ ରୁପାର କମଣ୍ଡଳୁ ଶୋଭା ପାଉଥିଲା । ମଥାରେ କେଶର ରୂପ ସୃଷ୍ଟି ପାଇଁ ଦର୍ଜିମାନେ ସିଲାଇ କରିଥିବା ଏକ କଳା କନାର ମଥାବରଣ ଲଗାଯାଇଥିଲା । ଏହି କଳା କନାର ସାମ୍ନା ପଟେ ଧଳା କନା ସିଲାଇ କରାଯାଇ ତିନୋଟି ଧଳା ଗାର ସୃଷ୍ଟି କରାଯାଇଥିଲା । ଏଭଳି ପ୍ରତୀୟମାନ ହେଉଥିଲା, ସତେ ଯେପରି ଠାକୁରଙ୍କ ମସ୍ତକରେ ଭସ୍ମ ରେଖା ଅଙ୍କନ ହୋଇଛି । ମହାପ୍ରଭୁ ଶ୍ରୀଭୁଜ, ଶ୍ରୀପୟର ଓ ସ୍ୱର୍ଣ୍ଣ କିରୀଟ ସହ ବହୁ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ । ଏହି ବେଶ ବେଳେ ମା’ସୁଭଦ୍ରାଙ୍କ କଳେବରରେ ବିଶେଷ ପରିବର୍ତ୍ତନ ହୋଇନଥିଲା । ବଡ ଠାକୁରଙ୍କ ବିଗ୍ରହରେ ହାତ ଓ ପାଦ ଯୋଡାଯାଇ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ ହୋଇ ରାଜବେଶରେ ଦୃଶ୍ୟମାନ ହେଉଥିଲେ । ସିଙ୍ଗାରୀ ସେବକମାନେ ଏହି ବେଶ କରାଇଥିଲେ । ମହାପ୍ରଭୁ ବିଷ୍ଣୁ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ଏହି ଆଖ୍ୟାୟିକା ଭିତ୍ତିରେ ଠାକୁରଙ୍କର ଏହି ବେଶ ବର୍ଷ ବର୍ଷ ଧରି ଚାଲିଆସୁଛି । ସନ୍ଧ୍ୟାଧୂପ ପରେ ବେଶ ଓଲାଗି କରାଯାଇଥିଲା । ମହାପ୍ରଭୁଙ୍କର ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭିଡ଼ ଦେଖିବାକୁ ମଳିଥିଲା ।
Comments are closed, but trackbacks and pingbacks are open.