ଲମତାପୁଟ,(ବି.ବି.ନୁ୍ୟଜ): ବାର୍ହା ପାଇଁ ଲଗାଯାଇଥିଲା ବିଦୁ୍ୟତ୍ ଫାଶ । ଏଥିରେ ପଡ଼ି ମୃତୁ୍ୟ ଘଟିବା ପରେ ଜଣେ ଯୁବକଙ୍କ ମୃତଦେହକୁ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଥିଲା । ନିଖୋଜ ହେବାର ୬ଦିନ ପରେ ପୁଲିସ ଆଜି ଉକ୍ତ ଯୁବକଙ୍କ ଶବ ଉଦ୍ଧାର କରି ତଦନ୍ତ ଚଳାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ଥାନା ଅଞ୍ଚଳରେ । ମୃତକ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡର ସୌରଭ ଜୈନ(୨୭) । ଘଟଣାସ୍ଥଳରେ ମୃତକଙ୍କ ବଡ଼ବାପା ଅନୀଲ ଜୈନ ଉପସ୍ଥିତ ଅଛନ୍ତି । ସନ୍ଧ୍ୟାପର୍ଯ୍ୟନ୍ତ ଶବକୁ ହସ୍ତାନ୍ତର କରାଯାଇ ନଥିବା ଜଣାପଡିଛି । ତେବେ ଏହି ଘଟଣା ସହ ଗଞ୍ଜେଇ କାରବାର ଜଡିତ ଥିବା ପୁଲିସ ସ୍ପଷ୍ଟ କରିଛି । ଅନ୍ୟପକ୍ଷେ ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଜଣଙ୍କ ହେଲେ ଲମତାପୁଟ ବ୍ଲକ ପତେଣ୍ଡା ଗାଁର ରାଜେନ୍ଦ୍ର ମାଝୀ(୨୫) ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜୁନାଗଡା ଥାନାରେ ଗତ ୧୯ତାରିଖରେ ସୌରଭ ନିଖୋଜ ଥିବା ଥାନାରେ ତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ପୁଲିସ ସୌରଭଙ୍କ ମୋବାଇଲ ଲୋକେସନରୁ ୧୮ତାରିଖରେ ଲମତାପୁଟ ନିକଟ ସଗର ଗାଁରେ ତାଙ୍କ ସ୍ଥିତି ଥିବା ଜାଣିବାକୁ ପାଇଥିଲା । ପରେ ଏନେଇ ଲମତାପୁଟ ପୁଲିସକୁ ସୂଚନା ଦିଆଯାଇଥିଲା । ଶେଷରେ ମାଛକୁଣ୍ଡ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଆଜି ଏହି ଥାନା ଅଧୀନ ବାଲେଲ ପଞ୍ଚାୟତ ପାଲାମ୍ ଗାଁ ନିକଟ ଜଙ୍ଗଲରୁ ସୌରଭଙ୍କ ପୋତାଯାଇଥିବା ଶବକୁ ପୁଲିସ ଉଦ୍ଧାର କରିଥିଲା ।
ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି, ଗତ ୧୮ତାରିଖରେ ସୌରଭ ତାଙ୍କ ସାଙ୍ଗ ମିକୁଙ୍କ ସହ ଏକ କାର(ଓଆର୍ ୦୮କେ ୭୪୦୦)ରେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ତପକୋଣ୍ଡା ଗାଁଛକର ଏକ କାଜୁ ବାଡରେ ପହଞ୍ଚିଥିଲେ । ସେଠାରୁ କାରରେ ଗଞ୍ଜେଇ ଭର୍ତ୍ତି କରି ନେବା ସମୟରେ ଏକ ଅଘଟଣ ଘଟିଥିଲା । ଗଞ୍ଜେଇ ବୋଝେଇ କାରକୁ ରାସ୍ତାକୁ ଆଣିବା ପାଇଁ ମିକୁ ଓ ତାଙ୍କର ଅନ୍ୟଜଣେ ସହଯୋଗୀ ରାଜେନ୍ଦ୍ର ମାଝୀ ସଜାଗ ରହିଥିଲେ । ପୁଲିସ ଆସିବା ଭୟରେ ସେମାନେ ରାସ୍ତାରେ ରହି ସ୍ଥିତି ଅନୁଧ୍ୟାନ କରୁଥିଲେ । ସେହି ସମୟରେ ଜଙ୍ଗଲରେ ବାର୍ହା ଶୀକାର ପାଇଁ ୧୧କେଭି ବିଦୁ୍ୟତ ତାର ଖଞ୍ଜାଯାଇଥିଲା । ତୋପକୋଣ୍ଡା ଗାଁର କେତେକ ଲୋକ ବିଦୁ୍ୟତ୍ ଫାଶ ବସାଇଥିଲେ । କାଜୁବାଡରେ କାର ଥିବା ଦେଖି ଶୀକାରୀମାନେ ପାଟିକରିଥିଲେ । ଲୋକଙ୍କ ପାଟି ଶୁଣି ସୌରଭ ଗାଡି ଛାଡି ଦୌଡି ପଳାଇବା ବେଳେ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତୁ୍ୟ ଘଟିଥିଲା । ସୌରଭଙ୍କ ମୃତୁ୍ୟ ଦେଖି ତାଙ୍କ ଦୁଇ ସହଯୋଗୀ ବାର୍ହା ଶିକାରୀଙ୍କୁ କିଛି ଟଙ୍କା ଦେଇ ଶବକୁ ଘଟଣାସ୍ଥଳରୁ ୧୦କିମି ଦୂରରେ ପୋତି ଦେଇଥିଲେ । ଜୁନାଗଡ ପୁଲିସଠାରୁ ନିଖୋଜ ଖବର ପାଇବା ପରେ ମାଛକୁଣ୍ଡ ପୁଲିସ ତନାଘନା ଆରମ୍ଭ କରିଥିଲେ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିଲା । ସୌରଭ ବ୍ୟବହାର କରୁଥିବା କାର୍କୁ ସୀମାନ୍ତ ଆନ୍ଧ୍ର ପ୍ରଦେଶର ମୁଚୁମପୁଟର ଜଣେ ସରପଞ୍ଚଙ୍କ ଘର ଆଗରୁ ପୁଲିସ ପାଇଥିଲା । ସରପଞ୍ଚଙ୍କୁ ପଚରିବା ପରେ ଗତ ୧୮ତାରିଖରେ ତପକଣ୍ଡା ଗାଁର ରାଜେନ୍ଦ୍ର ଓ ଆଉଜଣେ ଆସି ଗାଡି ଛାଡି ଦେଇଥିବା କହିଥିଲେ । ଗତ ୨୩ତାରିଖରେ ରାଜେନ୍ଦ୍ରଙ୍କୁ ପୁଲିସ ତାଙ୍କ ଗାଁରୁ ଉଠାଇବା ପରେ ସମସ୍ତ ଘଟଣାର ପର୍ଦ୍ଧାଫାଶ ହୋଇଥିଲା । ସୌରଭ ଗଞ୍ଜେଇ କିଣିବା ପାଇଁ ଏହି ଅଞ୍ଚଳକୁ ୩ଥରରୁ ଅଧିକ ଆସିଥିଲେ । ଏଠାରୁ ସେ ଗଞ୍ଜେଇ କିଣି ନେଉଥିଲେ ବୋଲି ଜେରା ବେଳେ ରାଜେନ୍ଦ୍ର ପୁଲିସ ଆଗରେ ସ୍ୱୀକାର କରିଛି । ଏହି ତଦନ୍ତରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ, ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କିର୍ସାନୀଙ୍କ ସହ ବିଭାଗୀୟ କର୍ମଚାରୀ ସାମିଲ ଥିଲେ । ଏହି ଘଟଣାରେ ସମ୍ପୃକ୍ତ ଥିବା ବାର୍ହା ଶିକାରୀ ଓ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ମହାପାତ୍ର କହିଛନ୍ତି ।


Comments are closed, but trackbacks and pingbacks are open.