
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଗ୍ରୀଷ୍ମ ପାଦ ଥାପିନି । ତଥାପି ଆରମ୍ଭ ହୋଇଗଲାଣି ଜଳକଷ୍ଟ । ବିଶୁଦ୍ଧ ପାନୀୟ ଜଳ ଟୋପେ ବି ମିଳୁନି । ଲୋକେ ବାଧ୍ୟ ହୋଇ ଝରଣାର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବାରିଆଘାଟ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁରେ ନଳକୂଅ ରହିଥିଲେ ହେଁ ଦୀର୍ଘ ୭ ମାସ ହେଲା ଅଚଳ ହୋଇଥିବା ଗାଁ ଲୋକେ କହିଛନ୍ତି ।
ସୂଚନା ଅନୁସାରେ, ଏହି ଗାଁରେ ୩୦ ପରିବାର ବସବାସ କରୁଛନ୍ତି । ଏ ସମସ୍ତଙ୍କ ପାଇଁ କେବଳ ଗୋଟିଏ ମାତ୍ର ନଳକୂଅ ରହିଛି । ହେଲେ ଏହା ଗତ ୭ ମାସ ହେଲା ଅଚଳ ହୋଇପଡିଛି । ଗାଁରେ ପାନୀୟ ଜଳର ଅନ୍ୟ କୌଣସି ଉତ୍ସ ନାହିଁ । ପାଣି ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଗୁହାରୀ କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ବି ସୁଫଳ ପାଇପାରି ନାହାନ୍ତି । ବାଧ୍ୟ ହୋଇ ଲୋକେ ଗାଁଠାରୁ ୧ କିମି ଦୂରରେ ଥିବା ଏକ ଝରଣାରୁ ପାଣି ଆଣି ବ୍ୟବହାର କରୁଛନ୍ତି । ପିଇବାଠାରୁ ଆରମ୍ଭ କରି ଘରର ଯାବତୀୟ କାର୍ଯ୍ୟରେ ଝରଣା ପାଣି ଲାଗୁଛି । ପାଣି ଗୋଳିଆ ହୋଇଥିବାରୁ ଲୋକେ ପ୍ରଥମେ ଏହାକୁ ଗରା, ମାଠିଆ, ହାଣ୍ଡିରେ ସଂଗ୍ରହ କରି ସଫା କପଡାରେ ଛାଣୁଛନ୍ତି । ଛାଣିବା ସତ୍ତେ୍ୱ ପାଣି ପାନୀୟ ଉପଯୋଗୀ ହେଉ ନଥିବାରୁ ଅନେକ ସମୟରେ ଲୋକେ ବିଭିନ୍ନ ରୋଗରେ ପୀଡିତ ହେଉଥିବା ଗାଁର ବାବୁଲା କଚ୍ଚିମ କହିଛନ୍ତି । ଏଠାରେ ପାନୀୟ ଜଳର ଅନ୍ୟ ଉତ୍ସ ନଥିବାରୁ ଲୋକେ ହଇରାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିସ୍ଥଳେ, ଜିଲ୍ଲା ପ୍ରଶାସନ ନଳକୂପ ମରାମତି ପ୍ରତି ଗୁରୁତ୍ୱ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.