ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ରାଜଧାନୀରେ ଆତଙ୍କ ଖେଳିଯାଇଛି । ଏହା ଯେମିତି ମଣିଷ ଦେହକୁ ସଂକ୍ରମଣ ନହୁଏ, ସେଥିପାଇଁ କେନ୍ଦ୍ରରୁ ଟିମ୍ ଆସି ସଂକ୍ରମଣ ଅଞ୍ଚଳ ବୁଲି ଦେଖିବେ । ଆସନ୍ତାକାଲି ଏଥିପାଇଁ କେନ୍ଦ୍ରୀୟ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଅନ୍ୟପକ୍ଷେ ବୁଧବାର ଦ୍ୱିତୀୟ ଦିନରେ ମଧ୍ୟ କୁକୁଡ଼ା ମରା ଅଭିଯାନ ଜାରି ରହିଛି ଓୟୁଏଟି ପାଖ ଅଞ୍ଚଳରେ ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୈଠକ କରି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ଅଜିତ ମହାନ୍ତି ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭୁବନେଶ୍ୱର ଏମ୍ସ, ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ଓ ସିଡିଏମ୍ଓଙ୍କୁ ସତର୍କ ରହିବାକୁ କୁହାଯାଇଛି । ସବୁଠି ଆଇସୋଲେସନ୍ ୱାର୍ଡ ଖୋଲିବାକୁ ନିଦେ୍ର୍ଧଶ ଦିଆଯାଇଛି । ଓୟୁଏଟି ଫାର୍ମ ଓ ଏହାର ୧ କିମି ପରଧି ମଧ୍ୟରେ କୁକୁଡ଼ା ମରା ଅଭିଯାନ ଚାଲିଛି । ଏଥିରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଟାମି ଫ୍ଲୁ ବଟିକା ଖାଇବାକୁ ଦିଆଯାଇଛି । ବାର୍ଡ ଫ୍ଲୁ ସଂକ୍ରମଣ ପ୍ରତିରୋଧ କରିବାକୁ ଓୟୁଏଟିର ୧୦ କିମି ପରଧିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ବେକ୍ଷଣ କରାଯାଉଛି । ଏଥିସହ କ’ଣ କରାଯିବ, କ’ଣ ନକରାଯିବ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି । ସିଡିଏମ୍ଓ ଏବଂ ଅଧୀକ୍ଷକମାନଙ୍କୁ ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ବାର୍ଡ ଫ୍ଲୁ ବ୍ୟାପିବା ପରେ ବୁଧବାର ଦ୍ୱିତୀୟ ଦିନରେ ବି ଜାରି ରହିଥିଲା କୁକୁଡ଼ା ନିପାତ ଅଭିଯାନ । ଓୟୁଏଟିର ୧ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ପଶୁପାଳନ ବିଭାଗର ରାପିଡ୍ ରେସପନ୍ସ ଟିମ୍ ଖୋଜି ଖୋଜି କୁକୁଡ଼ା ଓ ବତକ ମାରିଛନ୍ତି । କୁକୁଡ଼ା ଖୋଜିବାକୁ ନୟାନ୍ତ ହୋଇଛନ୍ତି ରାପିଡ୍ ରେସପନ୍ସ ଟିମ୍ । ୫ଟି ରାପିଡ୍ ରେସପନ୍ସ ଟିମ୍ ଦିନ ତମାମ ଖୋଜିବା ପରେ ବ୍ୟବସାୟୀ ଓ ଚାଷୀଙ୍କଠାରୁ ମାତ୍ର ୮୦ଟି କୁକୁଡ଼ା ଓ ବତକ ପାଇଥିଲେ । ସେଗୁଡ଼ିକୁ ମାରି ପୋତାଯାଇଛି । ଏଥିମଧ୍ୟରେ ୩୮ଟି ଲେୟର ଚିଅାଁ, ୩୮ଟି ଲେୟର କୁକୁଡ଼ା ଏବଂ ୪ଟି ବତକ ଥିଲେ । ଏହାଛଡ଼ା ୧୦୫୯ଟି ଅଣ୍ଡା, ୧୦ କିଲୋ କୁକୁଡ଼ା ଖାଦ୍ୟ ଗଭୀର ଖାତରେ ପୋତି ନଷ୍ଟ କରାଯାଇଥିଲା । କ୍ଷତିପୂରଣ ବାବଦକୁ ଲେୟର ଚିଆଁ ପ୍ରତି ୨୦ ଟଙ୍କା, ଲେୟର କୁକୁଡ଼ା ପିଛା ୯୦ ଟଙ୍କା, ବତକ ପିଛା ୧୩୫ ଟଙ୍କା, ଅଣ୍ଡା ଗୋଟାଏକୁ ୩ ଟଙ୍କା, କୁକୁଡ଼ା ଖାଦ୍ୟ କିଲୋ ପାଇଁ ୧୨ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି । ଏହି ହିସାବରେ ଆଜି ମୋଟ ୮୦୧୭ ଟଙ୍କା କ୍ଷତିପୂରଣ ଦିଆଯାଇଛି । ଦୁଇ ଦିନରେ ମୋଟ ୨୫ ହଜାର ୯୦୪ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି ।
ଓୟୁଏଟିରେ ଗତକାଲି ସମସ୍ତ କୁକୁଡ଼ା ମାରି ପୋତି ଦିଆଯିବା ପରେ ଆଜି ବିଶୋଧନ କାମ ଚାଲିଥିଲା । ବାର୍ଡ ଫ୍ଲୁର କେନ୍ଦ୍ର ସ୍ଥଳ ଓୟୁଏଟି କୁକୁଡ଼ା ଫାର୍ମରେ ୨ଟି ରାପିଡ୍ ରେସପନ୍ସ ଟିମ୍ ୨ଧ ସୋଡିୟମ ହାଇପୋକ୍ଲୋରାଇଟ୍, ୪ଧ ଫରମାଲିନ୍ ଦ୍ରବଣ ସିଞ୍ଚନ କରିଥିଲେ ।
ଆସନ୍ତାକାଲି ମଧ୍ୟ ଓୟୁଏଟିର ୧ କିମି ପରିଧି ଅଞ୍ଚଳରେ କୁକୁଡ଼ା, ବତକ ମରା ସହ ବିଶୋଧନ ଅଭିଯାନ ଜାରି ରହିବ । ଅପରପକ୍ଷରେ ୫ଟି ରାପିଡ୍ ରେସପନ୍ସ ଟିମ୍ ଓୟୁଏଟିର ୧-୧୦ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ବୁଲି ବୁଲି କୁକୁଡ଼ା, ବତକଗୁଡ଼ିକର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବେ ।
ବାର୍ଡ ଫ୍ଲୁ ବ୍ୟାପିବା ପରେ ଓୟୁଏଟି କୁକୁଡ଼ା ଶୂନ୍ୟ ହୋଇଥିବାବେଳେ କୁକୁଡ଼ା ଗବେଷଣା ପୂରାପୂରି ଠପ୍ ହୋଇଯାଇଛି । ଦୀର୍ଘ ୫ ବର୍ଷର ପରିଶ୍ରମ ଓ ଗବେଷଣା ମାଟି ତଳେ କବର ନେଇଯାଇଛି । ଅପରପକ୍ଷରେ ଓୟୁଏଟି ପାଖ ଶିରିପୁର, ଗଙ୍ଗନଗର, ସୂର୍ଯ୍ୟନଗର ଅଞ୍ଚଳରେ କୁକୁଡ଼ା ମାଂସ ଦୋକାନ, ଅଣ୍ଡା ଦୋକାନ ବନ୍ଦ ହୋଇଯାଇଛି । ଖାଲି ସେତିକି ନୁହେଁ, ଭୁବନେଶ୍ୱରର ବିଭିନ୍ନ ଆମିଷ ବଜାରରେ ଚିକେନ ବେପାର ପୂରା ମାନ୍ଦା ହୋଇଯାଇଛି । ଫାଷ୍ଟଫୁଡ୍ ଦୋକାନରେ ବି ବେପାର କମିଛି ।


Comments are closed, but trackbacks and pingbacks are open.