ଜୟପୁର,(ବି.ବି.ନୁ୍ୟଜ୍): ବାର୍ରେ ମଦ ଅପମିଶ୍ରଣ ବେଳେ ଟାଉନ ପୁଲିସର ଚଢଉ । ଧରାପଡ଼ିଲେ ୬ କର୍ମଚାରୀ । ପଚରାଉଚରା ପରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନେ ହେଲେ ପାଣିନଳା ସାହିର ପ୍ରସାଦଚନ୍ଦ୍ର ମିଶ୍ର(୫୩), ବିହାର ଔରଙ୍ଗାବାଦ୍ ମଦନପୁର ଅଞ୍ଚଳର ସୁଭାଷ କୁମାର ଯାଦବ(୩୮), ଦେଓ ଥାନା ନତାୟାର ବୀରେନ୍ଦ୍ର ଯାଦବ(୪୧) ଏବଂ କେତକୀର ଉପେନ୍ଦ୍ର କୁମାର ଯାଦବ(୨୨) । ସମସ୍ତେ ବାର୍ କର୍ମଚାରୀ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଜବତ ମଦ ପରୀକ୍ଷା ଲାଗି ପଠାଯିବ ବୋଲି ଆଇଆଇସି ବାଲେଶ୍ୱର ଗିଦ୍ଧି କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ସ୍ଥାନୀୟ ଏନ୍କେଟି ରୋଡ୍ରେ ଥିବା ମୋନାଲିସା ବାର୍ରେ ନକଲି ମଦ ତିଆରି ଚାଲିଥିବା ସମ୍ପର୍କରେ ପୁଲିସ ଖବର ପାଇଥିଲା । ଆଜି ସକାଳ ୮ଟାରେ ଆଇଆଇସି ଶ୍ରୀ ଗିଦ୍ଧି, ଏଏସଆଇ ବାସୁଦେବ ମାଝି ଏବଂ ଅନ୍ୟ କର୍ମଚାରୀ ହଠାତ୍ ବାର୍ ଉପରେ ଚଢଉ କରିଥିଲେ । ବାର୍ରେ ତାଲା ପଡିଥିବା ବେଳେ ଭିତରେ କଥାବାର୍ତ୍ତା ଶୁଭୁଥିଲା । ପୁଲିସ ଠକ୍ଠକ୍ କରିବା ପରେ କବାଟ ଖୋଲିଥିଲା । କର୍ମଚାରୀମାନେ ବାର୍ ପରିସରରେ ଫୁଲ୍ ବୋତଲରୁ ମଦ କାଢି ଅନ୍ୟ ବୋତଲରେ ଭର୍ତ୍ତି କରୁଥିଲେ । ପାଖରେ ୧୦ରୁ ଅଧିକ ଫୁଲ୍ ସାଇଜ ବିଦେଶୀ ମଦଭର୍ତ୍ତି ବୋତଲ ଥିଲା । ଏଥିସହ ୨୦ରୁ ଅଧିକ ଖାଲି ବୋତଲ, ଠିପି, ଅଧାଭର୍ତ୍ତି ବୋତଲ ପଡିଥିଲା । ଫୁଲ୍ ବୋତଲରୁ ମଦ କାଢି ଅନ୍ୟ ଖାଲି ବୋତଲରେ ଅଳ୍ପ ଭର୍ତ୍ତି କରି ସେଥିରେ ପାଣି ପରି ଦେଖାଯାଉଥିବା ତରଳ ପଦାର୍ଥ ମିଶାଇ ଠିପି ଦେଉଥିଲେ କର୍ମଚାରୀମାନେ । ଅପମିଶ୍ରଣ ଚାଲିଥିବା ଜଣାପଡିବା ପରେ ଉପରୋକ୍ତ ୪ ଜଣଙ୍କ ସହ ଅନ୍ୟ ୨ ଜଣ କର୍ମଚାରୀ ରାମ ଅବତାର ଏବଂ ରାମଜନମ ଯାଦବଙ୍କୁ ଧରି ଥାନାକୁ ଅଣାଯାଇଥିଲା । ପଚରାଉଚରା ପରେ ରାମ ଅବତାର ଏବଂ ରାମଜନମଙ୍କୁ ଛଡାଯାଇଥିଲା । ମଦ ଭର୍ତ୍ତି ବୋତଲ, ଖାଲି ବୋତଲ, ଠିପି ଏବଂ ଅବକାରୀ ଲେବୁଲ ଜବତ କରାଯାଇଥିଲା ।
Comments are closed, but trackbacks and pingbacks are open.