ବାଲିଆପାଳ ସୂତା କଳ ବନ୍ଦ ପାଇଁ ଚକ୍ରାନ୍ତ

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନ୍ୟୁଜ୍): ଦିନେ ୧ ହଜାରରୁ ଊଦ୍ଧ୍ୱର୍ ଶ୍ରମିକ, କର୍ମଚାରୀଙ୍କୁ ଦାନାପାଣି ଯୋଗାଉଥିବା ବାଲିଆପାଳ ସୂତାକଳ ଦୀର୍ଘ ୧୨ ବର୍ଷ ଧରି ବନ୍ଦ ରହିବା ପରେ ଏବେ ଏହାକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ଚକ୍ରାନ୍ତ ହୋଇଥିବା ଯୋଜନା ପଦାକୁ ଆସିଛି । ଏହାକୁ ନେଇ ବାଲିଆପାଳ ଅଞ୍ଚଳରେ ଆନ୍ଦୋଳନ ଦାନା ବାନ୍ଧୁଥିବା ଖବର ମିଳୁଛି । ମିଳିଥିବା ସୂଚନା ଅନୁସାରେ ୨୦୧୭ରେ ପିକନ ଇଲେକ୍ଟ୍ରୋନିକ୍ସ ନାମକ ରାଜ୍ୟ ବାହାରର ଏକ କମ୍ପାନୀ ମିଲଟିକୁ ଶାଗ-ମାଛ ଦରରେ କିଣିଥିଲା । ସୂତାକଳ କିଣିବା ବେଳେ ଏହି କମ୍ପାନୀ ଏହାକୁ କାର୍ଯ୍ୟକ୍ଷମ କରିବ ବୋଲି ରାଜ୍ୟ ସରକାର ସହିତ ଚୁକ୍ତି କରିଥିଲା । ପୂର୍ବରୁ ମଧ୍ୟ ସମ୍ପୃକ୍ତ କମ୍ପାନୀ ମିଲ ବନ୍ଦ ହେବା ପର୍ଯ୍ୟନ୍ତ ୧୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଏହାକୁ କନଭର୍ସନରେ ଚଲାଉଥିଲା । କମ୍ପାନୀର ଅଭିଜ୍ଞତା ଦୃଷ୍ଟିରୁ ମିଲ ପୁଣି କାର୍ଯ୍ୟକ୍ଷମ ହେବ ବୋଲି ବାଲିଆପାଳବାସୀଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା । ତେବେ ମିଲ ଚଳାଇବା ତ ଦୂରର କଥା ଏବେ ଏହି କମ୍ପାନୀ ମିଲ ଭିତରେ ଥିବା କୋଟି କୋଟି ଟଙ୍କାର ମୂଲ୍ୟବାନ ଯନ୍ତ୍ରପାତି ରାତିରେ ଟ୍ରକ୍ ଲଗାଇ ବୋହି ନେଇଥିବା ସୂଚନା ମିଳିଛି । ୨୦୦୮ରେ ମିଲର ରିଙ୍ଗଫ୍ରେମ ବିଭାଗର କିଛି ମେସିନ ରହସ୍ୟଜନକ ଭାବେ ପୋଡି ଯିବା ପରେ ସେବେଠାରୁ ମିଲ ବନ୍ଦ ହୋଇ ପଡିରହିଛି । ପୋଡ଼ିଯିବା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ଥିବାରୁ କେବଳ ରିଙ୍ଗଫ୍ରେମ ବିଭାଗର ଅଳ୍ପ କିଛି ମେସିନ ବଦଳାଇଦେଇଥିଲେ ମିଲ ପୁଣି କାର୍ଯ୍ୟକ୍ଷମ ହୋଇପାରି ଥାଆନ୍ତା । କାରଣ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଏହାକୁ ତୁରନ୍ତ ଆୟତ୍ତ କରାଯାଇଥିବାରୁ ମିଲର ରିଲିଙ୍ଗ, କୋନବାଇଣ୍ଡିଙ୍ଗ, ପେକିଙ୍ଗ, ସିମ୍ପଲେସ୍କ, କାର୍ଡିଙ୍ଗ, ଡୋଫ୍ରେମ, କମ୍ପ୍ରେସର ପ୍ରଭୃତି ବିଭାଗର ମେସିନଗୁଡିକର କୌଣସି କ୍ଷତି ହୋଇନଥିଲା । ଦୁଇଟି ୫୦୦ କେଭି ଡିଜି ସେଟ ସହିତ ମିଲର ୩୩ କେଭି ବିଦ୍ୟୁତ୍ ସବଷ୍ଟେସନକୁ ବିଦ୍ୟୁତ୍ ସରବରାହ ମଧ୍ୟ ସ୍ୱାବାଭିକ ଥିଲା । ମାତ୍ର ଏଥି ପାଇଁ ସରକାର କିଛି ପଦକ୍ଷେପ ନେଲେ ନାହିଁ । ୨୦୦୮ ପର ଠାରୁ ଯେତେ ସାଧାରଣ ନିର୍ବାଚନ ହୋଇଛି, ପ୍ରତ୍ୟେକ ନିର୍ବାଚନରେ ବାଲିଆପାଳ ସ୍ପିନିଂ ମିଲ କାର୍ଯ୍ୟକ୍ଷମ କରିବା ମୁଖ୍ୟ ପ୍ରସଙ୍ଗ ହୋଇଛି । ଏପରକି ୨୦୦୯ ନିର୍ବାଚନ ପ୍ରଚାର ଅବସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଆପାଳ ଆସିଥିବା ବେଳେ ସୂତାକଳକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ନିର୍ବାଚନ ପରେ ତାହା ଭୁଲିଗଲେ । ରାଜନୈତିକ ଉଦାସୀନତା ଯୋଗୁଁ ମିଲଟି ପରତ୍ୟକ୍ତ ଅବସ୍ଥାରେ ପଡିରହିଲା । ୨୦୧୪ ଓ ୨୦୧୯ ନିର୍ବାଚନରେ ମଧ୍ୟ ଶାସକ ଦଳ ପକ୍ଷରୁ ମିଲଟିକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ମାତ୍ର ନିର୍ବାଚନ ପରେପରେ ମିଲର ସମସ୍ତ ମେସିନକୁ କିଣିଥିବା କମ୍ପାନି ରାତାରାତି ନେଇଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଲିଆପାଳର ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି । ଶିଳ୍ପବିହୀନ ବାଲିଆପାଳର ଏକମାତ୍ର ବୃହତ ଶିଳ୍ପାନୁଷ୍ଠାନକୁ ଏଭଳି ଚକ୍ରାନ୍ତ କରି ବନ୍ଦ କରିଦେବା ଘଟଣାକୁ ସୂତାକଳର ଶ୍ରମିକ ସଂଘ, କର୍ମଚାରୀ ସଂଘ ସମେତ ଅନେକ ସାଧାରଣ ଲୋକେ ମଧ୍ୟ ନାପସନ୍ଦ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ସବୁ ପ୍ରମୁଖ ରାଜନୈତିକ ଦଳର ନେତାଙ୍କୁ ହାତ କରି କମ୍ପାନୀ ଏଭଳି ସାହସ କରିଥିବା ଆଲୋଚନା ହେଉଛି । ୮୦ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ ୧୯୮୬ ମସିହାରେ ଏହି ସୂତାକଳର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଲିଆପାଳରେ ପ୍ରସ୍ତାବିତ ଜାତୀୟ କ୍ଷେପଣାସ୍ତ୍ର ଘାଟୀ ଦ୍ୱାରା ଉଚ୍ଛେଦ ହେଉଥିବା ପରିବାରର ଜଣକୁ ଚାକିରୀ ଦେବା ସହିତ ସ୍ଥାନୀୟ ଅଂଚଳର ବେକାର ଯୁବକ ଯୁବତୀଙ୍କୁ ମଧ୍ୟ ଏଥିରେ ଚାକିରୀ ଦେବା ସରକାରଙ୍କର ଉଦ୍ଦେଶ୍ୟ ଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ ଜାତୀୟ ସମବାୟ ଉନ୍ନୟନ ନିଗମ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ୧୯୯୨ରେ ମିଲ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ସ୍ଥାନୀୟ ଅଂଚଳର ୧ ହଜାରରୁ ଊଦ୍ଧ୍ୱର୍ ଶ୍ରମିକ କର୍ମଚାରୀ ଏଥିରେ ନିଯୁକ୍ତି ପାଇଥିଲେ । ଏଥିରୁ ଉତ୍ପାଦିତ ସୂତା ରାଜ୍ୟ ଏବଂ ରାଜ୍ୟ ବାହାରେ ବେଶ ନାମ କରିଥିଲା । ୫ ବର୍ଷ ପର୍ଯ୍ୟନ୍ତ ମିଲ ଲାଭରେ ଚାଲିଥିଲା । କିନ୍ତୁ ତାପରେ ଦୁର୍ନିତୀ ଓ ତ୍ରୁଟିପୁର୍ଣ୍ଣ ପରିଚାଳନା ଯୋଗୁଁ ସୂତାକଲର ଦୂରାବସ୍ଥା ଆରମ୍ଭ ହେଲା । ଶେଷରେ ବାଧ୍ୟ ହୋଇ ସରକାର ଏହାକୁ କନଭର୍ସନରେ ଚଳାଇବା ପାଇଁ ସ୍ଥିର କଲେ । ପିକନ ଇଲେକ୍ଟ୍ରୋନିକ୍ସ ମିଲକୁ କଞ୍ଚାମାଲ ତୁଳା ଯୋଗାଇ ଦେଇ ଉତ୍ପାଦିତ ସମସ୍ତ ସୁତାକୁ ନେଉଥିଲେ । କନଭରସନ ବାବଦରେ ସେ ମିଲକୁ ଦେଉଥିବା ଅର୍ଥରେ ଶ୍ରମିକ ଓ କର୍ମଚାରୀଙ୍କ ଦରମା, ଯନ୍ତ୍ରପାତି ମରାମତି, ବିଦ୍ୟୁତ ବିଲ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଭରଣ ହେଉଥିଲା । କିନ୍ତୁ ୨୦୦୮ ଜାନୁଆରୀ ମାସ ୨ ତାରିଖ ରାତିରେ ମିଲରେ ଅକସ୍ମାତ ନିଆଁ ଲାଗି ରିଙ୍ଗ ଫ୍ରେମ ବିଭାଗର କିଛି ମେସିନ ଜଳି ଯାଇଥିଲା । ମିଲରେ ୬୨ ଏକର ମୁଲ୍ୟବାନ ଯାଗା, ୧୬ଟି କ୍ୱାଟରସ, ପାଣି ଟାଙ୍କି, କାଳି ମନ୍ଦିର, ୩୩ କେଭି ବିଦ୍ୟୁତ୍ ସବଷ୍ଟେସନ, ୫୦୦ କେଭି ଦୁଇଟି ମୂଲ୍ୟବାନ ଡିଜି ସେଟ, ଏକ ବଡ ଗୋଦାମ ଗୃହ ଏବଂ କୋଟି କୋଟି ଟଙ୍କାର ମେସିନ ରହିଛି । ପିକନ ଇଲେକ୍ଟ୍ରୋନିକ୍ସ ମିଲଟିକୁ ମାତ୍ର ୩ କୋଟି ୭୫ ଲକ୍ଷ ଟଙ୍କାରେ କିଣିଥିଲା ବେଳେ ସମସ୍ତ ମୂଲ୍ୟବାନ ଜମି ଓ ଯନ୍ତ୍ରପାତିର ମୂଲ୍ୟ ଆନୁମାନିକ ଭାବେ ୨୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଆକଳନ କରାଯାଉଛି । କମ୍ପାନୀର ଏଭଳି ଜନବିରୋଧୀ କାର୍ଯ୍ୟକୁ ବାଲିଆପାଳ ଉନ୍ନୟନ ପରିଷଦ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ବାଲେଶ୍ୱର ଏମପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିବା ବରିଷ୍ଠ ବିଜେପି ନେତା ଅରବିନ୍ଦ ବେହେରା ଗଣମାଧ୍ୟମକୁ କହିଛନ୍ତି । ଆଗାମୀ ଦିନରେ ବାଲିଆପାଳ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି । ପିକନ ଇଲେକଟୋନିସ୍କର ପରିଚାଳନା ନିର୍ଦ୍ଦଶେକ ସଂଜୟ ଠାକୁରଙ୍କୁ ଏ ବିଷୟରେ ପଚାରିବାରୁ ମିଲର ବକେୟା ବିଦ୍ୟୁତ ଦେୟ ପ୍ରଭୁତି ସମସ୍ୟାର ସମାଧାନ ସରକାର କରୁନଥିବାରୁ ଏହାକୁ ଆଉ ଚଳାଇବା ସମ୍ଭବ ନୁହେଁ ବୋଲି ସେ କହିଥିଲେ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons