ବାଲେଶ୍ୱର ବିକାଶରେ ଶିଥିିଳତା ପାଇଁ ବିଜେଡି ଦାୟୀ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବିକାଶରେ ଶିଥିଳତା ପାଇଁ ବିଜେଡି ଦାୟୀ । ଅନ୍ୟ ସହର ଭଳି ଏଠାରେ ଯେମିତି ବିକାଶ ହେବା କଥା, ତାହା ହେଉନି । ଏମିତି ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ଉପନିର୍ବାଚନ ପାଇଁ ତାରକା ପ୍ରଚାରକ ଭାବେ ଆସିଥିବା ବିଜେପିର ବରିÂ ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ ।
ବୁଧବାର ଅପରାହ୍ଣରେ ସ୍ଥାନୀୟ ରୟାଲ କୁଇନ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଥିଲେ, ବାଲେଶ୍ୱର ଜିଲ୍ଲା ପରିଷଦରେ ୧୫ କୋଟି, ପଞ୍ଚାୟତ ସମିତିରେ ୨୫୭ କୋଟି, ପଞ୍ଚାୟତଗୁଡ଼ିକରେ ୧୭୦ କୋଟି ଟଙ୍କା ଖର୍ଚ୍ଚ ହୋଇ ନପାରି ପଡ଼ି ରହିଛି । ବିନିଯୋଗ ହୋଇଥିବା ଅର୍ଥରୁ ପଞ୍ଚାୟତ ସମିତିଗୁଡ଼ିକ ୬୩୫ କୋଟି ଟଙ୍କା, ପଞ୍ଚାୟତଗୁଡ଼ିକ ୨୬ କୋଟି ଟଙ୍କାର କୌଣସି ହିସାବ ରଖି ନାହାନ୍ତି । ମାତ୍ର ବିଜେଡି କର୍ମୀ, ସମର୍ଥକମାନେ ପଞ୍ଚାୟତ ସମିତିଗୁଡ଼ିକରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯୋଗାଣ ପାଇଁ ଅଗ୍ରୀମ ଅର୍ଥ ରାଶି ନେଇ ଯାଇଛନ୍ତି । ଅଗ୍ରୀମ ଟଙ୍କା ଦିଆଯାଇଥିଲେ ମଧ୍ୟ ପଞ୍ଚାୟତ ସମିତିଗୁଡ଼ିକରେ ୨୩ କୋଟି, ପଞ୍ଚାୟତଗୁଡ଼ିକରେ ୨ କୋଟି ଟଙ୍କାର କୌଣସି କାର୍ଯ୍ୟ ହୋଇନି । ଅନ୍ୟପଟେ ଏହି ଅର୍ଥ ସେମାନଙ୍କ ପାଖରୁ ଅସୁଲ ମଧ୍ୟ କରାଯାଇନାହିଁ । ପଞ୍ଚାୟତ ସମିତିଗୁଡିକରେ କାହାକୁ କେତେ ଅଗ୍ରୀମ ଦିଆଯାଇଛି, ତାହାର ବିଧିବଦ୍ଧ ହିସାବ ଖାତା ନାହିଁ । ବିନା ବାର୍ଷିକ ବଜେଟରେ ୧୨ଟି ପଞ୍ଚାୟତ ସମିତି ପରିଚାଳିତ ହେଉଛି ।
କେବଳ ଗ୍ରାମାଞ୍ଚଳ ନୁହେଁ, ବାଲେଶ୍ୱର ସହରାଞ୍ଚଳରେ ମଧ୍ୟ ବିକାଶର ଧାରା ଅଟକି ରହିଛି । ଅମୃତ ଯୋଜନାରେ ରାଜ୍ୟର ଯେଉଁ ୯ଟି ସହର ସ୍ଥାନ ପାଇଛି, ସେଥିମଧ୍ୟରୁ ବାଲେଶ୍ୱର ଅନ୍ୟତମ । ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ଅମୃତ ଯୋଜନାରେ ବାଲେଶ୍ୱର ସହରକୁ ୮୮୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବ, ବାଲେଶ୍ୱର ପୌରସଂସ୍ଥାର ଅପାରଗତାରୁ ଏହି ବିପୁଳ ଅର୍ଥରୁ ବାଲେଶ୍ୱର ସହରରେ କୌଣସି ଆଖିଦୃଶିଆ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନି । ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ୪ଟି ପାର୍କ ମଧ୍ୟରୁ ଗୋଟିଏ ପାର୍କର କାମ ଅଧାପନ୍ତରିଆ ଭାବେ ପଡ଼ିଥିବାବେଳେ ଅନ୍ୟ ତିନୋଟି ପାର୍କର କାମ ଆରମ୍ଭ ହୋଇନି । ବୁଢ଼ାବଳଙ୍ଗ ନଦୀରୁ ସହରବାସୀଙ୍କୁ ଜଳ ଯୋଗାଣ ପ୍ରକଳ୍ପଟିକୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ବନ୍ଦ କରିଦିଆଯାଇଛି । ପରିବହନ ପାଇଁ ଆସିଥିବା ସିଟି ବସ୍ଗୁଡ଼ିକ ଖତ ଖାଉଛି । ରିଂ ରୋଡ, ଇଡ୍କୋ ଟାୱାର, ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ ଏବେ ସ୍ୱପ୍ନ ପାଲଟିଛି । ଏସବୁ ସମସ୍ୟାର ସମାଧାନ ପାଇଁ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ଭୋଟ୍ ଦେବାକୁ ଶ୍ରୀ ପୂଜାରୀ ନିବେଦନ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons