ବାହାବେଦୀରୁ ମଶାଣିକୁ ଗଲା ନବବଧୂ: ଯାଇପାରିଲେନି ଶାଶୁଘର

Get real time updates directly on you device, subscribe now.

ସୁବର୍ଣ୍ଣପୁର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ବେଦୀରେ ହାତଗଣ୍ଠି ପଡ଼ି ସାରିଥିଲା । ଅଗ୍ନିକୁ ସାକ୍ଷୀ ରଖି ଉଭୟେ ସାତଜନ୍ମ ପାଇଁ ସାଥୀ ହେଲେ । ଅତି ଧୁମ୍ଧାମରେ ସମ୍ପନ୍ନ ହେଲା ବାହାଘର । ହେଲେ ବିଧିର ବିଧାନ ଅଲଗା ଥିଲା । ଯେଉଁ ଘରେ ସେ ଛୋଟରୁ ବଡ଼ ହୋଇ ବାପା-ମା’ଙ୍କ ଅଳିଅଳ ହୋଇଥିଲା, ଆଜି ସେ ନୂଆ ସଂସାର କରିବାକୁ ସମସ୍ତଙ୍କୁ ଛାଡ଼ି ଶାଶୁଘରକୁ ଚାଲିଯିବ । କନ୍ୟା ବିଦାୟୀ ବେଳେ ଝିଅଟିର ମନକୁ ଆସିଥିଲା ଏପରିି ଭାବନା । ନିଜ ଛାତିର କୋହକୁ ଚାପି ରଖିପାରିଲାନି । ଦୁଃଖରେ କାନ୍ଦିବାକୁ ଲାଗିଲେ ନବବଧୂ । ଏହି କାନ୍ଦିବା ଭିତରେ ଚାଲିଗଲା ନବଧୂର ଜୀବନ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଗାଁରେ ।
ଗତକାଲି ଜୁଲୁଣ୍ଡା ଗାଁର ସ୍ୱର୍ଗତ ମୁରଲୀଧର ସାହୁଙ୍କ ଏକମାତ୍ର କନ୍ୟା ଗୁପ୍ତେଶ୍ୱରୀ ସାହୁ(ରୋଜି)ଙ୍କ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ତେତେଲଗାଁର ରାଧେଶ୍ୱାମ ପଧାନଙ୍କ ଏକମାତ୍ର ପୁତ୍ର ବିଶିକେଶନ ସହ ବାହାଘର ଥିଲା । ତେତେଲଗାଁରୁ ବରଯାତ୍ରୀ ଆସିଥିଲେ । ଭୋଜିଭାତ ପରେ ବିବାହ ସମ୍ପନ୍ନ ହୋଇଥିଲା । ଆଜି ଭୋର ସାଢେ଼ ୪ଟାରେ ନବବଧୂ ରୋଜି ଓ ବର ବିଶିକେଶନକୁ ବିଦାୟ ଦିଆଯାଉଥିଲା । ପରିବାର ଲୋକଙ୍କ ଠାରୁ ଦୂରେଇ ଯିବା ଦୁଃଖରେ କାନ୍ଦିକାନ୍ଦି ରୋଜି ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ବିନିକାରେ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏନେଇ ଡୁଙ୍ଗୁରିପାଲି ଥାନାରେ ଏକ ଅପମୃତ୍ୟ ମାମାଲା ରୁଜୁ ହୋଇଛି । ମୃତୁ୍ୟ ଏମିତି ବି ଆସେ ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି । ବାହାଘର ହସଖୁସିରେ ପୁରି ଉଠୁଥିବା ପରିବାରରେ ଅଚାନକ ଶୋକର ଛାୟା ଖେଳିଯାଇଛି । ଶାଶୁଘର ଯିବା ବଦଳରେ ରୋଜିଙ୍କ ମୃତଦେହ ମଶାଣିକୁ ଯିବା ଘଟଣାରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇପଡିଛି । ଜୁଲୁଣ୍ଡା ଅଙ୍ଗନଦୀ ଘାଟରେ ରୋଜିର ଦାହସକ୍ରାର କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons