କେନ୍ଦ୍ରାପଡ଼ା: ଗାଁକୁ ପ୍ରଶସ୍ତ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂର କଂକ୍ରିଟ୍ ରୋଡ୍ରେ ଆମ୍ବୁଲାନ୍ସ ଠିଆ ହେଲା । ପରିବାର ଲୋକେ ରୋଗୀଙ୍କୁ ବାହୁଙ୍ଗି ଭାରରେ ବୋହି ବୋହି ଆମ୍ବୁଲାନ୍ସ ପାଖକୁ ଆଣିବାକୁ ବାହାରିଲେ । ହେଲେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ବେଳକୁ ରୋଗୀଙ୍କ ଜୀବନ ଚାଲିଯାଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରା ଲୁଣିମାଠିଆ ଗ୍ରାମରେ । ମୃତ ବ୍ୟକ୍ତି ହେଲେ ନରୋତ୍ତମ ନାୟକ(୫୫) ।
ମିଳିଥିବା ସୂଚନା ଅନୁସାରେ ଲୁଣିମାଠିଆ ଗ୍ରାମରେ ରହି ଆସୁଛନ୍ତି କିଛି ଅନୁସୂଚିତ ଜାତି ଓ ଜନଜାତି ପରିବାର । ଗ୍ରାମର ନରୋତ୍ତମ ନାୟକ କିଛିଦିନ ହେବ ପକ୍ଷାଘାତ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ଅଧିକ ବିଗିଡ଼ି ଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ମେଡିକାଲ ନେବାକୁ ପରିବାର ସଦସ୍ୟ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ପହଞ୍ଚିଥିଲା ସତ । ହେଲେ ବିଲ ମଧ୍ୟ ଦେଇ ଯାଇଥିବା ଅଣଓସାରିଆ ମାଟି ରାସ୍ତାରେ ଗାଁକୁ ଯିବା ସମ୍ଭବ ହୋଇନଥିଲା । ତେଣୁ ଆମ୍ବୁଲାନ୍ସ କର୍ମଚାରୀମାନେ ନରୋତ୍ତମଙ୍କ ପରିବାର ସଦସ୍ୟଙ୍କୁ କଂକ୍ରିଟ୍ ରାସ୍ତା ପର୍ଯ୍ୟନ୍ତ ରୋଗୀଙ୍କୁ ଆଣିବାକୁ କହିଥିଲେ । ଅନ୍ୟ କିଛି ଉପାୟ ନଥିବାରୁ ପରିବାର ସଦସ୍ୟ, ପଡେ଼ାଶୀ ନରୋତ୍ତମଙ୍କୁ ବାହୁଙ୍ଗିରେ ଲୁଗା ଭାର କରି ସେଥିରେ ବସାଇ ବୋହି ଆଣିଥିଲେ । ତେବେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚôବା ବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।
ଏ ଅଘଟଣ ଏହି ଅଞ୍ଚଳରେ ଦିନିକିଆ କଥା ନୁହେଁ । ଗମନାମଗନର ବିଶେଷ ସୁବିଧା ନଥିବାରୁ ବିଭିନ୍ନ ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥାଏ । ପେଟଛେଲା ପଞ୍ଚାୟତ ଜଙ୍ଗଲଘେରା ଶବରପଡ଼ା (ଲୁଣିମାଠିଆ) ଗ୍ରାମରେ ପ୍ରାୟ ୩୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗ୍ରାମରେ କୌଣସି ଲୋକର ସରକାରୀ ଯୋଜନାରେ ଘର ନାହିଁ । ପାଇଖାନାଟିଏ ମଧ୍ୟ କାହାର ନାହିଁ । ପିଲାମାନେ ପାଠପଢ଼ାରୁ ବଞ୍ଚିତ । ଗ୍ରାମରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ନଥିବାରୁ ୩ କିଲୋମିଟର ଦୂରକୁ ପଢ଼ିବାକୁ ଯାଉଛନ୍ତି । ଅଣଓସାରିଆ ମାଟି ରାସ୍ତାରେ ବର୍ଷାଦିନେ ଯିବାଆସିବା ସମ୍ଭବପର ନୁହେଁ । ଯଦି କାହାର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ ରୋଗୀଙ୍କୁ ବାହୁଙ୍ଗି କିମ୍ବା ଖଟିଆ ଭାରରେ ବୋହି ନେବାକୁ ପଡେ଼ । ପିଲାଙ୍କର ଜାତିଗତ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ମଧ୍ୟ ନାହିଁ । ଏହି ଗ୍ରାମକୁ ଯିବା ପାଇଁ ରାମନଗର-ପ୍ରଭାକରପୁର ମୁଖ୍ୟ ରାସ୍ତାରୁ ୩ କିଲୋମିଟର କାଦୁଅ ମାଟି ରାସ୍ତା ଛଡ଼ା ଅନ୍ୟ କୌଣସି ସୁବିଧା ନାହିଁ ବୋଲି ଗ୍ରାମର ସବିତା ଭକ୍ତା, ଗୋବିନ୍ଦ ଭକ୍ତା, ମିନତି ପାତ୍ର, ମିଟ ନାୟକ, ନର ନାୟକ, ପଇଡ଼ ଭକ୍ତା, ରୁବାନ ଭକ୍ତା ପ୍ରମୁଖ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଏ ନେଇ ପଚାରିବାରେ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.